ବାଦଲକୁ କେବଳ ଛୁଇଁଲେନି, ତାକୁ ନେଇ ତଳକୁ ଆସିଲେ; ଦେଖନ୍ତୁ ଭିଡିଓ
ପଲିଥିନ ଜରିରେ ବାଦଲ ସଂଗ୍ରହ କରି ଆଣି ଏହାକୁ ଧୂମ୍ରପାନ କଲାଭଳି ଫୁଙ୍କିଲେ। ସୋଶାଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
ଆପଣ କେବେ ବାଦଲକୁ ଛୁଇଁ ପାରିବେ କି? ବାଦଲକୁ ସଂଗ୍ରହ କରି ନିଜ ସାଥିରେ ଆଣି ପାରିବେ କି? ଏଭଳି କିଛି କରି ଦେଖାଇଛନ୍ତି ଜଣେ ପାରାଗ୍ଲାଇଡର। ସୋଶାଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ 'ଏଡିକ୍ସନ ହାପ୍ପିନେସ୍' ନାମରେ ଏକ ଆକାଉଣ୍ଟରେ ସେ ଏଭଳି କାରନାମା କରିବାର ଭିଡିଓ ଶେୟାର କରିଛନ୍ତି। ପାରାଗ୍ଲାଇଡର ଜଣକ କେବଳ ଯେ ବାଦଲକୁ ଛୁଇଁଛନ୍ତି ତାହା ନୁହେଁ, ସେ ଏକ ପଲିଥିନ ଜରିରେ ବାଦଲକୁ ସଂଗ୍ରହ କରି ଆଣି ଏହାକୁ ତଳେ ଧୂମ୍ରପାନ କଲାଭଳି ଫୁଙ୍କିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।
ପଲିଥିନ ଜରିରେ ବାଦଲ ସଂଗ୍ରହ
ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ପାରାଗ୍ଲାଇଡର ଜଣକ ପାରାଗ୍ଲାଇଡିଂ ସମୟରେ ଏକ ପଲିଥିନ ଜରି ହାତରେ ଧରି ବାଦଲକୁ ଏଥିରେ ସଂଗ୍ରହ କରୁଛନ୍ତି। ତଳକୁ ଓହ୍ଲାଇବା ପରେ ସେ ସଂଗ୍ରହ କରିଥିବା ବାଦଲକୁ ପାଟିରେ ନେଇ ଏହାକୁ ସାଧାରଣ ଧୂମ୍ରପାନକାରୀଙ୍କ ଭଳି ଫୁଙ୍କୁଛନ୍ତି। ପାରାଗ୍ଲାଇଡିଂ ସମୟରେ ସେ ନିଜ ଗୋଡ଼ ସାହାଯ୍ୟରେ ଏହି ଭିଡିଓ ରେକର୍ଡିଂ କରୁଥିବା ପରି ମନେ ହେଉଛି। ତେବେ ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪୭ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି। ଅନେକ ଏହାକୁ ପସନ୍ଦ କରିଥିବାବେଳେ ଏହାର କମେଣ୍ଟ ସେକ୍ସନରେ ବିଭିନ୍ନ ମଜାଳିଆ କମେଣ୍ଟ ମଧ୍ୟ ଦେଖିବାକୁ ମିଳିଛି।
'ଆଉ ଥରକୁ ଇନ୍ଦ୍ରଧନୁର ସ୍ୱାଦ ଚାଖିବେ'
ଏହି ଭିଡିଓରେ ଜଣେ ୟୁଜର କମେଣ୍ଟ ଦେଇ ଲେଖିଛନ୍ତି ଯେ, 'ଭାପ୍ସ' ଆବିଷ୍କାର ୧୯୬୯ରେ ହୋଇଥିଲା। ବୋଧହୁଏ ଏହା ପୂର୍ବରୁ ଲୋକେ ଏମିତି ଧୂମ୍ରପାନ କରୁଥିଲେ। ଅନେକ ୟୁଜର୍ସ ସେମାନଙ୍କ ପିଲାଦିନର ସ୍ୱପ୍ନ ପୂରଣ କରିଥିବାରୁ ପାରାଗ୍ଲାଇଡର୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି। କେହି କେହି ମଜାଳିଆ ଢଙ୍ଗରେ ବାଦଲ ଚୋରି ହୋଇଯାଇଥିବା କହିଥିବାବେଳେ ଅନ୍ୟଜଣେ ଲେଖିଛନ୍ତି ଯେ ଆଉଥରକୁ ବାଦଲ ଭିତରେ ଯାଇ ଇନ୍ଦ୍ରଧନୁର ସ୍ୱାଦ ଚାଖି ଦେଖାନ୍ତୁ।