ବର୍ଷା ଧୋଇନେଲା ବର୍ଷକର ଦାନା

ଭୁବନେଶ୍ୱର,୨୨ା୧୨(ଅନିଲ ଦାସ): ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ଧାନ ଫସଲକୁ ଏକ ପ୍ରକାର ଧୋଇନେଇଛି। ପାଣିରେ ଲୋଟୁଛି ପାଚିଲା ଧାନ। ଯଦିଓ ଶନିବାର ଅପରାହ୍ନରୁ ବର୍ଷା ହ୍ରାସ ପାଇଛି ତେବେ ବିଲରେ ପାଣି ଛିଡ଼ା ହୋଇଛି। ପାଣି ଖଲାସ କରିବାକୁ ନେଇ ଚାଷୀ ନାକେଦମ ହେଲେଣି। କ୍ଷେତରୁ ପାଣି ଶୀଘ୍ର ନ ଛାଡ଼ିଲେ ଧାନ ଗଜା ହୋଇଯିବା ଆଶଙ୍କା ଦେଖାଦେଇଛି। ଏଭଳିସ୍ଥଳେ ଦକ୍ଷିଣ ଓଡ଼ିଶା ଉପକୂଳରେ ପୁଣି ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି […] The post ବର୍ଷା ଧୋଇନେଲା ବର୍ଷକର ଦାନା appeared first on Dharitri Odia News.

ବର୍ଷା ଧୋଇନେଲା ବର୍ଷକର ଦାନା

ଭୁବନେଶ୍ୱର,୨୨ା୧୨(ଅନିଲ ଦାସ): ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ଧାନ ଫସଲକୁ ଏକ ପ୍ରକାର ଧୋଇନେଇଛି। ପାଣିରେ ଲୋଟୁଛି ପାଚିଲା ଧାନ। ଯଦିଓ ଶନିବାର ଅପରାହ୍ନରୁ ବର୍ଷା ହ୍ରାସ ପାଇଛି ତେବେ ବିଲରେ ପାଣି ଛିଡ଼ା ହୋଇଛି। ପାଣି ଖଲାସ କରିବାକୁ ନେଇ ଚାଷୀ ନାକେଦମ ହେଲେଣି। କ୍ଷେତରୁ ପାଣି ଶୀଘ୍ର ନ ଛାଡ଼ିଲେ ଧାନ ଗଜା ହୋଇଯିବା ଆଶଙ୍କା ଦେଖାଦେଇଛି। ଏଭଳିସ୍ଥଳେ ଦକ୍ଷିଣ ଓଡ଼ିଶା ଉପକୂଳରେ ପୁଣି ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୩ ତାରିଖରୁ କେନ୍ଦୁଝର, ଯାଜପୁର, ମୟୂରଭଞ୍ଜ ଜିଲାରେ ବର୍ଷା ହୋଇପାରେ। ତେଣୁ ଧାନ ଅମଳ ହେବ କି ନାହିଁ ଚାଷୀଙ୍କୁ ସେଇ ଚିନ୍ତା ଘାରିଛି।
ଗତ ଦୁଇଦିନ ହେବ ଉପକୂଳରୁ ଆଭ୍ୟନ୍ତରୀଣ ସବୁଠି ବର୍ଷାର ପ୍ରକୋପ ଦେଖିବାକୁ ମିଳିଛି। କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା ପରିବେଶକୁ କାଲୁଆ କରି ଦେଇଛି। ବର୍ଷା ଯୋଗୁ ଧାନ ସହ ରବି ଫସଲ ବିରି, ମୁଗ, କୋଳଥ, ଆଳୁ, ପନିପରିବା ଚାଷ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ମେଘୁଆ ପାଗ ଯୋଗୁ ଦିନର ତାପମାତ୍ରା ୪ରୁ ୫ ଡିଗ୍ରୀ ସେଲସିୟସ ହ୍ରାସ ପାଇଛି। ଶୀତ ଓ ବର୍ଷାରେ ଜନଜୀବନ ପ୍ରଭାବିତ ହୋଇଛି। ରାଜ୍ୟର ବିଭିନ୍ନ ଜିଲାରେ ଅଧିକାଂଶ ମଣ୍ଡିରେ ଅମଳ ଧାନ ଖୋଲା ଆକାଶ ତଳେ ଥିବାରୁ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ରାଜ୍ୟରେ ସବୁଠୁ ଅଧିକ ବର୍ଷା ନୟାଗଡ଼ ଜିଲା ରଣପୁରରେ ହୋଇଛି। ଏଠାରେ ୧୦୮.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ଖୋର୍ଦ୍ଧାର ବେଗୁନିଆରେ ୮୪ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଜଟଣୀରେ ୭୫, ପୁରୀର ପିପିଲିରେ ୭୫, ଜଗତ୍‌ସିଂହପୁରର ନୂଆଗାଁରେ ୭୩, ଖୋର୍ଦ୍ଧାର ବାଣପୁରରେ ୭୦, ଗଞ୍ଜାମର ବେଲଗୁଣ୍ଠାରେ ୬୯.୨, ପୁରୀର କୃଷ୍ଣପ୍ରସାଦରେ ୬୭ ଓ ଗୋପରେ ୬୬, ଖୋର୍ଦ୍ଧାର ଟାଙ୍ଗୀରେ ୬୨, ଜଗତ୍‌ସିଂହପୁରରେ ୬୧.୨ ଓ ପାରାଦୀପରେ ୬୧.୧ ମିମି ବର୍ଷା ରେକର୍ଡ କରାଯାଇଛି।
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପୂର୍ବ ଉତ୍ତର ପୂର୍ବଦିଗ ଦେଇ ଗତିକରି ଦୁର୍ବଳ ହୋଇଯିବାର ସମ୍ଭାବନା ରହିଛି। ତେବେ ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ସୁନ୍ଦରଗଡ଼ ଆଦି ଜିଲାର କିଛି ସ୍ଥାନରେ ହାଲ୍‌କା ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହିତ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲାରେ ପାଗ ମୁଖ୍ୟତଃ ମେଘୁଆ ରହିବା ସହିତ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି।
ଅନ୍ୟପକ୍ଷରେ ଆସନ୍ତା ୪୮ ଘଣ୍ଟା ଯାଏ ରାଜ୍ୟରେ ପ୍ରବଳ କୁହୁଡ଼ି ହୋଇପାରେ। ବିଶେଷକରି କେନ୍ଦୁଝର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଓ କୋରାପୁଟ ଜିଲାର କିଛି କିଛି ସ୍ଥାନରେ ଘନ କୁହୁଡ଼ି ହେବ। ଏହି ଜିଲାଗୁଡ଼ିକ ପାଇଁ ଏଲୋ ୱାର୍ନିଂ ଜାରି କରାଯାଇଛି। ଏହି ସବୁ ଜିଲାଗୁଡ଼ିକରେ ଘନ କୁହୁଡ଼ି ହେବାକୁ ଥିବାରୁ ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ପୋଲିସ ଓ ପରିବହନ ବିଭାଗ ଅଧିକାରୀମାନଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

The post ବର୍ଷା ଧୋଇନେଲା ବର୍ଷକର ଦାନା appeared first on Dharitri Odia News.