ପ୍ରେମ ପାଇଁ ରକ୍ତରଞ୍ଜିତ ରାଜଧାନୀର ରାସ୍ତା

ପ୍ରେମ ପାଇଁ ପ୍ରେମିକାର ଦାଦାକୁ ମାରିଦେଲା ପାଗଳ ପ୍ରେମିକ । ଖଣ୍ଡଗିରି ଥାନା ଅଞ୍ଚଳରେ ସିନେମା ଷ୍ଟାଇଲର ଥ୍ରିଲର ମର୍ଡର କ୍ରାଇମ ।

ପ୍ରେମ ପାଇଁ ରକ୍ତରଞ୍ଜିତ ରାଜଧାନୀର ରାସ୍ତା

ପ୍ରେମ ପାଇଁ ରକ୍ତରଞ୍ଜିତ ହୋଇଛି ରାଜଧାନୀର ରାସ୍ତା। ମହଙ୍ଗା ପଡିଲା ଏକତରଫା ପ୍ରେମକୁ ବିରୋଧ । ପ୍ରେମ ପାଇଁ ପ୍ରେମିକାର ଦାଦାକୁ ମାରିଦେଲା ପାଗଳ ପ୍ରେମିକ । ଏଭଳି ଏକ ସିନେମା ଷ୍ଟାଇଲର ଥ୍ରିଲର ମର୍ଡର କ୍ରାଇମ ଘଟିଛି ରାଜଧାନୀ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ । ହତ୍ୟାର ଶିକାର ହୋଇଛନ୍ତି ଖଣ୍ଡଗିରି ଥାନା ଶୁକ ବିହାର ଅଞ୍ଚଳର ଜଗତ ଓରଫ ଜଗା ମଲ୍ଲିକ ।

ବୁଧବାର ରାତି ପ୍ରାୟ ୧୨ ଟା ୪୦। ଖଣ୍ଡଗିରି ଡୁମୁଡୁମା ନିକଟ ଶୁକ ବିହାର ଅଞ୍ଚଳର ଏକ ଅନ୍ଧାରିଆ ଜାଗାରେ ଲୁଚି ବସିଥିଲା ପାଗଳ ପ୍ରେମିକ । ଏହି ସମୟରେ ଜଗା ତାଙ୍କ ସ୍କୁଟିରେ ଆସୁଥିବାବେଳେ ଘରଠୁ ମାତ୍ର ୫୦୦ ମିଟର ଦୂରରେ ଖଣ୍ଡା ଚୋଟ ପକାଇ ଜୀବନରୁ ମାରିଦେଲା ଅଭିଯୁକ୍ତ । ଆଉ ଘଟଣାସ୍ଥଳରୁ ପଳାଇଯାଉଥିବା ବେଳେ ସିସିଟିଭିରେ କଏଦ ହୋଇଛି ଦୃଶ୍ୟ।

ତେବେ କାହିଁକି ଘଟିଲା ଏହି ମର୍ଡର? କଣ ରହିଛି କାରଣ? ପୋଲିସର କହିବା ମୁତାବକ, ମୃତକ ଜଗାଙ୍କ ଝିଆରୀକୁ ଏକତରଫା ପ୍ରେମ କରୁଥିଲା ଅଭିଯୁକ୍ତ ଯୁକ୍ତ ଦୁଇ ଛାତ୍ର। ବାରଣ କଲାରୁ ୧୫ ଦିନ ତଳେ ହୋଇଥିଲା ଗଣ୍ଡଗୋଳ । କଥା ଯାଇଥିଲା ଥାନାକୁ, ପୋଲିସ ବୁଝାମଣା କରି ଛାଡିଥିଲା । କିନ୍ତୁ ନିଜ ପ୍ରେମକୁ ପାଇବାକୁ ଶେଷରେ ହତ୍ୟାକାରୀ ପାଲଟିଗଲା ପ୍ରେମିକ । ଅଭିଯୁକ୍ତ ପ୍ରେମିକ ଓ ତାର ସହଯୋଗୀଙ୍କୁ କାବୁ କରି ସରଜମିନ ତଦନ୍ତ କରୁଛି ଖଣ୍ଡଗିରି ପୋଲିସ । 

ହତ୍ୟାକାଣ୍ଡ ପରେ ଭୁବନେଶ୍ୱର ଡିସିପି, ଖଣ୍ଡଗିରି ପୋଲିସ, ସାଇଣ୍ଟିଫିକ ଟିମ ପହଂଚି ପାରିପାଶ୍ୱିକ ସ୍ଥିତି ଯାଞ୍ଚ କରିଛନ୍ତି । ପଡୋଶୀ ଲୋକଙ୍କୁ ପୁରା ଘଟଣାକ୍ରମ ପଚାରି ବୁଝିଛନ୍ତି । ସେପଟେ ଏହି ଘଟଣା ପରେ ସାହି ଭିତରେ କୋକୁଆ ଭୟ ଖେଳିଯାଇଛି । ତେଣେ  
ଅଭିଯୁକ୍ତ ନିଜକୁ ନାବାଳକ କହୁଥିବାବେଳେ ପୋଲିସ ଏହାର ତର୍ଜମା କରୁଛି । ଆବଶ୍ୟକସ୍ଥଳେ ଡିଏନଏ ଟେଷ୍ଟ କରାଯିବ ବୋଲି ସୂଚନା ଦେଇଛନ୍ତି ଡିସିପି ।