ପ୍ରେମ କରିଥିଲେ ରତନ, କିନ୍ତୁ ହୋଇ ପାରି ନ ଥିଲା ବିବାହ

ରତନ ଟାଟା ବି ନିଜ ଯୁବାବସ୍ଥାରେ ପ୍ରେମରେ ପଡ଼ିଥିଲେ। ମାତ୍ର କଥା ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା।

ପ୍ରେମ କରିଥିଲେ ରତନ, କିନ୍ତୁ ହୋଇ ପାରି ନ ଥିଲା ବିବାହ

ଶିଳ୍ପ ଜଗତରେ ରତନ ଟାଟା ଏକ ମାଇଲ ଖୁଣ୍ଟ ହୋଇଥିବା ବେଳେ ସୃଷ୍ଟି କରିଥିଲେ ବହୁ ଉଦାହରଣ । ନିଜ ପ୍ରଫେସନାଲ ଲାଇଫ୍‌ରେ ଖୁବ୍‌ ସଫଳତା ପାଇଥିବା ରତନ ଟାଟା କିନ୍ତୁ ନିସଙ୍ଗ ଜୀବନ କାଟିଥିଲେ । ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ବି ସେ ବିବାହ କରି ନ ଥିଲେ । କିନ୍ତୁ ଯୁବାବସ୍ଥାରେ ସେ  ପ୍ରେମରେ ପଡ଼ିଥିଲେ। ମାତ୍ର କଥା ବିବାହ ପର୍ଯ୍ୟନ୍ତ ପହଞ୍ଚି ପାରି ନ ଥିଲା। ଏକଥା ଖୋଦ ରତନ ଟାଟା କହିଛନ୍ତି।

ତାଙ୍କ କହିବାନୁଯାୟୀ, ଆମେରିକାର ଲସ୍‌ ଏଞ୍ଜଲସ୍‌ରେ ଚାକିରି କରୁଥିବା ବେଳେ ସେ ଜଣେ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। ମାତ୍ର ସେତେବେଳେ ଜେଜେମା’ଙ୍କ ଅସୁସ୍ଥତା ହେତୁ ସେ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ।

ରତନ ଟାଟାଙ୍କ ବିଶ୍ୱାସ ଥିଲା, ତାଙ୍କ ପଛେ ପଛେ ତାଙ୍କ ପ୍ରେମ ବି ଭାରତ ଆସିବ । ମାତ୍ର ସେପରି କିଛି ହୋଇ ନ ଥିଲା। ୧୯୬୨ ମସିହାରେ ଭାରତ-ଚୀନ୍‌ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିବା ବେଳେ ଉକ୍ତ ଯୁବତୀଙ୍କ ମାତାପିତା ଆଉ ତାଙ୍କୁ ଭାରତ ଛାଡ଼ି ନ ଥିଲେ। ଫଳରେ ରତନ ଟାଟାଙ୍କ ପ୍ରେମ କାହାଣୀ ଅଧୁରା ରହି ଯାଇଥିଲା।

କେବଳ ସେତିକି ନୁହେଁ, ବି - ଟାଉନ୍‌ରେ ବି ଜଣେ ଅଭିନେତ୍ରୀଙ୍କ ସହ ରତନ ଟାଟାଙ୍କ ନାମ ଯୋଡ଼ି ହୋଇଥିଲା। ଏହାକୁ ନେଇ ଖୁବ୍‌ ଗୁଜବ ହୋଇଥିଲେ ବି ଉଭୟ ଜୀବନସାଥୀ ହୋଇ ପାରି ନ ଥିଲେ।

ବଲିଉଡ ଅଭିନେତ୍ରୀ ସିମି ଗ୍ରେୱାଲଙ୍କ ସହ ଯୋଡ଼ା ହୋଇଥିଲା ରତନ ଟାଟାଙ୍କ ନାମ । ସିମି ଗ୍ରେୱାଲ ୬୦ ଦଶକରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିବା ବେଳେ ଏକ ଶୋ’ ବି ହୋଷ୍ଟ କରିଥିଲେ। ରତନ ଟାଟା ବି ତାଙ୍କ ଶୋ’କୁ ଗେଷ୍ଟ ହୋଇ ଯାଇଥିଲେ। ୨୦୧୧ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ରତନ ଟାଟାଙ୍କୁ ଡେଟ କରିବା କଥା ସ୍ୱୀକାର କରିଥିଲେ ସିମି ।

ସିମି କହିଥିଲେ, ରତନ ଟାଟା ଜଣେ ଅସାଧାରଣ ମଣିଷ ଥିଲେ, ତାଙ୍କ ବ୍ୟକ୍ତିତ୍ୱ ଚମତ୍କାର ଥିଲା, ପ୍ରଖର ବୁଦ୍ଧି ଥିଲା। ସେ ସ୍ୱଭାବ ଖୁବ୍‌ ବିନମ୍ର ଥିଲା, ଟଙ୍କା ପ୍ରତି କେବେ ବି ତାଙ୍କ ଲୋଭ କି ଦୁର୍ବଳତା ନ ଥିଲା। ଏହା ମୋତେ ଖୁବ୍‌ ଆକୃଷ୍ଟ କରିଥିଲା ବୋଲି କହିଥିଲେ ସିମି ।

ଉଭୟଙ୍କ ରୋମାନ୍ସ ଚାଲିଥିବା ଖବରକୁ ନେଇ ଖୁବ୍‌ ପ୍ରଚାର ହେଉଥିଲେ ବି ଉଭୟ କପଲ ଗୋଲ୍‌ରେ ପହଞ୍ଚି ପାରି ନ ଥିଲେ। କିନ୍ତୁ ଉଭୟ ଖୁବ୍‌ ଭଲ ବନ୍ଧୁ ପାଲଟି ଯାଇଥିଲେ । 

ଏବେ ରତନ ଟାଟାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି ସିମି ଗ୍ରେୱାଲ। ଏପରି ଜଣେ ବନ୍ଧୁଙ୍କ ଚାଲିଯିବା ଖବର ଖୁବ୍‌ କଷ୍ଟଦାୟକ ବୋଲି ସେ ନିଜ ସୋଶାଲ ମିଡିଆ ସାଇଟ୍‌ରେ ଉଲ୍ଲେଖ କରିଛନ୍ତି ।