ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା ସ୍ଥିତି

୧୪୭ ଆସନରେ କିଏ ଲଢ଼ିବେ, ବିଜେପି ପ୍ରାର୍ଥୀ ପାଉନି। ଆଗେ କହୁଥିଲେ ୮୦ ଆସନରେ ଜିତି ସରକାର କରିବେ। ହେଲେ ବାସ୍ତବରେ ସେମାନେ ୮୦ ଆସନ ପାଇଁ ବି ପ୍ରାର୍ଥୀ ପାଉନଥିବା କହିଛି ବିଜେଡି।

ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା ସ୍ଥିତି

ପ୍ରାର୍ଥୀ ଘୋଷଣାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ। ୧୪୭ ବିଧାନସଭା ଆସନରେ ରାଜ୍ୟ ବିଜେପି ପ୍ରାର୍ଥୀ ସଙ୍କଟରେ ପଡିଥିବା ଆକ୍ଷେପ କରିଛି ବିଜେଡି। ଯାହାର କଡ଼ା ଜବାବ ଦେଇ ବିଜେପି କହିଛି- ଆମ ଟିକେଟକୁ ନେଇ ବିଜେଡିର ମୁଣ୍ଡ ବିନ୍ଧା କାହିଁକି ? ନିଜେ ଆଗେ ସବୁ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରନ୍ତୁ। ଆମଦାନୀ ନେତାଙ୍କୁ ଅପେକ୍ଷା କରି ବିଜେଡି ପ୍ରାର୍ଥୀ ଘୋଷଣା କରୁନି କି ବୋଲି ବିଜେପି ପ୍ରଶ୍ନ କରିଛି।

ପ୍ରାର୍ଥୀ ଘୋଷଣାକୁ ନେଇ ଛକାପଞ୍ଝା ସ୍ଥିତି। ପରସ୍ପରକୁ ଆରୋପ-ପ୍ରତ୍ୟାରୋପ ଆଜି ବିଜେଡି ମୁଖପାତ୍ର ସ୍ୱୟଂପ୍ରକାଶ ମହାପାତ୍ର ପ୍ରେସମିଟ୍ କରି ଆକ୍ଷେପ କରିଛନ୍ତି ୧୪୭ ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବାକୁ ଓଡ଼ିଶା ବିଜେପି ପାଖରେ ନେତା ନାହାନ୍ତି। ୧୪୭ ଆସନରେ କିଏ ଲଢ଼ିବେ, ବିଜେପି ପ୍ରାର୍ଥୀ ପାଉନି। ଆଗେ କହୁଥିଲେ ୮୦ ଆସନରେ ଜିତି ସରକାର କରିବେ। ହେଲେ ବାସ୍ତବରେ ସେମାନେ ୮୦ ଆସନ ପାଇଁ ବି ପ୍ରାର୍ଥୀ ପାଉନଥିବା କହିଛି ବିଜେଡି।

ବିଜେଡିର ଏ ଆକ୍ଷେପକୁ କାଉଣ୍ଟର ଆଟାକ୍ କରିଛି ବିଜେପି। ଦଳ ଆହ୍ୱାନ କରିଛି- ବିଜେଡି ଆଗେ ସମସ୍ତ ୧୪୭ ଆସନରେ ପ୍ରାର୍ଥୀ ଘୋଷଣା କରୁ। ବିଜୁ ଜନତା ଦଳର କାହିଁକି ଏତେ ମୁଣ୍ଡ ବିନ୍ଧା ହେଉଛି ବୋଲି ପ୍ରଶ୍ନ କରିବା ସହ ଆମଦାନୀ ନେତାଙ୍କୁ ଅପେକ୍ଷା କରି ପ୍ରାର୍ଥୀ ଘୋଷଣା କରୁନିକି ବୋଲି ପାଲଟା ପ୍ରଶ୍ନ କରିଛି। ତାସହ କହିଛି ବିଜେପି ଟିକେଟ ଦିଲ୍ଲୀରୁ ଘୋଷଣା ହୁଏ। ଠିକ୍ ସମୟରେ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

ସେପଟେ ରାଜ୍ୟ କଂଗ୍ରେସ୍ ଏଯାଏଁ ବିଧାନସଭାକି ଲୋକସଭା କେଉଁଥିରୁ ଗୋଟିଏ ବି ପ୍ରାର୍ଥୀ ଘୋଷଣା କରିପାରିନି। ତେବେ ଖୁବଶୀଘ୍ର କଂଗ୍ରେସର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ପ୍ରାର୍ଥୀ ତାଲିକା ନେଇ କଂଗ୍ରେସର ସ୍କ୍ରିନିଂ କମିଟି ଓ CEC ବୈଠକ ସରିଛି। ଗତକାଲି ଦିଲ୍ଲୀରେ ଦଳର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ, ସୋନିଆ ଗାନ୍ଧିଙ୍କ ସହ ଓଡ଼ିଶା କଂଗ୍ରେସର ବରିଷ୍ଠ ନେତାମାନେ ଯୋଗ ଦେଇ ଆଲୋଚନା କରିଥିଲେ।

ଓଡ଼ିଶା ପାଇଁ ବିଜେପି ସମସ୍ତ ଲୋକସଭା ପ୍ରାର୍ଥୀ ଘୋଷଣା କରି ସାରିଥିବାବେଳେ ବିଜେଡି ଆହୁରି ୬ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା ବାକି ରଖିଛି। କଂଗ୍ରେସ ଏଯାଏଁ ଶ୍ରୀଗଣେଶ କରିନି। ଏଭଳି ସମୟରେ ବିଜେପିର ବିଧାନସଭା ପ୍ରାର୍ଥୀ ଘୋଷଣାରେ ବିଳମ୍ବକୁ ନେଇ ବିଜେଡି କାହିଁକି ଏତେ ଅଧୈର୍ଯ୍ୟ ଓ ବ୍ୟାକୁଳ ? ତାକୁ ନେଇ ଉଠିଛି ପ୍ରଶ୍ନ। ରାଜନୀତି ସୀମୀକ୍ଷକ ବି ବିଜେଡିର ଏଭଳି ଆଭିମୁଖ୍ୟକୁ ଭିନ୍ନ ନଜରରେ ଦେଖିଛନ୍ତି।