ଫକୀର ମୋହନ ସେନାପତି,, ପାଠରଙ୍କୁଣୀ ରେବତୀ
କଥାସମ୍ରାଟ ଫକୀରମୋହନ ସେନାପତି(୧୮୪୩ରୁ ୧୯୧୮), ତାଙ୍କ ବାଲ୍ୟକାଳ ସଂଘର୍ଷମୟ । କେବେ ଅଝାଲ ସିଲେଇ ତ ଜାହାଜାତି କାରବାର- ଏମିତି ପିଲାବେଳ କଟିଲା । ପରେ ସେ ସ୍କୁଲ ମାଷ୍ଟ୍ରେ, ପରିଶେଷରେ ଦେବାନ, ଆଡ଼ମିନ୍ଷ୍ଟେଟର । ତାଙ୍କର ବିପୁଳ ଜୀବନାନୁଭୂତି । ଓଡ଼ିଶା ଜନଜୀବନ ସହ ସେ ଓତପ୍ରୋତ ଭାବେ ସଂଶ୍ଲିଷ୍ଟ । ଜୀବନକୁ ସେ ଦେଖିଥିଲେ ଖୁବ୍ ନିକଟରୁ । ଉନ୍ନବିଂଶ ଶତାବ୍ଦୀ ଓଡ଼ିଶାର ଶିକ୍ଷା, ସାମାଜିକ ବ୍ୟବସ୍ଥା, ଆର୍ଥନୀତିକ ଜୀବନ, ଅପସଂସ୍କୃତି, ସାହୁକାର ଗୁମାସ୍ତାଙ୍କ […]

କଥାସମ୍ରାଟ ଫକୀରମୋହନ ସେନାପତି(୧୮୪୩ରୁ ୧୯୧୮), ତାଙ୍କ ବାଲ୍ୟକାଳ ସଂଘର୍ଷମୟ । କେବେ ଅଝାଲ ସିଲେଇ ତ ଜାହାଜାତି କାରବାର- ଏମିତି ପିଲାବେଳ କଟିଲା । ପରେ ସେ ସ୍କୁଲ ମାଷ୍ଟ୍ରେ, ପରିଶେଷରେ ଦେବାନ, ଆଡ଼ମିନ୍ଷ୍ଟେଟର । ତାଙ୍କର ବିପୁଳ ଜୀବନାନୁଭୂତି । ଓଡ଼ିଶା ଜନଜୀବନ ସହ ସେ ଓତପ୍ରୋତ ଭାବେ ସଂଶ୍ଲିଷ୍ଟ । ଜୀବନକୁ ସେ ଦେଖିଥିଲେ ଖୁବ୍ ନିକଟରୁ । ଉନ୍ନବିଂଶ ଶତାବ୍ଦୀ ଓଡ଼ିଶାର ଶିକ୍ଷା, ସାମାଜିକ ବ୍ୟବସ୍ଥା, ଆର୍ଥନୀତିକ ଜୀବନ, ଅପସଂସ୍କୃତି, ସାହୁକାର ଗୁମାସ୍ତାଙ୍କ ଶୋଷଣ, ଫିରିଙ୍ଗି ବାହିନୀଙ୍କ ଅପଶାସନ- ଏପରି ଫକୀରମୋହନଙ୍କୁ ବହୁ ଭାବରେ, ବହୁ ରୂପରେ ପ୍ରଭାବିତ କଲା । ସେ ତଟସ୍ଥ ହୋଇ ଆଙ୍କିଦେଲେ ଏ ସବୁକୁ ଆପଣାର ରାଶି ରାଶି ସାହିତ୍ୟକୃତିରେ । ବିଶେଷକରି ତାଙ୍କ ଗଦ୍ୟ ସମୂହ ଜନଜୀବନକୁ ଆପଣେଇ ନେଇଛି, ହୋଇଯାଇଛି କାଳଜୟୀ । ଫକୀରମୋହନ ପ୍ରଥମେ ଦ୍ରଷ୍ଟା, ପରେ ସାଧକ ଓ ସ୍ରଷ୍ଟା । ତାଙ୍କ ଲେଖନୀରୁ ଜନ୍ମ ନେଇଛି ଚାରୋଟି ଉପନ୍ୟାସ- “ଛ ମାଣ ଆଠଗୁ=’, “ମାମୁ’, “ଲଛମା’, “ପ୍ରାୟଶ୍ଚିତ’ । ଅନୁରୂପ ଭାବେ ସେ ୨୦ଟି କ୍ଷୁଦ୍ର ଗଳ୍ପର