ବଦଳି ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳଙ୍କ ବିରୋଧରେ ମାମଲା କଲେ ପୂଜା ଖେଡକର

ଜିଲ୍ଲାପାଳ ସୁଭାଷ ତାଙ୍କର ବଦଳି ନିର୍ଦ୍ଦେଶ ଦେଇଥିବାରୁ ଆଜି ପୂଜା ତାଙ୍କ ନାଁରେ ନିର୍ଯାତନା ମାମଲା କରିଛନ୍ତି।

ବଦଳି ନିର୍ଦ୍ଦେଶ ଦେଇଥିବା ଜିଲ୍ଲାପାଳଙ୍କ ବିରୋଧରେ ମାମଲା କଲେ ପୂଜା ଖେଡକର

ବିବାଦରେ ଥିବା ଟ୍ରେନ ଆଇଏଏସ୍‌ ପୂଜା ଖେଡକରଙ୍କ ମାମଲାରେ ନୂଆ ଟ୍ୱିଷ୍ଟ ଆସିଛି। ଆଜି ସେ ପୁଣେ ଜିଲ୍ଲାପାଳ ସୁଭାଷ ଡିୱାସେଙ୍କ ନାଁରେ ଓଲଟା ନିର୍ଯାତନା ମାମଲା କରିଛନ୍ତି।

ଡିୱାସେ ହିଁ ପୂଜାଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ ଆଣିଥିଲେ। ସେ ଏକଥା ମହାରାଷ୍ଟ୍ର ସରକାରଙ୍କୁ ଅବଗତ କରାଇବା ପରେ ପୂଜାଙ୍କ ବଦଳି ପୁଣେରୁ ୱାସିମକୁ ହୋଇଥିଲା। ୱାସିମରେ ତାଙ୍କୁ ଅତରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିବାକୁ କୁହାଯାଇଥିଲା।

ଜିଲ୍ଲାପାଳ ସୁଭାଷ ତାଙ୍କର ବଦଳି ନିର୍ଦ୍ଦେଶ ଦେଇଥିବାରୁ ଆଜି ପୂଜା ତାଙ୍କ ନାଁରେ ନିର୍ଯାତନା ମାମଲା କରିଛନ୍ତି। ଆଜି ମଧ୍ୟାହ୍ନରେ ପୂଜା ପୁଲିସ୍‌କୁ ନିଜ ଘରକୁ ଡାକିଥିଲେ। ସେଠାରେ ସେ ୨ ଘଣ୍ଟା ଧରି ଏ ବିଷୟରେ ପୁଲିସ୍‌କୁ କହିବା ସହ ଜିଲ୍ଲାପାଳଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ କରିଥିବା ଜଣାପଡ଼ିଛି।

ଗତ ସପ୍ତାହରେ ଜିଲ୍ଲାପାଳ ସୁଭାଷ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ପୂଜା କରୁଥିବା ଦାବି ସମ୍ପର୍କରେ ଅବଗତ କରାଇଥିଲେ। ୨୦୨୩ ବ୍ୟାଚ୍‌ର ମହାରାଷ୍ଟ୍ର କ୍ୟାଡର ଆଇଏଏସ୍‌ ପୂଜା ଜିଲ୍ଲାପାଳ ଅଫିସରେ ସ୍ୱତନ୍ତ୍ର ସୁବିଧା ଖୋଜୁଥିଲେ। ସେ ଟ୍ରେନି ଆଇଏଏସ୍‌ ଭାବେ ଯୋଗ ଦେଇଥିଲେ ହେଁ ବିଶେଷ ସୁବିଧା ମାଗୁଥିବାରୁ ଏହାକୁ ଜିଲ୍ଲାପାଳ ବିରୋଧ କରିଥିଲେ।

ପୂଜା ନିଜ ପାଇଁ ସ୍ୱତନ୍ତ୍ର କ୍ୟାବିନ ଓ ଗାଡ଼ି ମାଗିଥିଲେ। ପୂଜାଙ୍କୁ ନିଜସ୍ୱ ଚ୍ୟାମ୍ବର ଦିଆଯାଇଥିଲା। କିନ୍ତୁ ସେଠାରେ ଆଟାଚ ବାଥରୁମ ନଥିବାରୁ ସେ ଏହାକୁ ଗ୍ରହଣ କରି ନଥିଲେ। ଏଥିସହ ସେ ନିଜର ଅଡି କାରରେ ମହାରାଷ୍ଟ୍ର ସରକାରଙ୍କ ଲୋଗୋ ମଧ୍ୟ ଲଗାଇଥିଲେ। ପୂଜା କ୍ଷମତାରୁ ଅପବ୍ୟବହାର କରୁଥିବା ଜିଲ୍ଲାପାଳ କହିବା ପରେ ତାଙ୍କର ବଦଳି ୱାସିମକୁ ହୋଇଥିଲା।

କ୍ଷମତା ଅପବ୍ୟବହାର ଅଭିଯୋଗ ମଧ୍ୟରେ UPSC ପରୀକ୍ଷା ପାସ୍‌ କରିବା ପାଇଁ ସେ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ରର ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ଆସିଛି। ଦିନକୁ ଦିନ ଏହାକୁ ନେଇ ବିବାଦ ବଢ଼ୁଥିବାରୁ ପୂଜାଙ୍କ ଟ୍ରେନିଂକୁ ସ୍ଥଗିତ କରି ଦିଆଯାଇଛି।

ଏଥିସହ ତାଙ୍କୁ ମସୌରୀରେ ଥିବା ଲାଲ ବାହାଦୂର ଶାସ୍ତ୍ରୀ ନ୍ୟାଶନାଲ ଏକାଡେମୀ ଅଫ ଆଡମିନଷ୍ଟ୍ରେସନକୁ ଫେରି ଆସିବାକୁ କୁହାଯାଇଛି। ଆସିଥିବା ଅଭିଯୋଗର ତଦନ୍ତ ସରିବା ପରେ ତାଙ୍କର ଟ୍ରେନିଂ ପୁଣି ଆରମ୍ଭ ହେବ। ତାଙ୍କୁ ଜୁଲାଇ ୨୩ ସୁଦ୍ଧା ଏକାଡେମୀକୁ ଆସିବାକୁ କୁହାଯାଇଛି।