'ବଦଳି ନମାନିଲେ ଦରମା ବନ୍ଦ'; ଗାଦି ମଡ଼ା OAS ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଛାଟ

ବଦଳି ନିର୍ଦ୍ଦେଶ ମାନୁନଥିବା ଓଏଏସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ। ଦରମା ବନ୍ଦ କରି ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।

'ବଦଳି ନମାନିଲେ ଦରମା ବନ୍ଦ'; ଗାଦି ମଡ଼ା OAS ଅଫିସରଙ୍କୁ ରାଜ୍ୟ ସରକାରଙ୍କ ଛାଟ

ଗାଦି ଛାଡୁ ନଥିବା ଓଏଏସ୍ ଅଫିସରକୁ ସରକାରଙ୍କ ଛାଟ। ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ବନ୍ଦ ହେବ ଦରମା। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ। ବଦଳି ନିର୍ଦ୍ଦେଶ ମାନୁନଥିବା ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ ଅଗଷ୍ଟ ୧୭ ଏବଂ ସେପ୍ଟେମ୍ବର ୧୦ରେ ବଦଳି ନିର୍ଦ୍ଦେଶ ବାହାରିଥିଲେ ବି ଆଜି ଯାଏଁ ନିର୍ଦ୍ଦେଶନାମାକୁ ମାନୁ ନାହାନ୍ତି ଓଏଏସ୍ ଅଧିକାରୀ। ଏପର୍ଯ୍ୟନ୍ତ ଏହି ଅଧିକାରୀମାନେ ନୂଆ କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ତେଣୁ ଏଭଳି ଅମାନିଆ ଅଧିକାରୀଙ୍କୁ ସାବାଡ଼ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର। ବଦଳି ନିର୍ଦ୍ଦେଶ ପରେ ନୂଆ କାର୍ଯ୍ୟରେ ଯୋଗ ନଦେଲେ ସିଧା ସଳଖ ଦରମା ବନ୍ଦ କରିଦେବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛି ରାଜସ୍ୱ ବିଭାଗ।

ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ ନିର୍ବାଚନ ପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅନୁମତି ନେଇ ଯେଉଁ ଓଏଏସ୍ ଅଧିକାରୀମାନଙ୍କୁ ବଦଳି କରାଯାଇଛି, ସେମାନଙ୍କୁ ଆମେ ସରକାରଙ୍କ ତରଫରୁ ରିଲିଭ କରି ସାରିଛୁ। ଏବେ ସେମାନଙ୍କୁ ଜିଲ୍ଲାପାଳମାନେ ରିଲିଭ୍ କରିବେ। କିଛି ସ୍ଥାନରେ ଛୋଟ ବଡ଼ କାମ ବାକି ରହିଥିବାରୁ ସେଠାରେ ଜିଲ୍ଲାପାଳମାନେ ଏମାନଙ୍କୁ ରିଲିଭ୍ କରିନାହାନ୍ତି। ଅନ୍ୟ କିଛି ସ୍ଥାନରେ ଓଏଏସ୍ ଅଧିକାରୀମାନେ ବିଭିନ୍ନ ଚାପ ପ୍ରୟୋଗ କରି ପୁଣି ସେହି ସ୍ଥାନରେ ରହିବାକୁ ଉଦ୍ୟମ କରୁଥିବା ଖବର ମୋ ପାଖକୁ ଆସିଛି। ତେବେ ଯେଉଁମାନେ ରିଲିଭ୍ ହେବେ ନାହିଁ, ସେମାନଙ୍କୁ ନିଲମ୍ବିତ ବୋଲି ଧରିନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।