ବଦଳିଲା ସ୍କୁଲ୍‌ ଖୋଲିବା ନିଷ୍ପତ୍ତି

ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ।

ବଦଳିଲା ସ୍କୁଲ୍‌ ଖୋଲିବା ନିଷ୍ପତ୍ତି

ପାଗ ବିଗୁଡୁଥିବାରୁ ସମଗ୍ର ରାଜ୍ୟରେ ଆସନ୍ତାକାଲି ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର। ସ୍କୁଲ୍‌ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ଛାଡ଼ିଛନ୍ତି। ପାଣିପାଗର ସ୍ଥିତି ଦେଖି ଜିଲ୍ଲାପାଳମାନେ ସ୍କୁଲ୍‌ ଖୋଲିପାରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଓ ଲୋକ ସମ୍ପର୍କ ବିଭାଗ ‘X’ରେ ଜଣାଇଛି ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ପ୍ରଥମରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବେ। ଯଦି ପାଣିପାଗ ଅନୁକୂଳ ରହିବ, ତାହାହେଲେ ସକାଳ ସାଢ଼େ ଟାରୁ ସାଢ଼େ ୧୦ ଟା ପର୍ଯ୍ୟନ୍ତ ସ୍କୁଲ୍‌ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଆଗାମୀ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ।

ସୂଚନାରୁ ପ୍ରକାଶ, ଆସନ୍ତାକାଲି ସମଗ୍ର ରାଜ୍ୟରେ ସ୍କୁଲ ଖୋଲିବା ପାଇଁ ପୂର୍ବରୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ସେଥିପାଇଁ ପ୍ରାକ୍‌ ପ୍ରସ୍ତୁତି କରାଯାଇଥିଲା। ହେଲେ ପାଣିପାଗ ବିଭାଗ ଜାରି କରିଥିବା ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳି ବୁଲେଟିନ୍‌କୁ ନେଇ ଚିନ୍ତାରେ ପଡ଼ି ଯାଇଛି ସ୍କୁଲ ଓ ଗଣ ଶିକ୍ଷାବିଭାଗ। ଶେଷରେ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ବଦଳାଇଛନ୍ତି। ପାଣିପାଗ ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ ଜିଲ୍ଲାପାଳମାନଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।