ଜୀବନରକ୍ଷା କ୍ଷେତ୍ରରେ ଡାୟଲିସିସ୍ ଓ ବୃକ୍କ ପ୍ରତିରୋପଣର କ’ଣ ରହିଛି ଆବଶ୍ୟକତା…..
କିଡ଼୍ନୀ ବା ବୃକ୍କ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ। ହେଲେ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ, ମଧୁମେହ, ଉଚ୍ଚରକ୍ତଚାପ,କିଡ୍ନୀ ଜନିତ ରୋଗ ଆଦି ଯୋଗୁଁ ଅନେକ ଲୋକ ବୃକ୍କ ସମସ୍ୟାରେ ପୀଡ଼ିତ। ତେବେ ଏହି ରୋଗ ପାଇଁ ଡାୟଲିସିସ୍ ଏବଂ ବୃକ୍କ ପ୍ରତିରୋପଣର ଆବଶ୍ୟକତା କେତେବେଳେ ପଡ଼ିଥାଏ, ରୋଗୀ ପୁନର୍ବାର ସ୍ବାଭାବିକ ଜୀବନ ଜିଇଁପାରିବ କି ନାହିଁ ତାହାକୁ ନେଇ ଏହି ଆଲେଖ୍ୟ। ବୃକ୍କ ନଷ୍ଟ ହେଲେ […]

କିଡ଼୍ନୀ ବା ବୃକ୍କ ଶରୀରର ଏକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ଏହା ଶରୀରରୁ ବର୍ଜ୍ୟବସ୍ତୁ ବାହାର କରିବାରେ ସାହାଯ୍ୟ କରେ। ହେଲେ ଅସ୍ବାସ୍ଥ୍ୟକର ଖାଦ୍ୟ ଓ ଜୀବନଶୈଳୀ, ମଧୁମେହ, ଉଚ୍ଚରକ୍ତଚାପ,କିଡ୍ନୀ ଜନିତ ରୋଗ ଆଦି ଯୋଗୁଁ ଅନେକ ଲୋକ ବୃକ୍କ ସମସ୍ୟାରେ ପୀଡ଼ିତ। ତେବେ ଏହି ରୋଗ ପାଇଁ ଡାୟଲିସିସ୍ ଏବଂ ବୃକ୍କ ପ୍ରତିରୋପଣର ଆବଶ୍ୟକତା କେତେବେଳେ ପଡ଼ିଥାଏ, ରୋଗୀ ପୁନର୍ବାର ସ୍ବାଭାବିକ ଜୀବନ ଜିଇଁପାରିବ କି ନାହିଁ ତାହାକୁ ନେଇ ଏହି ଆଲେଖ୍ୟ।
ବୃକ୍କ ନଷ୍ଟ ହେଲେ ପ୍ରାରମ୍ଭିକ ଅବସ୍ଥାରେ ହାତ, ପାଦ, ଅଣ୍ଟା, ଅଣ୍ଡକୋଷ, ପେଟ ଯନ୍ତ୍ରଣା, ଗୋଡ଼ ଫୁଲିବା, ଦୁର୍ବଳ ଲାଗିବା, ନିଶ୍ବାସ ନେବାରେ ସମସ୍ୟା, ଭୋକ ନ ଲାଗିବା ଆଦି ଲକ୍ଷଣ ଦେଖାଯାଇଥାଏ। ଏଥିଯୋଗୁଁ ଜଟିଳ ରୋଗ ଯଥା- ମଧୁମେହ, ମେଦବହୁଳତା ଏବଂ ଉଚ୍ଚ ରକ୍ତଚାପ ଭଳି ସମସ୍ୟା ହୋଇଥାଏ। ତେଣୁ ବର୍ଷକୁ ଅତି