ବାଟ ହୁଡ଼ିଛି ବସୁଧା ସ୍କିମ୍; ସୂଚନା ଫଳକରେ ଡିଣ୍ଡିମ, ଦୂଷିତ ପାଣି ବ୍ୟବହାର କରୁଛନ୍ତି ଲୋକେ...

ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ ।

ବାଟ ହୁଡ଼ିଛି ବସୁଧା ସ୍କିମ୍; ସୂଚନା ଫଳକରେ ଡିଣ୍ଡିମ, ଦୂଷିତ ପାଣି ବ୍ୟବହାର କରୁଛନ୍ତି ଲୋକେ...

ଖରାଦିନ ଓ ଜଳକଷ୍ଟ । ଆମ ରାଜ୍ୟରେ ମୁଦ୍ରାର ଦୁଇ ପାର୍ଶ୍ବ ଭଳି । ଲୋକେ ପାଣି ମୁନ୍ଦେ ପାଇଁ ଯେତିକି ଦହଗଞ୍ଜ ହେଉନାହାନ୍ତି, ସରକାର ବସୁଧା ଯୋଜନାର ଡିଣ୍ଡିମ ପିଟି ଭଣ୍ଡେଇବାର କଷ୍ଟ ତାଠୁ ଢେର ଗୁଣରେ ବଳି ଯାଉଛି। ତେଣୁ ସବୁଠି ନିର୍ବାଚନ ବେଳେ ଗାଁ ଲୋକଙ୍କର ସେଇ ଗୋଟିଏ ନାରା ପାଣି ନାହିଁ ତ ଭୋଟ୍ ନାହିଁ । ଉପକୂଳରୁ ଉପାନ୍ତ ସବୁଠି କିଭଳି ଫେଲ୍ ମାରିଛି ବସୁଧା ସ୍କିମ୍  ।

ଗାଁ ମୁଣ୍ଡରେ ଚକାଚକ୍ ଗେଟ୍ । ନୂଆ ପାଣି ଟାଙ୍କି ବି ବସିଛି । ତାସାଙ୍ଗକୁ କାନ୍ଥରେ ବସୁଧା ଯୋଜନାର ଡିଣ୍ଡିମ ପିଟା ବିଜ୍ଞାପନ ହେଲେ ଗାଁ ଭିତରେ ନାହିଁ ପାନୀୟ ଜଳ ଯୋଗାଣ । ଷ୍ଟାଣ୍ଡ ପୋଷ୍ଟ କଳଙ୍କି ଲାଗି ଗଲାଣି । ଜଳଯୋଗାଣ କେନ୍ଦ୍ରକୁ ସଂଯୋଗ ହୋଇଥିବା ବିଦ୍ୟୁତ୍ ଟ୍ରାନସଫର୍ମରରେ ଗଛଲତା ମାଡ଼ି ଗଲାଣି । ଖରା ଆରମ୍ଭରୁ ଶୁଖିଲା ପୋଖରୀରେ ଛୋଟ ଛୋଟ ଚୁଆ ଖୋଳି ମହିଳାମାନେ ଦିନ ତମାମ ପାଣି ସଂଗ୍ରହ କରୁଛନ୍ତି ।ଗାଁରେ ଯେଉଁ ଗୋଟିଏ ନଳକୂଅ ଅଛି, ସେଠି ରାତି ଅଧରୁ ଗରା ମାଠିଆ ଧାଡ଼ିରେ ରଖି ମହିଳାଙ୍କର ଲାଗୁଛି ଲମ୍ବା ଲାଇନ୍। ତେଣୁ ଗଂଜାମ ଜିଲ୍ଲା ଗାୟାଗଣ୍ଡା ଗାଁରେ ବସୁଧା ଯୋଜନାରେ ୧୦ଲକ୍ଷ ଟଙ୍କାରେ ନିର୍ମିତ ଜଳ ଯୋଗାଣ ପ୍ରକଳ୍ପ ପୁରା ଫେଲ୍ ମାରିଛି ।

