ବଦଳିଲା ନଗଡ଼ାର ଚିତ୍ର, ଛାଡ଼ିଲାନି ବିବାଦ; ପୁଣି ଜଣେ ଅପପୁଷ୍ଟିର ଶିକାର!

ସରକାରୀ ଗାଡ଼ି ଚଲାଇଲେ। ନଗଡ଼ାବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ଏହାଛଡ଼ା ନାନା ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଥିଲେ ରାଜ୍ୟ ସରକାର। ଯେଉଁଥିପାଇଁ ବଦଳିଥିଲା ନଗଡ଼ାର ଚିତ୍ର। ହେଲେ ଏତେ ସବୁ ପରେ ମଧ୍ୟ ନଗଡ଼ାର ପିଛା ଛାଡ଼ିଲାନି ଅପପୃଷ୍ଟି!

ବଦଳିଲା ନଗଡ଼ାର ଚିତ୍ର, ଛାଡ଼ିଲାନି ବିବାଦ; ପୁଣି ଜଣେ ଅପପୁଷ୍ଟିର ଶିକାର!

ଅପପୁଷ୍ଟିକୁ ନେଇ ଚର୍ଚ୍ଚାରେ ଥିଲା ଯାଜପୁରର ନଗଡ଼ା। ବହୁ ସମାଲୋଚନା ପରେ ରାଜ୍ୟ ସରକାର ନଗଡ଼ାର ବିକାଶ ପାଇଁ ଲାଗି ପଡ଼ିଥିଲେ। ପାହାଡ଼ ଚିରି ରାସ୍ତା ତିଆରି କରିଥିଲେ। ସରକାରୀ ଗାଡ଼ି ଚଲାଇଲେ। ନଗଡ଼ାବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିଲେ। ଏହାଛଡ଼ା ନାନା ଉନ୍ନତି ମୂଳକ କାର୍ଯ୍ୟ ହାତକୁ ନେଇଥିଲେ ରାଜ୍ୟ ସରକାର। ଯେଉଁଥିପାଇଁ ବଦଳିଥିଲା ନଗଡ଼ାର ଚିତ୍ର। ହେଲେ ଏତେ ସବୁ ପରେ ମଧ୍ୟ ନଗଡ଼ାର ପିଛା ଛାଡ଼ିଲାନି ଅପପୃଷ୍ଟି! ଆଉ ଜଣେ ପିଲା ଅପପୁଷ୍ଟିରେ ଶିକାର ହୋଇଥିବା ଚର୍ଚ୍ଚା ହେଉଛି।

ନିକଟରେ ନଗଡାରେ ଜଣେ ଗର୍ଭବତି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସା ପରେ ମହିଳା ଜଣକ ପ୍ରସବ କରିଥିଲେ। ହେଲେ ଶିଶୁର ଓଜନ ଓ ସ୍ୱାସ୍ଥ୍ୟାବସ୍ଥା ସ୍ଵାଭାବିକ ନଥିଲା। ତେଣୁ ଡାକ୍ତରଖାନାରେ ରହି ଚିକିତ୍ସା ହେବାକୁ ଡାକ୍ତର କହିଥିଲେ। ମାତ୍ର ମହିଳା ଜଣକ ଶିଶୁକୁ ଧରି ଘରକୁ ପଳାଇ ଯାଇଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଶିଶୁର ଚିକିତ୍ସା ପାଇଁ ପୁନର୍ବାର ମେଡିକାଲ ଆଣିବାକୁ ଚେଷ୍ଟା କରାଯାଇଥିଲା। ହେଲେ ମେଡ଼ିକାଲ୍‌ ଆସିବାକୁ ମହିଳା ଜଣକ ରାଜି ହେଉଥିବା ଜଣାପଡ଼ିଛି।

ସେପଟେ ଶିଶୁଟି ଅପପୁଷ୍ଟିରେ ଶିକାର ହୋଇଥିବା ଘଟଣାକୁ ଅସ୍ୱୀକାର କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସଧିକାରୀ ଶିବାଶିଷ ମହାରଣା। ସେ କହିଛନ୍ତି, ତଳ ନଗଡ଼ାରେ ୩ ଜଣ ପିଲାଙ୍କର ଶ୍ୱାସଜନିତ ରୋଗ ଥିବା ଦୁଇ ଦିନ ତଳେ ରିପୋର୍ଟ ଆସିଥିଲା। ତେଣୁ ସେମାନଙ୍କୁ ମେଡ଼ିକାଲ୍‌ ଆଣିବା ପାଇଁ ଆଶା ଦିଦି ଯାଇଥିଲେ। ସେମାନେ ଆସିବା ପରିବର୍ତ୍ତେ ଆଶା ଦିଦିଙ୍କୁ ଆକ୍ରମଣ କରିଥିଲେ। ତା’ପରେ ପୁଲିସ୍‌ ସହ ଯାଇ ମେଡ଼ିକାଲ୍‌ ଟିମ୍‌ ଦୁଇ ଜଣ ଶିଶୁଙ୍କୁ ଉଦ୍ଧାର କରି ଆଣି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତେବେ ଜଣେ ପିଲାକୁ ତା’ ବାପା ଛାଡ଼ି ନଥିଲେ। ଏପରିକି ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ମେଡ଼ିକାଲ୍‌ ଟିମ୍‌କୁ ଦେଇନଥିଲେ। ତେଣୁ ଅପପୁଷ୍ଟି ନେଇ ସ୍ପଷ୍ଟ ଭାବେ କିଛି କହିହେବ ନାହିଁ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି।

ରିପୋର୍ଟ- ଯାଜପୁରରୁ ଜନ୍ମେଜୟ ଦାଶ