ଫୋନ କରିଥିଲେ ମୋଦି, କଥା ହୋଇପାରିଲେନି ମନୁ ଭାକର

ମୋଦି ଆଜି ସରବଜୋତ ସିଂହଙ୍କୁ ସ୍ୱତନ୍ତ୍ର ଭାବେ ଫୋନ କରି ମିକ୍ସଡ ଟିମକୁ ଶୁଭେଚ୍ଛା ଜଣାଇବାକୁ ଚେଷ୍ଟା କରିଥିଲେ।

ଫୋନ କରିଥିଲେ ମୋଦି, କଥା ହୋଇପାରିଲେନି ମନୁ ଭାକର

ଭାରତ ପାଇଁ ଆଜି ବନ୍ଧୁକ ଚାଳନାରେ ଦ୍ୱିତୀୟ ଅଲିମ୍ପିକ୍ସ ପଦକ ଜିତିଛନ୍ତି ଷ୍ଟାର ଶୁଟର ମନୁ ଭାକର। ସେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଣ୍ଟରେ ସରବଜୋତ ସିଂହଙ୍କୁ ସାଥୀ କରି ବ୍ରୋଞ୍ଜ ପଦକ ଜିତିଛନ୍ତି। ଏହା ପୂର୍ବରୁ ୧୦ ମିଟର ଏୟାର ପିସ୍ତଲର ମହିଳା ବର୍ଗରେ ମନୁ ଏକାକୀ ବ୍ରୋଞ ପଦକ ଜିତିଥିଲେ। ସେ ସ୍ୱାଧୀନ ଭାରତର ପ୍ରଥମ ଭାରତୀୟ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ରେକର୍ଡ କରିଛନ୍ତି।

ଐତିହାସିକ ବିଜୟ ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କୁ ପ୍ରଥମେ ଏକ୍ସରେ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ସେ ତାଙ୍କୁ କଥା ହେବାକୁ ପ୍ୟାରିସକୁ ଫୋନକ କରିଥିଲେ। କିନ୍ତୁ ମନୁ ଆଜି ମୋଦିଙ୍କ ସହ କଥା ହୋଇ ପାରି ନାହାନ୍ତି।

ମିଳିଥିବା ସୂଚନା ଅନୁସାରେ, ମୋଦି ଆଜି ସରବଜୋତ ସିଂହଙ୍କୁ ସ୍ୱତନ୍ତ୍ର ଭାବେ ଫୋନ କରି ମିକ୍ସଡ ଟିମକୁ ଶୁଭେଚ୍ଛା ଜଣାଇବାକୁ ଚେଷ୍ଟା କରିଥିଲେ। ହେଲେ ସେ କେବଳ ସରବଜୋତ ସିଂହଙ୍କ ସହ ହିଁ କଥା ହୋଇପାରିଛନ୍ତି।

କାରଣ ପ୍ରତିଯୋଗିତା ପରେ ନିୟମ ଅନୁସାରେ ମନୁ ଡୋପ ଟେଷ୍ଟ ପାଇଁ ଯାଇଥିଲେ। ତେଣୁ ସେ ମୋଦିଙ୍କ ସହ କଥା ହୋଇ ପାରି ନାହାନ୍ତି। ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ଚାହିଁଥିଲେ ହେଁ ଏହା ସମ୍ଭବ ହୋଇ ନାହିଁ। କିନ୍ତୁ ଏହା ପୂର୍ବରୁ ସେ ୧୦ ମିଟର ଏୟାର ପିସ୍ତଲ ମହିଳା ଇଭେଣ୍ଟରେ ପଦକ ଜିତିବା ପରେ ତାଙ୍କ ସହ ମୋଦି କଥା ହୋଇ ଶୁଭେଚ୍ଛା ଜଣାଇଥିଲେ।


ଆଜି ସରବଜୋତଙ୍କ ସହ କଥା ହୋଇ ମୋଦି କହିଛନ୍ତି, “ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆପଣ ଆମ ଦେଶକୁ ଗର୍ବିତ କରିଛି। ଆପଣଙ୍କ କଠିନ ପରିଶ୍ରମ ତା’ର ଜଲୱା ଦେଖାଇଛି। ମୋ ତରଫରୁ ମନୁଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇ ଦେବେ।

ବ୍ୟକ୍ତିଗତ ଇଭେଣ୍ଟରେ ଆପଣ ବହୁତ ନିକଟରେ ଥିଲେ। କିନ୍ତୁ ଟିମ ଇଭେଣ୍ଟରେ ଗୌରବ ଆଣିଛ। ବାସ୍ତବରେ ବହୁତ ଭଲ କରିଛ। ମନୁଙ୍କ ସହ ଆପଣଙ୍କ ଟିମ ୱାର୍କ ଅତ୍ୟନ୍ତ ଚମତ୍କାର। ଏହା ପଛର ରହସ୍ୟ କ’ଣ?”

ଏହାର ଜବାବରେ ସରବଜୋତ ଧନ୍ୟବାଦ ଜଣାଇବା ସହ ମୋଦିଙ୍କୁ କହିଛନ୍ତି ଯେ “୨୦୧୯ ଠାରୁ ଆମେ ଏକାଠି ଜାତୀୟ, ଜୁନିୟର ବିଶ୍ୱକପ ଓ ଅନ୍ୟ ବିଶ୍ୱକପ ଏକାଠି ଖେଳି ଚାଲିଛୁ। ଆମର ଆଶା ଆସନ୍ତା ଥର ଆମେ ସ୍ୱର୍ଣ୍ଣ ଜିତିବୁ।”

ମୋଦି ପୁଣି କହିଥିଲେ, “ତୁମମାନଙ୍କ ଉପରେ ମୋର ପୂରା ବିଶ୍ୱାସ ରହିଛି। ମନୁଙ୍କୁ ୨୫ ମିଟର ଏୟାର ପିସ୍ତଲ ଇଭେଣ୍ଟ ପାଇଁ ପ୍ରସ୍ତୁତ ହେବାକୁ ପଡ଼ିବ। ପୁଣିଥରେ ଅନେକ ଅନେକ ଶୁଭେଚ୍ଛା।”