କମ୍ରେ ଥରେ କିଡ୍ନୀ ଚେକ୍ଅପ୍ କରିବା ଆବଶ୍ୟକ। ତାସହିତ ବ୍ଲଡ୍, ୟୁରିଆ, କ୍ରିଏଟିନିନ୍, ୟୁରିକ୍ ଏସିଡ୍ ଏବଂ ଅଲ୍ଟ୍ରାସାଉଣ୍ଡ ଅନ୍ୟାନ୍ୟ ପରୀକ୍ଷା ଜରୁରି। ତେେବ ବୃକ୍କ ଠିକ୍ ଭାବେ କାମ କରିବା ବନ୍ଦ କରିଦେଲେ, ଏହାକୁ କିଡ୍ନୀ ଫେଲ୍ୟୁୟର କୁହାଯାଏ। ଏପରି ସ୍ଥିତିରେ ଶରୀରରେ ଅତିରିକ୍ତ ପାଣି ଓ ବର୍ଜ୍ୟ ପଦାର୍ଥ ବାହାରି ନ ପାରି ଜମା ହୋଇ ରହେ। ତେଣୁ କିଡ୍ନୀ ଫେଲ୍ୟୁଅର ଚିକିତ୍ସା ପାଇଁ ପ୍ରଥମେ ଡାୟଲିସିସ୍ କରାଯାଏ। ସ୍ଥିତି ଜଟିଳ ହେଲେ ବୃକ୍କ ପ୍ରତିରୋପଣ କରାଯାଇପାରିବ।
ଡାୟଲିସିସ୍ର ଆବଶ୍ୟକତା
ବୃକ୍କର କାମ ହେଉଛି ରକ୍ତ ସଫା କରିବା ସହ ଶରୀରର ବିଭିନ୍ନ ବର୍ଜ୍ୟକୁ ନିଷ୍କାସନ କରିବା। ଏହାଦ୍ବାରା ଶରୀର ମଧ୍ୟରୁ ୟୁରିଆ ଏବଂ କ୍ରିଏଟିନିନ୍ ବାହାରିଥାଏ। ହେଲେ ବୃକ୍କ ଖରାପ ହେଲେ ଏହି ଦୁଇଟି ଜିନିଷ ବାହାରିପାରେ ନାହିଁ। ସ୍ବାଭାବିକ ଭାବେ କ୍ରିଏଟିନିନ୍ ପାଞ୍ଚରୁ ଅଧିକ ହୋଇଗଲେ, ରୋଗୀଙ୍କଠାରେ କୌଣସି ଔଷଧ କାମ କରି ନଥାଏ । ତେଣୁ ରୋଗୀଙ୍କୁ ବଞ୍ଚାଇବାକୁ ଡାୟଲିସିସ୍ କରିବାକୁ ପଡ଼ିଥାଏ। ଡାୟଲିସିସ୍ କରିବା ପୂର୍ବରୁ ରକ୍ତଚାପ ଏବଂ ସୁଗାର ପରୀକ୍ଷା ଜରୁରି। ରକ୍ତରୁ ବର୍ଜ୍ୟକୁ ଛାଣି ସଫା ରକ୍ତକୁ ଶରୀରକୁ ପଠାଇବା ଡାୟଲିସିସ୍ର କାମ। ଏହି ପ୍ରଣାଳୀରେ ରକ୍ତରେ ଜମିଥିବା ଦୂଷିତ ବର୍ଜ୍ୟ, ବିଷାକ୍ତ ପଦାର୍ଥକୁ ବାହାର କରିବା ତଥା ରକ୍ତକୁ ବିଶୁଦ୍ଧ କରିବାକୁ ସହଜ ହୁଏ। ନେଫ୍ରୋଲୋଜିଷ୍ଟଙ୍କ ପରାମର୍ଶ ଅନୁସାରେ ସପ୍ତାହକୁ ଦୁଇରୁ ତିନିଥର ଡାୟଲିସିସ୍ କରିବାକୁ ପଡ଼ିଥାଏ।
