ପ୍ୟାରିସ ଅଲିମ୍ପିକ୍ସରୁ ହଟାଇ ଦିଆଗଲା ଲକ୍ଷ୍ୟ ସେନଙ୍କ ବିଜୟ ମ୍ୟାଚ୍
ଶନିବାର ଗୁଏତମାଲାର କେଭିନ କୋର୍ଡନଙ୍କୁ ଭାରତର ଲକ୍ଷ୍ୟ ସେନ ଦମଦାର ଢଙ୍ଗରେ ୨-୦ରେ ହରାଇ ଦେଇଥିଲେ।
ପ୍ୟାରିସ ଅଲିମ୍ପିକ୍ସରୁ ବଡ଼ ଖବର ସାମ୍ନାକୁ ଆସିଛି। ଶନିବାର ଭାରତର ଷ୍ଟାର ଶଟଲର ଲକ୍ଷ୍ୟ ସେନ ଜିତିଥିବା ଗ୍ରୁପ ଏଲର ପ୍ରଥମ ମ୍ୟାଚ୍କୁ ପ୍ୟାରିସ ଅଲିମ୍ପିକ୍ସ ପକ୍ଷରୁ ରେକର୍ଡରୁ ହଟାଇ ଦିଆଯାଇଛି। ଏହାର ଅର୍ଥ ଲକ୍ଷ୍ୟ ସେନଙ୍କ ଏହି ବିଜୟଙ୍କୁ ଏବେ ଅଲିମ୍ପିକ୍ସରେ ଗଣତି କରାଯିବ ନାହିଁ।
ଶନିବାର ଗୁଏତମାଲାର କେଭିନ କୋର୍ଡନଙ୍କୁ ଭାରତର ଲକ୍ଷ୍ୟ ସେନ ଦମଦାର ଢଙ୍ଗରେ ୨-୦ରେ ହରାଇ ଦେଇଥିଲେ। ତେବେ ଉକ୍ତ ମ୍ୟାଚ୍ ପରେ କେଭିନ ଆହତ ସମସ୍ୟା କାରଣରୁ ପ୍ୟାରିସ ଅଲିମ୍ପିକ୍ସରୁ ଓହରି ଯାଇଛନ୍ତି।
ଅଲିମ୍ପିକ୍ସ.ଡଟ କମରେ କୁହାଯାଇଛି ଯେ କେଭିନ ପ୍ୟାରିସରେ ଚାଲିଥିବା ଅଲିମ୍ପିକ୍ସରୁ ନିଜ ନାଁକୁ ପ୍ରତ୍ୟାହାର କରି ନେଇଛନ୍ତି। ଏଥିପାଇଁ ଗ୍ରୁପ ଏଲରେ ସେ ଖେଳିବାକୁ ଥିବା ଦୁଇଟି ଯାକ ମ୍ୟାଚକୁ ବାତିଲ କରି ଯାଇଛି। ସେ ଇଣ୍ଡୋନେସିଆର ଜୋନାଥନ କ୍ରିଷ୍ଟି ଓ ବେଲଜିୟ ଜୁଲିଏ କାରାଗିଙ୍କ ସହ ମ୍ୟାଚ୍ ଖେଳିବେ ନାହିଁ। ସେହିପରି ଗ୍ରୁପ ଷ୍ଟେଜରେ ସେ ଲକ୍ଷ୍ୟ ସେନଙ୍କ ବିରୋଧରେ ଖେଳିଥିବା ମ୍ୟାଚ୍କୁ ମଧ୍ୟ ଡିଲିଟ କରି ଦିଆଯାଇଛି। ଏହି ବିଜୟକୁ ଗ୍ରୁପ ରାଙ୍କିଙ୍ଗ ଚୟନ ବେଳେ ଗଣତି କରାଯିବ ନାହିଁ।
ଏବେ ଗ୍ରୁପ ପର୍ଯ୍ୟାୟର ରାଙ୍କିଙ୍ଗ ବାକି ୩ ଖେଳାଳିଙ୍କ ମଧ୍ୟରେ ହେବାକୁ ଥିବା ମ୍ୟାଚ୍ଗୁଡ଼ିକ ଆଧାରରେ ବିଚାର କରାଯିବ। ଲକ୍ଷ୍ୟ ସେନ ଆସନ୍ତା ୨୯ରେ କାରାଗିଙ୍କ ସହ ମ୍ୟାଚ୍ ଖେଳିବେ। ଏହାପରେ ତାଙ୍କର ମୁକାବିଲା ଇଣ୍ଡୋନେସିଆର ଜୋନାଥନଙ୍କ ସହ ହେବ।
ଶନିବାର ଲକ୍ଷ୍ୟ ସେନ ୨୧-୮ ଓ ୨୨-୨୦ରେ କେଭିନଙ୍କୁ ହରାଇଥିଲେ। ଏହି ମ୍ୟାଚ୍ ୪୨ ମିନିଟ ଧରି ଚାଲିଥିଲା।