ସ୍ରଷ୍ଟା । ତାଙ୍କର ପ୍ରଥମ ଗଳ୍ପ “ରେବତୀ’ (୧୮୯୮) । ଏଥିରେ ସେ ନାରୀଶିକ୍ଷାର ପ୍ରୋତ୍ସାହନ ଦେଇଛନ୍ତି । କେବଳ ସେତିକି ନୁହେଁ, “ପେଟେଣ୍ଟ ମେଡ଼ିସିନ୍’, “ସୁନା ବୋହୂ’, “ମୋର ତ ପାଠୋଈ ବୋହୂ’, “ସଭ୍ୟ ଜମିଦାର’ ଆଦି ଗପରେ ବି ଅନୁରୂପ ପ୍ରସଙ୍ଗ ସ୍ଥାନିତ ।
ସମାଜ ସଂସ୍କାରକ ଫକୀରମୋହନ । ନାରୀଙ୍କ ସ୍ଥାନ ରୋଷେଇଶାଳାରେ-ଏ ଚିନ୍ତନଟି ପ୍ରାଚୀନ ବର୍ବରତା । ଏ କଥାଟି ସେ ଅନୁଭବ କରିଥିଲେ । ଶିକ୍ଷିତ ପୁରୁଷ, ଗୋଟିଏ ଅଶିକ୍ଷିତା ନାରୀ-ଏଇଟି କୌଣସି ଜାତି ପାଇଁ ଶୁଭଙ୍କର ନୁହେଁ । ଏକଥା ମଧ୍ୟ ଫକୀରମୋହନ ବୁଝିଥିଲେ । ଉନ୍ନବିଂଶ ଶତାବ୍ଦୀର କଥା । ଓଡ଼ିଶାରେ ନାରୀଶିକ୍ଷା ଅତ୍ୟନ୍ତ ନୈରାଶ୍ୟଜନକ । ଶିକ୍ଷାତ ଦୂରର କଥା, ଏରୁଣ୍ଡିବନ୍ଧ ଡେଇଁବାକୁ ବାରଣ । ସେବେ ନିଜର ବଢ଼ିଲା ଭଉଣୀ, ବିବାହିତା ସ୍ତ୍ରୀ ନାଁ ପ୍ରକାଶ କରିବାକୁ ଅନେକ କୁ=ା ପ୍ରକାଶ କରୁଥିଲେ । ପ୍ରାଚୀନ ପ୍ରଥା ପରମ୍ପରା ପିଷ୍ଟ ଜୀବନ । ହିନ୍ଦୁ ସମାଜର କଠୋର ନିୟମକୁ ଏଡ଼ାଇବା ସମ୍ଭବ ନଥିଲା । ନାରୀଶିକ୍ଷାର ପ୍ରୋତ୍ସାହନ ଆଦୌ ନଥିଲା । ନାରୀଶିକ୍ଷା ଦ୍ୱାରା ଭ୍ରଷ୍ଟାଚାର ବ୍ୟାପିବ- ଏ ପ୍ରକାର ଆଶଙ୍କା ବଳବତ୍ତର ଥିଲା । ନାରୀ ସତୀତ୍ୱକୁ ରୁଦ୍ଧ କପାଟରେ ରକ୍ଷାକରିବାର ରୀତି ଅନୁଷ୍ଠିତ ହୋଇଥିଲା ।
ନାରୀଶିକ୍ଷାର ପ୍ରସାର ପାଇଁ ପ୍ରଥମେ ଖ୍ରୀଷ୍ଟିୟାନ ମିଶନାରୀମାନେ ପଦକ୍ଷେପ ନେଲେ । ରାଜା, ବିଷୟାସମ୍ପନ୍ନକରଣ- ଏମାନେ ଆପଣା, ଆପଣାଘରେ ଖ୍ରୀଷ୍ଟିୟାନ ପାଠ ମା’ ରଖିଲେ । ଝିଅମାନଙ୍କୁ ଶିକ୍ଷା ଦେଲେ । ଏଇ କଥାଟି ଲେଖିଥିଲା- ଉତ୍କଳ ଦୀପିକା(୧୮୮୧) । ଅବିନାଶ ଚଟ୍ଟୋପାଧ୍ୟାୟ, ନିଜ ବାଲୁବଜାର ସ୍ଥିତ ବାସଭବନରେ ବାଳିକା ସ୍କୁଲଟିଏ ବସାଇଲେ । ନବାଚାରୀ ନଥିବା ବୟସ୍କା ଭଦ୍ର ବଂଶୋଦ୍ଭବା