ସେହିପରି ଡାକ୍ତରଙ୍କ ପରାମର୍ଶ କ୍ରମେ ଯେତିକି ଆବଶ୍ୟକ ସେତିକି ପ୍ରୋଟିନ୍ ଖାଇବା ସହ ପାଣି ବା ତରଳପଦାର୍ଥ ପିଇପାରିବେ। ଏହି ସମୟେ ସ୍ବଚ୍ଛତାକୁ ଗୁରୁତ୍ବ ଦେବା ଦରକାର। ସର୍ବଦା ଡାକ୍ତରଙ୍କ ପରାମର୍ଶରେ ବୃକ୍କ ଉପରେ ପ୍ରଭାବ ନ ପକାଉଥିବା ପେନ୍କିଲର, ଆଣ୍ଟିବାୟୋଟିକ୍ ଖାଇବା ଜରୁରି। ସେହିପରି କିଡ଼୍ନୀ ରୋଗୀଙ୍କଠାରେ ମୁହଁ ଫୁଲିବା, ଧଇଁସଇଁ ଲାଗିବା, ପାଦ ଫୁଲିବା ଆଦି ସମସ୍ୟା ଦେଖାଦେଲେ, ତୁରନ୍ତ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ଆରମ୍ଭ କରିଦେବା ଭଲ।
ବୃକ୍କ ପ୍ରତିରୋପଣ
ବୃକ୍କ କାର୍ଯ୍ୟକ୍ଷମତା ହ୍ରାସ ପାଇଲେ ଏହାର ପ୍ରତିରୋପଣ କରିବାକୁ ପଡ଼ିଥାଏ। ଜଣେ ସୁସ୍ଥ ପ୍ରାପ୍ତ୍ୟ ବୟସ୍କ ବ୍ୟକ୍ତିଙ୍କୁ ଅଧିକ ସମୟ ବଞ୍ଚି ରଖିବାକୁ ବୃକ୍କ ପ୍ରତିରୋପଣ କରିବାକୁ ଡାକ୍ତର ପରାମର୍ଶ ଦେଇଥାନ୍ତି। ଏହା ବ୍ୟୟବହୁଳ। ତେବେ ଡାୟଲିସିସ୍ରେ ଜୀବନବ୍ୟାପୀ ହସ୍ପିଟାଲ ଯିବାକୁ ପଡ଼ୁଥିବା ବେଳେ ଏହା ଏକ ସ୍ଥାୟୀ ବିକଳ୍ପ। ବୃକ୍କ ରୋଗୀଙ୍କ ପାଇଁ ଏହା ଏକ ଜୀବନ ରକ୍ଷକ ପ୍ରକ୍ରିୟା। ତେବେ ଏପରି ସ୍ଥିତିରେ ସର୍ଜନ ଶରୀରରେ ଏକ ସୁସ୍ଥ ବୃକ୍କ ଲଗାଇଥାନ୍ତି। ସାଧାରଣତଃ ନିଜ ରକ୍ତ ସମ୍ପର୍କୀୟ ତଥା ସମ୍ପର୍କୀୟଙ୍କଠାରୁ ବୃକ୍କକୁ ଗ୍ରହଣ କରିବା ଦ୍ବାରା ପାର୍ଶ୍ବପ୍ରତ୍ରିକୟାର ଭୟ କମ୍ ଥାଏ। ତେଣୁ ସେମାନଙ୍କଠାରୁ ବୃକ୍କ ଗ୍ରହଣ କରିବା ଆବଶ୍ୟକ। ସେହିପରି ସର୍ଜରୀର ପ୍ରଥମ ଚାରିରୁ ଛଅ ସପ୍ତାହ ସଂକ୍ରମଣର ଅଧିକ ଭୟ ଥାଏ। ଏହି ସମୟରେ ଧାଁ ଧଉଡ଼ କରିବା ଅନୁଚିତ। ଡାକ୍ତରଙ୍କ ପରାମର୍ଶରେ ଖାଦ୍ୟପଦାର୍ଥ ଗ୍ରହଣ କରିବା ଉଚିତ। ବୃକ୍କ ପ୍ରତିରୋପଣ ପରେ ନିଜ ଦେହର ଯତ୍ନ ସହ ସତର୍କତା ସହ ରହିବାକୁ ପଡ଼େ।