ବାଘ ଆତଙ୍କ; ସନ୍ଧ୍ୟା ହେଲେ ଘରୁ ବାହାରୁ ନାହାନ୍ତି ଲୋକେ
ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି।
ଗଜପତି ଜିଲ୍ଲା ଦିଗପହଣ୍ଡି ବ୍ଳକ ଖମାରୀ ଗାଁରେ ମହାବଳ ଆତଙ୍କ। ବାଘ ଆତଙ୍କରେ ଛାନିଆ ହୋଇପଡ଼ିଛନ୍ତି ଅଞ୍ଚଳବାସୀ। ଏପରିକି ଘରୁ ପଦାକୁ ଗୋଡ଼ କାଢ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି। ପଦ୍ମପୁର ଗାଁରେ ଗୋଟିଏ ଗାଈକୁ ମହାବଳ ମାରି ଖାଇଦେଇଥିବା ଅଭିଯୋଗ ହୋଇଛି।
ଦିଗପହଣ୍ଡି ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବାଘର ପାଦ ଚିହ୍ନ ଠାବ କରିଛନ୍ତି। ବନବିଭାଗ ପକ୍ଷରୁ ୩ ଟିମ୍ ଗଠନ କରାଯାଇ ବାଘର ଗତିପଥକୁ ଅନୁଧ୍ୟାନ ନିମନ୍ତେ ବିଭିନ୍ନ ସ୍ଥାନରେ ଟ୍ରାପ କ୍ୟାମେରା ଲଗାଇବା ସହ ବନ କର୍ମଚାରୀ ମାନଙ୍କୁ ସେଠାରେ ମୁତୟନ କରାଯାଇଥିବା ଦିଗପହଣ୍ଡି ରେଞ୍ଜର ଦିବ୍ୟରଞ୍ଜନ ସାହୁ କହିଛନ୍ତି।
ସଂଗୃହିତ ପାଦ ଚିହ୍ନ ମହାବଳ ବାଘର। ତେଣୁ ବନବିଭାଗ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ଥିବା ଗ୍ରାମବାସୀଙ୍କୁ ସଂଧ୍ୟାରେ ଘରୁ ନ ବାହାରିବା ପାଇଁ ବ୍ୟାପକ ସଚେତନତା କରାଯାଇଛି ବୋଲି ରେଞ୍ଜର କହିଛନ୍ତି।