ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ; ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୫ା୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କାଲି ମଧ୍ୟ ରାତ୍ରରୁ ଆଜି ସକାଳ ୭ଟା ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ହୋଇଛି। ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ […] The post ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ; ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ- ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଭୁବନେଶ୍ୱର,୨୫ା୧୦: ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ସକାଳୁ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ଯ୍ୟାଳୟକୁ ଯାଇ ପରିସ୍ଥିତିର ସମୀକ୍ଷା କରିବା ସହିତ ଓ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସମୀକ୍ଷା ପରେ ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ କାଲି ମଧ୍ୟ ରାତ୍ରରୁ ଆଜି ସକାଳ ୭ଟା ସୁଦ୍ଧା ଭିତରକନିକା ଓ ଧାମରା ମଧ୍ୟବର୍ତ୍ତୀ ଅଞ୍ଚଳରେ ବାତ୍ୟା ‘ଦାନା’ର ଲ୍ୟାଣ୍ଡଫଲ୍ ହୋଇଛି।
ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ ଆମେ ଆମର ‘ଜିରୋ କାଜୁଆଲ୍ଟି’ ଲକ୍ଷ୍ୟ ହାସଲ କରିଛୁ। ବାତ୍ୟା ମୁକାବିଲାରେ ଆମେ ସମ୍ପୂର୍ଣ୍ଣ ସଫଳତା ହାସଲ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବାତ୍ୟା ପରବର୍ତ୍ତୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାର୍ଯ୍ୟରେ ନିୟୋଜିତ ଥିବା ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ସରକାର ଓ ପ୍ରଶାସନର ତତ୍ପରତା ଯୋଗୁ ପ୍ରାୟତଃ କ୍ଷୟକ୍ଷତି ଘଟି ନାହିଁ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ସବୁ ଜାଗାରେ ଗଛ ପଡି ରାସ୍ତା ଅବରୋଧ ହୋଇଛି, ଆଜି ଅପରାହ୍ନ ଗୋଟାଏ ସୁଦ୍ଧା ସେସବୁ ହଟାଯିବ। ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଥିବା ସ୍ଥାନଗୁଡିକରେ ସନ୍ଧ୍ୟା ୬ଟା ସୁଦ୍ଧା ବିଦ୍ୟୁତ ସଂଯୋଗ ଯୋଗାଇଦିଆଯିବ। ରେଳ ସେବା ମଧ୍ୟ ଆରମ୍ଭ ହୋଇଯାଇଛି। ଭୁବନେଶ୍ୱର ଓ ପୁରୀରୁ ନିର୍ଦ୍ଧାରିତ ସମୟରେ ରେଳ ଚଳାଚଳ କରିବ ବୋଲି ସେ କହିଛନ୍ତି।
ସେହିପରି ବିମାନ ଚଳାଚଳ ସ୍ୱାଭାବିକ ହୋଇଛି। ଆଜି ସକାଳ ୯ଟା ରେ ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଥମ ବିମାନ ଅବତରଣ କରିଛି। ପ୍ରଭାବିତ ଅଞ୍ଚଳରେ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ଓ ମା’ ଗୃହକୁ ସ୍ଥାନାନ୍ତରିତ ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୬୦୦ରୁ ଅଧିକ ମହିଳା ନବଜାତ ଶିଶୁଙ୍କୁ ସୁରକ୍ଷିତ ଭାବେ ଜନ୍ମ ଦେଇଛନ୍ତି। ଆମ ପାଇଁ ଖୁସିର କଥା ଉଭୟ ମା’ ଓ ଶିଶୁମାନେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ବାତ୍ୟା ‘ଦାନା’ର ପ୍ରଭାବ କମି ଗଲାଣି। ଲୋକମାନେ ଆଶ୍ରୟ ସ୍ଥଳୀରୁ ନିଜ ନିଜ ଘରକୁ ଫେରିବା ଆରମ୍ଭ କଲେଣି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅଶେଷ କୃପା ଓ ଆମର ଟିମ୍ ସ୍ପିରିଟ୍ ଯୋଗୁ ଆମେ ବାତ୍ୟାର ସଫଳ ମୁକାବିଲା କରିପାରିଲୁ। ମୁଖ୍ୟମନ୍ତ୍ରୀ ଏଥିପାଇଁ ଜନସାଧାରଣ, ପ୍ରଶାସନିକ ଅଧିକାରୀ, ଉଦ୍ଧାରକାରୀ ଦଳ, ଡାକ୍ତରୀ ଦଳ, ପୋଲିସ୍, ଅଗ୍ନିଶମ ବାହିନୀ ଓ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
The post ବାତ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ସଫଳ; ଜିରୋ କାଜୁଆଲ୍ଟି ଲକ୍ଷ୍ୟ ହାସଲ- ମୁଖ୍ୟମନ୍ତ୍ରୀ appeared first on Dharitri Odia News.