ଫାଇନାନ୍ସ ଅଫିସ୍‌ରେ ପଶିଲେ ଦୁର୍ବୃତ୍ତ; ୩୦ କେଜି ସୁନା ସାଙ୍ଗକୁ ଲୁଟିନେଲେ ୩ ଲକ୍ଷ

ଦିବାଲୋକରେ ଅଫିସରେ ପଶିଲେ । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ପିଟିଲେ। ଏହାପରେ ପ୍ରାୟ ୩୦ କେଜି ସୁନା ସାଙ୍ଗକୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ।

ଫାଇନାନ୍ସ ଅଫିସ୍‌ରେ ପଶିଲେ ଦୁର୍ବୃତ୍ତ; ୩୦ କେଜି ସୁନା ସାଙ୍ଗକୁ ଲୁଟିନେଲେ ୩ ଲକ୍ଷ

ଦିବାଲୋକରେ ଅଫିସରେ ପଶିଲେ । କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ନିସ୍ତୁକ ପିଟିଲେ। ଏହାପରେ ପ୍ରାୟ ୩୦ କେଜି ସୁନା ସାଙ୍ଗକୁ ପ୍ରାୟ ୩ ଲକ୍ଷ ଟଙ୍କା ନେଇ ଚମ୍ପଟ ମାରିଲେ। ଏପରି ଏକ ବଡ଼ ଧରଣର ଲୁଟ୍‌ ଆଜି ସକାଳେ ସମ୍ବଲପୁରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜା ଅଞ୍ଚଳରେ ଥିବା ମଣିପୁରମ ଫାଇନାନ୍ସ ଲିମିଟେଡ କାର୍ଯ୍ୟାଳୟରୁ ହୋଇଛି।

ଆଜି ସକାଳ ୧୦ଟା ବେଳେ ମଣିପୁରମ ଫାଇନାନ୍ସ କାର୍ଯ୍ୟାଳୟ ଖୋଲିଥିଲା। ଅଫିସ ମଧ୍ୟରେ ସମୁଦାୟ ୩ କର୍ମଚାରୀ ଥିଲେ। କିଛି ସମୟ ମଧ୍ୟରେ ହଠାତ୍‌ ପ୍ରାୟ ୭ରୁ ୮ ଜଣ ଯୁବକ କାର୍ଯ୍ୟାଳୟରେ ପଶିଥିଲେ। ସେମାନେ ହେଲମେଟ୍‌ ପିନ୍ଧିଥିବା ବେଳେ ବନ୍ଧୁକ ଦେଖାଇ ଅଫିସ ଲକରରେ ଥିବା ସମସ୍ତ ସୁନାଗହଣା ଓ କାଉଣ୍ଟରରେ ଥିବା କ୍ୟାସ୍‌ ଦେବାକୁ କହିଥିଲେ।

ପ୍ରଥମେ କର୍ମଚାରୀମାନେ ଏହାର ପ୍ରତିବାଦ କରିବାରୁ ଯୁବକମାନେ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ସେମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ତେଣୁ କର୍ମଚାରୀମାନେ ଭୟଭୀତ ହୋଇ ଲକର ଖୋଲି ଦେଇଥିଲେ । ଫଳରେ ଦୁର୍ବୃତ୍ତମାନେ ଲକରରେ ଥିବା ପ୍ରାୟ ୩୦ କେଜିରୁ ଅଧିକ ସୁନା ଓ ନଗଦ ୩ ଲକ୍ଷ ଟଙ୍କା ନେଇ ବାଇକ୍‌ ଯୋଗେ ଅଇଁଠାପାଲି ଅଭିମୁଖେ ପଳାଇଥିଲେ।

ଖବର ପାଇ ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ପ୍ରୟାସ କରୁଛି। ତୁରନ୍ତ ଜିଲ୍ଲାର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯାଇ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି।

ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ସମ୍ବଲପୁର ଏସ୍‌ପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତର ସମୀକ୍ଷା କରିଛନ୍ତି। ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ପୁଲିସ୍‌ ଟିମ୍‌ ଗଠନ କରାଯାଇ ବିଭିନ୍ନ ସ୍ଥାନକୁ ପଠାଯାଇଥିବା ଏସ୍‌ଡିପିଓ କହିଛନ୍ତି।