ପ୍ରେମିକଙ୍କ ସହ ରଚିଲେ ଷଡଯନ୍ତ୍ର, ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ

ମିରଟ,୨୦ା୩ଜଣେ ମହିଳା ନିଜ ପ୍ରେମିକଙ୍କ ସହ ମିଶି ଲଣ୍ଡନଫେରନ୍ତା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏତିକି ନୁହେଁ, ସେ ନିଜ ଦୋଷ ଲୁଚାଇବା ପାଇଁ ସ୍ବାମୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପୂରାଇ ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଥିଲେ। ଧରାପଡ଼ିବା ପରେ ସମ୍ପୃକ୍ତ ମହିଳା ଓ ପ୍ରେମିକ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ବିଷୟ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଉତ୍ତରପ୍ରଦେଶର ମିରଠ ବାସିନ୍ଦା ସୌରଭ ରାଜପୁତ ବ୍ରିଟେନ୍‌ରେ ଚାକିରି କରନ୍ତି। ୨୦୧୬ରେ […] The post ପ୍ରେମିକଙ୍କ ସହ ରଚିଲେ ଷଡଯନ୍ତ୍ର, ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ appeared first on Dharitri Odia News.

ପ୍ରେମିକଙ୍କ ସହ ରଚିଲେ ଷଡଯନ୍ତ୍ର, ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ

