ବାର୍ଷିକ ବଜେଟ୍ ପାଇଁ ଲୋକଙ୍କଠୁ ୧୨ହଜାର ପରାମର୍ଶ ମିଳିଛି: ମୁଖ୍ୟମନ୍ତ୍ରୀ

ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୬ଗୁଣ ମତାମତ ଚଳିତବର୍ଷ ବଜେଟ୍ ପାଇଁ ସାଧାରଣ ଲୋକଙ୍କଠୁ ମିଳିଛି। ଏତେସଂଖ୍ୟକ ପରାମର୍ଶ ମିଳିବା ନିଶ୍ଚିତ ଭାବେ ଅର୍ଥ ବିଭାଗ ପାଇଁ ବଜେଟ୍ ପ୍ରସ୍ତୁତି ନିମନ୍ତେ ଉତ୍ସାହଜନକ ହୋଇଛି।

ବାର୍ଷିକ ବଜେଟ୍ ପାଇଁ ଲୋକଙ୍କଠୁ ୧୨ହଜାର ପରାମର୍ଶ ମିଳିଛି: ମୁଖ୍ୟମନ୍ତ୍ରୀ

୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କୁ ପ୍ରାୟ ୧୨ହଜାର ପରାମର୍ଶ ସାଧାରଣ ଲୋକଙ୍କଠୁ ମିଳିଛି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଆସନ୍ତା ୨୫ତାରିଖରେ ରାଜ୍ୟର ପ୍ରଥମ ବିଜେପି ସରକାର ନିଜର ପ୍ରଥମ ବଜେଟ୍ ବିଧାନସଭାରେ ଉପସ୍ଥାପନ କରିବେ ।
ଆଜି ବିଭିନ୍ନ ବର୍ଗର ଲୋକଙ୍କ ସହ ପ୍ରାକ୍ ବଜେଟ୍ ଆଲୋଚନା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ଆସନ୍ତା ୨୫ତାରିଖରେ ପୂର୍ଣ୍ଣାଙ୍ଗ ବାର୍ଷିକ ବଜେଟ୍ ବିଧାନସଭାରେ ଉପସ୍ଥାପନ କରାଯିବ । ଏନେଇ ଆଜି ପୂର୍ବତନ ଅର୍ଥମନ୍ତ୍ରୀ ଓ ଅର୍ଥ ସଚିବ, ବିଭିନ୍ନ ବର୍ଗ ଲୋକ, ବିଶେଷଜ୍ଞ ଓ ସଂଗଠନ ସହ ବିଚାରବିମର୍ଶ କରାଯାଇଥିଲା । ସମସ୍ତେ ନିଜ ନିଜର ପରାମର୍ଶ ଦେଇଛନ୍ତି । ଆମେ ଲୋକଙ୍କ ସରକାର ହୋଇଥିବାରୁ ଲୋକଙ୍କ ମତାମତକୁ ବଜେଟ୍ ପ୍ରସ୍ତୁତିରେ ଅଧିକ ପ୍ରାଥମିକତା ଦିଆଯିବ ।

ଗତ ଆର୍ଥିକ ବର୍ଷ ତୁଳନାରେ ପ୍ରାୟ ୬ଗୁଣ ମତାମତ ଚଳିତବର୍ଷ ବଜେଟ୍ ପାଇଁ ସାଧାରଣ ଲୋକଙ୍କଠୁ ମିଳିଛି । ଏତେସଂଖ୍ୟକ ପରାମର୍ଶ ମିଳିବା ନିଶ୍ଚିତ ଭାବେ ଅର୍ଥ ବିଭାଗ ପାଇଁ ବଜେଟ୍ ପ୍ରସ୍ତୁତି ନିମନ୍ତେ ଉତ୍ସାହଜନକ ହୋଇଛି । ସମସ୍ତଙ୍କ ମୂଲ୍ୟବାନ ମତାମତ ପାଇଁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି । ଆଗାମୀ ବଜେଟରେ ଏସବୁ ମତାମତକୁ ପ୍ରତିଫଳିତ କରିବାକୁ ସରକାର ଯଥାସମ୍ଭବ ଉଦ୍ୟମ କରି ଲୋକଙ୍କ ଆଶାଆକାଂକ୍ଷାକୁ ପୂରଣ କରିବାକୁ ପ୍ରଚେଷ୍ଟା କରିବେ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସୂଚନା ଦେଇଛନ୍ତି ।

ଆଜିର ପ୍ରାକ୍ ବଜେଟ୍ ଆଲୋଚନାରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସମେତ ଅର୍ଥବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଆଲୋଚନାରେ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ, ପଂଚାନନ କାନୁନଗୋ, ଶଶୀଭୂଷଣ ବେହେରା ପ୍ରମୁଖ ମଧ୍ୟ  ନିଜର ମତ ରଖିଥିବା ଜଣାପଡ଼ିଛି ।