ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ

କଟକ,୩ା୭ (କାର୍ତ୍ତିକ ସାହୁ): ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ କୌଣସି ଅସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ପୁରୀ ପୌରସଂସ୍ଥାକୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବା […] The post ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ appeared first on Dharitri Odia News.

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ

କଟକ,୩ା୭ (କାର୍ତ୍ତିକ ସାହୁ): ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ ନାହିଁ। ଏପରିକି ବ୍ୟବସାୟିକ ଉଦ୍ଦେଶ୍ୟରେ କୌଣସି ଅସ୍ଥାୟୀ ନିର୍ମାଣ ପାଇଁ ମଧ୍ୟ ଅନୁମତି ମିଳିବ ନାହିଁ। ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂ ଏବଂ ବିଚାରପତି ସାବିତ୍ରୀ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି କରି ପୁରୀ ପୌରସଂସ୍ଥାକୁ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କଡ଼ାକଡ଼ି ପାଳନ କରିବା ପାଇଁ ମଧ୍ୟ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି।
ମାମଲାର ବିବରଣୀ ଅନୁସାରେ, ରଥଯାତ୍ରାକୁ ଦୃଷ୍ଟିରେ ରଖି ପୁରୀ ପୌରସଂସ୍ଥା ପକ୍ଷରୁ ଅସ୍ଥାୟୀ ଷ୍ଟଲ୍‌ ଖୋଲିବା ଲାଗି ଏକ ଟେଣ୍ଡର ଆହ୍ବାନ କରାଯାଇଥିଲା। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ରଜତ କୁମାର ସାହୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ପୁରୀକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ଜାତୀୟ ରାଜପଥ ଭାବେ ଘୋଷଣା କରାଯାଇଥିବାରୁ ଏହା ପାର୍ଶ୍ୱରେ କୌଣସି ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ଅନୁମତି ଆବଶ୍ୟକ ପଡ଼ିପାରେ। ରାଜପଥ କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୌଣସି ଅସ୍ଥାୟୀ ନିର୍ମାଣ ବା ବ୍ୟବସାୟିକ ଷ୍ଟଲ ଖୋଲାଯାଇପାରିବ ନାହିଁ ବୋଲି ନିୟମ ରହିଥିବା ଆବେଦନକାରୀ ପିଟିଶନ୍‌ରେ ଦର୍ଶାଇଥିଲେ। ତେବେ ମାମଲାରେ ପକ୍ଷ ରଖିବାକୁ ଯାଇ ପୁରୀ ପୌରସଂସ୍ଥା ପକ୍ଷରୁ ମଙ୍ଗଳବାର ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଥିଲା। କୌଣସି ପ୍ରକାର ଅସ୍ଥାୟୀ ଷ୍ଟଲ ବା ନିର୍ମାଣ କରାଯିବ ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା। ହାଇକୋର୍ଟ ଉକ୍ତ ସତ୍ୟପାଠକୁ ଗ୍ରହଣ କରି ଉପରୋକ୍ତ ଆଦେଶ ଦେବା ସହ ମାମଲାର ଅନ୍ତ ଘଟାଇଛନ୍ତି।

The post ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ: ହାଇକୋର୍ଟ appeared first on Dharitri Odia News.