ମିରଟ,୨୦ା୩ଜଣେ ମହିଳା ନିଜ ପ୍ରେମିକଙ୍କ ସହ ମିଶି ଲଣ୍ଡନଫେରନ୍ତା ସ୍ବାମୀଙ୍କୁ ହତ୍ୟା କରିଛନ୍ତି। ଏତିକି ନୁହେଁ, ସେ ନିଜ ଦୋଷ ଲୁଚାଇବା ପାଇଁ ସ୍ବାମୀଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି ଏକ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପୂରାଇ ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରିଦେଇଥିଲେ। ଧରାପଡ଼ିବା ପରେ ସମ୍ପୃକ୍ତ ମହିଳା ଓ ପ୍ରେମିକ ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ବିଷୟ ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି। ଉତ୍ତରପ୍ରଦେଶର ମିରଠ ବାସିନ୍ଦା ସୌରଭ ରାଜପୁତ ବ୍ରିଟେନ୍‌ରେ ଚାକିରି କରନ୍ତି। ୨୦୧୬ରେ ସେ ମୁସ୍କାନ ରୋହତଗୀଙ୍କୁ ବିବାହ କରିଥିଲେ। ମୁସ୍କାନ ସେମାନଙ୍କର ୫ ବର୍ଷୀୟା ଝିଅକୁ ଧରି ମିରଠର ଏକ ଭଡ଼ାଘରେ ରହୁଥିଲେ। ଇତିମଧ୍ୟରେ ସୌରଭ ନିକଟରେ ଲଣ୍ଡନରୁ ମିରଠକୁ ଫେରିଥିଲେ। କିନ୍ତୁ ଗତ ୪ ତାରିଖରୁ ସୌରଭଙ୍କ କୌଣସି ପତ୍ତା ମିଳି ନ ଥିଲା। ସେହିଦିନ ହିଁ ମୁସ୍କାନ ଓ ତାଙ୍କ ପ୍ରେମିକ ସାହିଲ ଶୁକ୍ଳା ମିଶି ସୌରଭଙ୍କୁ ହତ୍ୟା କରିଥିବା କୁହାଯାଉଛି। ପୋଲିସ ଆଗରେ ଉଭୟେ ଦୋଷ ସ୍ବୀକାର କରି ସବୁ ମାନି ନେଇଛନ୍ତି। ମାର୍ଚ୍ଚ ୪ ରାତିରେ ମୁସ୍କାନ ସୌରଭଙ୍କ ଖାଦ୍ୟରେ ନିଶା ଔଷଧ ମିଶାଇ ଦେଇଥିଲେ। ତାକୁ ଖାଇବା ପରେ ସୌରଭ ସଂଜ୍ଞାହୀନ ହୋଇଯାଇଥିଲେ। ଏହା ପରେ ପ୍ରେମିକ ସାହିଲଙ୍କୁ ମୁସ୍କାନ ନିଜ ଘରକୁ ଡାକିଥିଲେ। ସାହିଲ ସୌରଭଙ୍କ ଛାତିରେ ଛୁରି ଭୁସି ତାଙ୍କ ଗଳା କାଟି ଦେଇଥିଲେ। ଦୁହେଁ ମିଶି ସୌରଭଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ଖଣ୍ଡ ଖଣ୍ଡ କରି କାଟିଥିଲେ। ପୂର୍ବ ଯୋଜନା ମୁତାବକ ପରଦିନ ଖଣ୍ଡବିଖଣ୍ଡିତ ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକୁ ଏକ ବଡ଼ ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ଭର୍ତ୍ତି କରି ତା’ ଉପରେ ସିମେଣ୍ଟ ପ୍ଲାଷ୍ଟର କରିଥିଲେ। ଉକ୍ତ ଡ୍ରମ୍‌କୁ ସେମାନେ ଘର ଭିତରେ ଲୁଚାଇ ଦେଇଥିଲେ।
ଏହା ପରେ ମୁସ୍କାନ ଓ ସାହିଲ ଶିମ୍‌ଲାସ୍ଥିତ ଏକ ହିଲ୍‌ ଷ୍ଟେଶନକୁ ଛୁଟି କାଟିବାକୁ ଚାଲିଯାଇଥିଲେ। ଇତିମଧ୍ୟରେ ମୁସ୍କାନଙ୍କ ମା’ ଥାନାକୁ ଯାଇ ଝିଅ ତାଙ୍କ ସମ୍ମୁଖରେ ଅପରାଧ ସ୍ବୀକାର କରିଥିବା ବିଷୟ ପୋଲିସକୁ ଜଣାଇବା ପରେ ଏହି ହତ୍ୟାକାଣ୍ଡ ଲୋକଲୋଚନକୁ ଆସିଛି। ପୋଲିସ ମୁସ୍କାନ ଓ ସାହିଲଙ୍କୁ ହତ୍ୟା ଘଟାଇଥିବା ଘରକୁ ନେଇଛି। ଦୁହେଁ ଲୁଚାଇ ରଖିଥିବା ମୃତଦେହକୁ ବାହାର କରିବା ପାଇଁ ପୋଲିସକୁ ୨ ଘଣ୍ଟାରୁ ଅଧିକ ସମୟ ଲାଗିଯାଇଥିଲା। ଶେଷରେ ପୋଲିସ ତାକୁ ଜବତ କରି ଏକ ଶବଗୃହକୁ ପଠାଇ ଦେଇଛି। ସ୍ଥାନୀୟ ଲୋକଙ୍କ କହିବା ହେଲା, ମୁସ୍କାନ ନିଜ ଘରେ ତାଲା ପକାଇ ସ୍ବାମୀଙ୍କ ସହ ହିମାଚଳ ପ୍ରଦେଶକୁ ଯାଉଥିବା ବିଷୟ ପଡ଼ୋଶୀଙ୍କୁ ଜଣାଇଥିଲେ। ଏହା ଭିତରେ ସେ ସନ୍ଦେହ ଏଡ଼ାଇବା ପାଇଁ ସୌରଭଙ୍କ ମୋବାଇଲରୁ ତାଙ୍କ ପରିବାର ସଦସ୍ୟମାନଙ୍କ ନିକଟକୁ ବିଭ୍ରାନ୍ତିକର ମେସେଜ୍‌ ପଠାଉଥିଲେ।
ତଦନ୍ତରୁ ପୋଲିସ ଆହୁରି ଜାଣିବାକୁ ପାଇଛି ଯେ, ସୌରଭ ନିଜ ଘର ଲୋକଙ୍କୁ ମର୍ଚ୍ଚାଣ୍ଟ ନେଭିରେ କାମ କରୁଥିବା କଥା କହିଥିଲେ। କିନ୍ତୁ ସେ ଲଣ୍ଡନର ଏକ ବେକେରିରେ କାର୍ଯ୍ୟ କରୁଥିଲେ। ମିରଠ ଏସ୍‌ପି ଆୟୁଷ ବିକ୍ରମ କହିଛନ୍ତି, ଇନ୍ଦିରା ନଗରରେ ହତ୍ୟା ଘଟିଥିବା ନେଇ ଆମେ ସୂଚନା ପାଇଥିଲୁ। ତଦନ୍ତରୁ ଏନେଇ ସବୁ ସ୍ପଷ୍ଟ ହୋଇଯାଇଛି। ଡ୍ରମ୍‌ରୁ ଦେହାବଶେଷକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପରିବାର ଲୋକଙ୍କ ଏତଲାକ୍ରମେ ଦୁହିଁଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି।

The post ପ୍ରେମିକଙ୍କ ସହ ରଚିଲେ ଷଡଯନ୍ତ୍ର, ସ୍ବାମୀଙ୍କ ମୃତଦେହ ଖଣ୍ଡ ଖଣ୍ଡ କରି ପ୍ଲାଷ୍ଟିକ୍‌ ଡ୍ରମ୍‌ରେ ପ୍ଲାଷ୍ଟର କଲେ appeared first on Dharitri Odia News.