ଏପଟେ ଖରା ଦିନ ଆରମ୍ଭରୁ ଜଳ ସଙ୍କଟ ସ୍ଥିତି ଅତି ଉଦବେଗଜନକ କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଚଣ୍ଡିଆପଲ୍ଲୀ ଗାଁରେ । ୨ଶହ ଲୋକଙ୍କ ପାଇଁ ପାଇପ୍ ପଡ଼ିଛି, ହେଲେ ପାଣି କେମିତି ଆସୁଛି ତାହା ନକହିବା ଭଲ । ବାଲଟିଏ ପାଣି ଭରିବାକୁ ଅଧଘଣ୍ଟା ଲାଗୁଛି । ଫଳରେ ମହିଳାମାନେ ବାଧ୍ୟ ହୋଇ କୁମ୍ଭୀର ଭୟ ସତ୍ତ୍ବେ ଗାଁ ପାଖ ନଇରୁ ମଇଳା ପାଣି ଆଣି ବ୍ୟବହାର କରୁଛନ୍ତି । ବହୁ ହାରି ଗୁହାରି ପରେ ଗାଁରେ ପଞ୍ଚାୟତ ପକ୍ଷରୁ ନଳକୂଅଟି ବସିଥିଲା, ହେଲେ ସେଥିରୁ ସୁଧୁ ଲୁଣା ପାଣି ବାହାରୁଛି । ଏଭଳି ସ୍ଥିତିରେ ଚଣ୍ଡିଆପଲ୍ଲୀ ଗାଁରୁ ଜଳକଷ୍ଟ କେବେ ଦୂର ହେବ ବୋଲି ସ୍ଥାନୀୟ ଗ୍ରାମ୍ୟ ଜଳଯୋଗାଣ ବିଭାଗର ୟନ୍ତ୍ରୀଙ୍କୁ ପଚାରିବାରେ ସେ କିନ୍ତୁ କ୍ୟାମେରା ଆଗରେ ପଦୁଟିଏ ବି କହିନଥିଲେ । ତେଣେ ଗୁରୁତର ଜଳ କଷ୍ଟରେ ଦହଗଞ୍ଜ ଚଣ୍ଡିଆପଲ୍ଲୀ ଗ୍ରାମବାସୀଙ୍କର ଗୋଟିଏ ଜିଦ୍- ପାଣି ନାହିଁ ତ ଏଥର ଭୋଟ୍ ନାହି।

ସେମିତି ରାୟଗଡ଼ା ଜିଲ୍ଲା ସୀମାନ୍ତ ପଦ୍ମପୁର ବ୍ଲକର ପରିମା ଗାଁ । ପାହାଡ଼ ଘେରା ଏ ଗାଁର ୭୦ରୁ ଅଧିକ ପରିବାର ପାଣି ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି । ବସୁଧା ଯୋଜନା ଏଠି କେବଳ ଫଳକରେ ସୀମୀତ ଥିବା ସ୍ମଷ୍ଟ ଜଣାପଡୁଛି। ସରକାର ନଶୁଣିବାରୁ ଶେଷରେ ଗାଁର ଯୁବକମାନେ ଏକାଠି ହୋଇ ପାହାଡ଼ ଉପରୁ ପାଇପ୍ ଯୋଗେ ଝରଣା ପାଣି ଆଣିବାକୁ ଉଦ୍ୟମ କରି ସାମାନ୍ୟ ସଫଳ ହୋଇଛନ୍ତି ସତ ହେଲେ ଏହା ଲୋକଙ୍କ ପାଇଁ ସମୁଦ୍ରକୁ ଶଙ୍ଖେ । ଗାଁରେ ତିନିଟି ନଳକୂଅ ଅଛି, ହେଲେ ଦୀର୍ଘଦିନ ହେଲା ଦୁଇଟି ଅଚଳ, ସଜାଡ଼ିବାକୁ ପ୍ରଶାସନର ଆଦୌ ଯେମିତି ଆଗ୍ରହ ନାହିଁ । ଏଣେ ସ୍ଥନୀୟ ଗ୍ରାମ୍ୟ ଜଳଯୋଗାଣ ଅଧିକାରୀଙ୍କ ଘିସାପିଟା ଉତ୍ତର ଶୀଘ୍ର ନୂଆ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରି ଗାଁରୁ ୨୪ ଘଣ୍ଟିଆ ପାଣି ଦେବୁ । ହେଲେ ମିଛ ପ୍ରତିଶ୍ରୁତି ଶୁଣି ଶୁଣି ବିରକ୍ତ ପରିମା ଗାଁ ଲୋକଙ୍କ ଧମକ, ପାଣି ଦେଲେ ଭୋଟ୍ ଦେବୁ ।

ଦେଖିବାର କଥା ଉପାନ୍ତରୁ ଉପକୂଳ ଯାଏଁ ଖରାଦିନେ ଜଳକଷ୍ଟରେ ଛଟପଟ ଲୋକଙ୍କୁ ଜଳଯୋଗାଣ ଭଳି ମୌଳିକ ସୁବିଧା ଯୋଗାଇବାକୁ ସରକାରଙ୍କୁ ଆଉ କେତେ ବର୍ଷ ଲାଗୁଛି ।