ବଦଳିଲା କାନାଡାର ସ୍ୱର; ମୋଦିଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ କଲା ଖଣ୍ଡନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ୍ଜାର ହତ୍ୟା ଷଡ଼ଯନ୍ତ୍ର ବାବଦରେ ଜାଣିଥିବା ଅଭିଯୋଗ କରିଥିଲା କାନାଡା ମିଡିଆ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛି କାନାଡା। କାନାଡାରେ ହରଦୀପ ସିଂହ ନିଜ୍ଜାର ହତ୍ୟା ସହ ଏକାଧିକ ଅପରାଧିକ କାର୍ଯ୍ୟକଳାପ ସହ ମୋଦି, ଜୟଶଙ୍କର ଏବଂ ଡୋଭାଲଙ୍କ ଲିଙ୍କ୍ ଥିବା ଅଭିଯୋଗ ଆଣିଥିଲା ଜଷ୍ଟିନ ଟ୍ରୁଡୋଙ୍କ ସରକାର। ବର୍ତ୍ତମାନ ଟ୍ରୁଡୋଙ୍କ ସରକାର ଏସବୁ ଅଭିଯୋଗକୁ ନିଜେ ଖଣ୍ଡନ କରିଛି।
ଜଷ୍ଟିନ ଟ୍ରୁଡୋଙ୍କ ଜାତୀୟ ସୁରକ୍ଷା ତଥା ଗୁପ୍ତଚର ପରାମର୍ଶଦାତା ନାଥାଲି ଜି ଡ୍ରୋଇନ୍ ଏକ ବିବୃତ୍ତିରେ କହିଛନ୍ତି ଯେ, କାନାଡା ମିଡିଆ ହାଉସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ବିରୁଦ୍ଧରେ ଆଣିଥିବା ଅଭିଯୋଗ ଉପରେ ସରକାରଙ୍କ ପାଖରେ ସେପରି କୌଣସି ପ୍ରମାଣ ନାହିଁ।
ପ୍ରକାଶ ଥାଉକି, ନିକଟରେ କାନାଡାର ଗ୍ଲୋବ ଏବଂ ମେଲ ଖବରକାଗଜ ଏକ ରିପୋର୍ଟରେ କାନାଡାର ଅଧିକାରୀଙ୍କୁ ଉଲ୍ଲେଖ କରି କହିଥିଲା ଯେ, ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜାର ହତ୍ୟା ଷଡଯନ୍ତ୍ର ବାବଦରେ ଭାରତ ପୂର୍ବରୁ ଜାଣିଥିଲା। ଏହି ଷଡଯନ୍ତ୍ରରେ ଭାରତୀୟ ଜାତୀୟ ସୁରକ୍ଷା ପରାମର୍ଶଦାତା ଏବଂ ବୈଦେଶିକ ମନ୍ତ୍ରୀ ମଧ୍ୟ ଜଡିତ ଅଛନ୍ତି। ଏପରିକି କାନାଡାରେ ଘଟୁଥିବା ଅନ୍ୟ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟାଳପ ସହ ମଧ୍ୟ ଏମାନଙ୍କର ଲିଙ୍କ୍ ରହିଛି।
କିନ୍ତୁ ଟ୍ରୁଡୋ ସରକାର ବର୍ତ୍ତମାନ ଏହି ଖବରକୁ ଖଣ୍ଡନ କରିବା ସହ ମିଡିଆ ହାଉସର ରିପୋର୍ଟଠାରୁ ନିଜକୁ ଦୂରେଇ ରଖିଛନ୍ତି। କାନାଡା ମିଡିଆ ହାଉସ୍ ଆଣିଥିବା ଅଭିଯୋଗ ଉପରେ ସରକାରଙ୍କ ପାଖରେ କୌଣସି ପ୍ରମାଣ ନାହିଁ ବୋଲି କାନାଡା ସରକାର କହିଛନ୍ତି।
ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂହ ନିଜ୍ଜାର ହତ୍ୟା ପରଠାରୁ ଭାରତ ଓ କାନାଡା ସମ୍ପର୍କରେ ତିକ୍ତତା ଲାଗି ରହିଛି। ନିଜ୍ଜାର ହତ୍ୟା ମାମଲାରେ ଭାରତର ହାତ ଥିବା ଅଭିଯୋଗ ଆଣିଥିଲେ ଜଷ୍ଟିନ ଟ୍ରୁଡୋ। କିନ୍ତୁ ଭାରତ ସରକାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ପ୍ରମାଣ ମାଗିଥିଲେ। କିନ୍ତୁ କାନାଡା କୌଣସି ପ୍ରମାଣ ଦେଇ ପାରିନଥିଲା। ଏପରିକି କାନାଡା ଆଣିଥିବା ଅଭିଯୋଗ ସାମାନ୍ୟ ସୂଚନା ଉପରେ ଆଧାରିତ, ସେପରି କୌଣସି ଠୋସ୍ ପ୍ରମାଣ ନାହିଁ ବୋଲି କାନାଡା ସରକାର କହିଥିଲେ।