ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ତିହିଡ଼ି,୨୪।୭(ସଞ୍ଜିତ ବଳ): ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ସରକାରୀସ୍ତରରେ ଉଦ୍ୟମ କରାଯାଉଛି। ମାତ୍ର ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ୟାମସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ଶ୍ରେଣୀଗୃହର ଅଭାବ ଯୋଗୁ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢ଼ିବା ସରକାରୀ ଯୋଜନାକୁ ପରିହାସ କରୁଛି। ଏପରି କି ୬ ମାସ ପୂର୍ବେ ପୂର୍ବତନ ବ୍ଲକ୍‌ ଶିକ୍ଷାଧିକାରୀ(ବିଇଓ) ସ୍କୁଲକୁ ଯାଇ ଅନୁଧ୍ୟାନ କରିବା ପରେ ମଧ୍ୟ କୌଣସି ଫଳ ନ ମିଳିବା ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) […] The post ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର appeared first on Dharitri Odia News.

ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର

ତିହିଡ଼ି,୨୪।୭(ସଞ୍ଜିତ ବଳ): ପ୍ରାଥମିକ ଶିକ୍ଷାକୁ ସୁଦୃଢ଼ କରିବାକୁ ସରକାରୀସ୍ତରରେ ଉଦ୍ୟମ କରାଯାଉଛି। ମାତ୍ର ତିହିଡ଼ି ବ୍ଲକ୍‌ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଅଧୀନ ଶ୍ୟାମସୁନ୍ଦରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲରେ ଶ୍ରେଣୀଗୃହର ଅଭାବ ଯୋଗୁ ଛାତ୍ରୀଛାତ୍ର ବାରଣ୍ଡାରେ ବସି ପାଠ ପଢ଼ିବା ସରକାରୀ ଯୋଜନାକୁ ପରିହାସ କରୁଛି। ଏପରି କି ୬ ମାସ ପୂର୍ବେ ପୂର୍ବତନ ବ୍ଲକ୍‌ ଶିକ୍ଷାଧିକାରୀ(ବିଇଓ) ସ୍କୁଲକୁ ଯାଇ ଅନୁଧ୍ୟାନ କରିବା ପରେ ମଧ୍ୟ କୌଣସି ଫଳ ନ ମିଳିବା ଅଭିଭାବକ ଏବଂ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ସଦସ୍ୟଙ୍କୁ ବ୍ୟଥିତ କରିଛି।
ପ୍ରକାଶ ଯେ, ଶ୍ୟାମସୁନ୍ଦରପୁର ସ୍କୁଲରେ ୮ମ ପର୍ଯ୍ୟନ୍ତ ଶ୍ରେଣୀରେ ୨୨୪ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ସ୍କୁଲ ଗୃହ ପକ୍କା ହୋଇଥିବା ବେଳେ କାର୍ଯ୍ୟାଳୟ ବାଦ୍‌ ୫ ଶ୍ରେଣୀଗୃହ ରହିଛି। ତନ୍ମଧ୍ୟରୁ ୨ ଶ୍ରେଣୀଗୃହ ଭାଙ୍ଗିରୁଜି ବିପଦସଙ୍କୁଳ ଅବସ୍ଥାରେ ପଡ଼ିଛି। ଉକ୍ତ ଗୃହରେ ଶିକ୍ଷାଦାନ ସମ୍ଭବ ନୁହେଁ। ବିଗତ ୨ବର୍ଷ ହେଲା ଏପରି ପରିସ୍ଥିତି ଉପୁଜିଥିବାରୁ ସ୍କୁଲରେ ଶିକ୍ଷାଦାନରେ ସମସ୍ୟା ଉପୁଜିଛି। ଏତେ ସଂଖ୍ୟକ ପିଲାଙ୍କୁ ୩ ଶ୍ରେଣୀଗୃହରେ ଶିକ୍ଷାଦାନ କରିବା ସମ୍ଭବପର ହେଉନାହିଁ। ଫଳରେ ପ୍ରଥମରୁ ୩ୟ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ବାରଣ୍ଡାରେ ବସାଇ ଶିକ୍ଷାଦାନ କରିବାକୁ ବାଧ୍ୟ ହେଉଥିବା ସହକାରୀ ଶିକ୍ଷକ ବିଷ୍ଣୁମୋହନ ଦାସ ପ୍ରକାଶ କରିଛନ୍ତି। ଅବଶିଷ୍ଟ ୫ ଶ୍ରେଣୀର ପିଲାଙ୍କୁ ୩ଟି ଶ୍ରେଣୀଗୃହରେ ବସାଇ ପାଠ ପଢ଼ାଇବା ମଧ୍ୟ କଷ୍ଟସାଧ୍ୟ ହୋଇଛି। ବର୍ଷାଦିନ ହୋଇଥିବାରୁ ବାରଣ୍ଡାରେ ବସି ପଢୁଥିବା ପିଲାଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେବେ ଅଭିଭାବକ ଓ ଏସ୍‌ଏମ୍‌ସିର କର୍ମକର୍ତ୍ତାମାନେ ଏ ସମ୍ପର୍କରେ ଜିଲାପାଳ, ବିଇଓଙ୍କୁ ଅଭିଯୋଗ କରିି ପଦକ୍ଷେପ ନେବାକୁ ଦାବି ଜଣାଇଥିଲେ। ପରେ ତତ୍କାଳୀନ ବିଇଓ ମଧୁସୂଦନ ସେଣ୍ଡ ସ୍କୁଲକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ। ମାତ୍ର ଅଦ୍ୟାବଧି ବିପଦସଙ୍କୁଳ ଗୃହକୁ ମରାମତି କରାଯିବା କିମ୍ବା କୌଣସି ବିକଳ୍ପ ବ୍ୟବସ୍ଥା ନିଆ ନ ଯିବା ପରିତାପର ବିଷୟ ହୋଇଛି। କୋମଳମତି ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ତୁରନ୍ତ ପଦକ୍ଷେପ ନେବାକୁ ଦାବି ହୋଇଛି। ଏ ସମ୍ପର୍କରେ ଏବିଇଓ ରତ୍ନାକର ସାହୁଙ୍କୁ ପଚାରିବାରୁ ସ୍କୁଲର ଏପ୍ରକାର ଅବସ୍ଥା ସମ୍ପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି।

The post ବାରଣ୍ଡାରେ ପଢୁଛନ୍ତି ଛାତ୍ରୀଛାତ୍ର appeared first on Dharitri Odia News.