ବାଳିକାଙ୍କୁ ଏହି ବିଦ୍ୟାଳୟରେ ଗ୍ରହଣ କରାଗଲା । ଅନ୍ୟମାନଙ୍କୁ ସୁଯୋଗ ଦିଆଯାଉ ନଥିଲା । ଏକଥାଟି ଉତ୍କଳ ଦୀପିକାର ସମ୍ପାଦକ ମଧ୍ୟ ଲେଖିଥିଲେ । ଫକୀରମୋହନ ବାଲେଶ୍ୱରରେ ବସାଇଲେ ବାଳିକା ସ୍କୁଲଟିଏ । ଏଥିପାଇଁ ବହୁ ହିନ୍ଦୁ ନିନ୍ଦା ସହିଲେ । ଏସବୁ ଅଭିଜ୍ଞତାକୁ ଉଲ୍ଲେଖ କରିଛନ୍ତି ଆପଣା ଆତ୍ମଲିପି “ଆତ୍ମଚରିତ’ ରେ’ ।
ଦୂରଦ୍ରଷ୍ଟା ଫକୀରମୋହନ ସେଦିନ ରେବତୀକୁ ଖଡ଼ି ଧରାଇଲେ । ସେ କିଛି କିଛି ପଢ଼ିଲା ବି । ସ୍ରଷ୍ଟା ଜାଣିଥିଲେ ଏ ଦିନ ରହିବନି । ଦିନ ଆସିବ, ତାଙ୍କ ରେବତୀମାନେ ଆଗକୁ ମାଇନର ପଢ଼ିବେ, ଉଚ୍ଚ ଶ୍ରେଣୀ ଏମିତି ଢ଼େର ଢ଼େର ପାଠ ପଢ଼ିବେ । ଚାକିରି କରିବେ, ବାପା ଭାଇଙ୍କୁ ଟଙ୍କା ରୋଜଗାର କରି ଦେବେ । ପୁରୁଷଙ୍କ ସହ ସମାନ ହେବେ । ନାଁ କରିବେ । ତାଙ୍କ କଥା ସତ ହେଲା । ଏବେ ଓଡ଼ିଆ ନାରୀ ବହୁ ଆଗରେ । ଫକୀରମୋହନଙ୍କ “ରେବତୀ’କୁ ଭୁଲିପାରିଲେନି ଉତ୍ତର ପିଢ଼ିର ଲେଖକ/ଲେଖିକା । କାହା କଲମରେ ସେ ଉଚ୍ଚଶିକ୍ଷିତା, କିଏ ବଡ଼ ଚାକିରି କରି ବିଡ଼ା ବିଡ଼ା ଟଙ୍କା କମଉଛି, ଭାଇକୁ ପାଠ ପଢ଼େଇଛି । ଆଉ କେଉଁଠି ରେବତୀର ସହରୀ ସଂସ୍କରଣ । ସେ ସ୍କୁଲରୁ ବାସୁ ସାର୍ଙ୍କ ସାଇକେଲରେ ବସି ଚାଲି ଯାଉଛି, ତାଙ୍କ ସହ ନିରୋଳାରେ ଦି ଚାରି ଦିନ ଏକାଠି କଟାଉଛି । ପୁଣି ଗାଁକୁ ଫେରିଛି । ପାଠ ପଢ଼ା ଚାଲୁ ରଖିଛି । ଅନ୍ୟତ୍ର ଘରସଂସାର କରିଛି । ଏବେ ସେ ନେତ୍ରୀ । ଏସବୁ ପରିପକ୍ୱ ସମୟର ଫଳ । ମାତ୍ର ଫକୀରମୋହନଙ୍କ “ରେବତୀ’ ହିଁ “ରେବତୀ’ । ନାରୀଶିକ୍ଷା, ସଂଯତ ପ୍ରେମ, ସାମାଜିକତା- ଏ ସମସ୍ତର ସଫଳ ରୂପାୟନ ଘଟିଛି ଗପଟିରେ । ସତରେ ! “ରେବତୀ’ ଅନନ୍ୟା, ଅସାଧାରଣ ମଧ୍ୟ । ଓଡ଼ିଆ ବାଣୀ ଭଣ୍ଡାରରେ ତା’ଦୃଶ ସୃଷ୍ଟି ବିରଳ !
ଡ. ସର୍ବେଶ୍ୱର ସେଣ
ମୋ: ୯୪୩୭୦୮୮୦୩୯