ବାଘ ସହ ସେଲଫି ନେଉଥିଲେ ଯୁବକ, କିନ୍ତୁ... ଦେଖନ୍ତୁ ଭିଡିଓ

ସାମ୍ନାକୁ ଆସିଥିବା ୨୫ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ବାଘ ବେକରେ ବନ୍ଧା ଯାଇଥିବା ଚେନକୁ ଧରି ତା’ ସହ ଚାଲି ଚାଲି ଯାଉଛନ୍ତି।

ବାଘ ସହ ସେଲଫି ନେଉଥିଲେ ଯୁବକ, କିନ୍ତୁ... ଦେଖନ୍ତୁ ଭିଡିଓ

ବାଘ ସହ ସେଲଫି ନେବା ଜଣେ ଭାରତୀୟ ପର୍ଯ୍ୟଟକଙ୍କୁ ମହଙ୍ଗା ପଡ଼ିଛି। ସେ ଥାଇଲ୍ୟାଣ୍ଡର ଫୁକେଟରେ ବୁଲିବା ସହ ସେଠାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ତାଲିମପ୍ରାପ୍ତ ବାଘ ସହ କିଛି ସମୟ କାଟିଥିଲେ। ବାଘ ସହ ବୁଲିବା ବେଳେ ସେ ତା’ ସହ ସେଲଫି ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ଏତିକି ବେଳେ ବାଘଟି ତାଙ୍କୁ ଭୟଙ୍କର ଢଙ୍ଗରେ ଆକ୍ରମଣ କରିଛି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ସାମ୍ନାକୁ ଆସିଥିବା ୨୫ ସେକେଣ୍ଡର ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ବ୍ୟକ୍ତି ବାଘ ବେକରେ ବନ୍ଧା ଯାଇଥିବା ଚେନକୁ ଧରି ତା’ ସହ ଚାଲି ଚାଲି ଯାଉଛନ୍ତି। କିଛି ସେକେଣ୍ଡ ପରେ ସେ ବାଘ ସହ ସେଲଫି ନେବାକୁ ଚାହିଁଥିଲେ। ବାଘ ସହ ତା’ର ଟ୍ରେନର ମଧ୍ୟ ହାତରେ ବାଡ଼ି ଧରି ରହିଥିଲେ। ଭାରତୀୟ ପର୍ଯ୍ୟଟକ ଜଣଙ୍କ ସେଲଫି ନେବାକୁ ଚାହିଁବାରୁ ଟ୍ରେନର ଜଣଙ୍କ ବାଘକୁ ଆଣ୍ଠେଇବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ବାଘ ଆଣ୍ଠେଇବା ବଦଳରେ ସେଲଫି ପାଇଁ ଚେଷ୍ଟା କରୁଥିବା ଯୁବକଙ୍କୁ ଆକ୍ରମଣ କରିଥିଲା। ବାଘ ଆକ୍ରମଣରେ ଯୁବକ ଜଣଙ୍କ ଚିତ୍କାର କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।

ତେବେ ବାଘ ଆକ୍ରମଣ କରିଥିଲେ ହେଁ ଯୁବକ ଜଣଙ୍କ ପ୍ରାଣ ହରାଇ ନାହାନ୍ତି। ଟ୍ରେନର ଘଟଣା ସ୍ଥଳରେ ଉପସ୍ଥିତ ଥିବାରୁ ତାଙ୍କ ଜୀବନ ଅଳ୍ପକେ ରକ୍ଷା ପାଇ ଯାଇଛି। କିନ୍ତୁ ସେ ଗୁରୁତର ଆହତ ହୋଇଛନ୍ତି।

ସୋଶାଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ଏହାକୁ ନେଇ ଅନେକ ଚିନ୍ତା ପ୍ରକଟ କରିଛନ୍ତି। ପର୍ଯ୍ୟଟକଙ୍କ ପାଇଁ ଉକ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରାଯିବା ଦରକାର ବୋଲି କିଛି ଲୋକ ମତ ରଖିଛନ୍ତି। ସେହିପରି ଆଉ କିଛି ଲୋକ ଏପରି ବିପଦପୂର୍ଣ୍ଣ ସେଲଫି ନେବାରୁ ପର୍ଯ୍ୟଟକମାନେ ଦୂରେଇ ରହିବା ଦରକାର ବୋଲି କହିଛନ୍ତି।