Navaratri 2024: ଆଜି ନବରାତ୍ରୀର ଦ୍ୱିତୀୟ ଦିନ; ଜାଣନ୍ତୁ କେଉଁ ଦେବୀଙ୍କୁ, କିପରି କରିବେ ପୂଜା

ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ। ଆଜି ନବରାତ୍ରୀର ଦ୍ୱିତୀୟ ଦିନ ହୋଇଥିବାରୁ ଶ୍ରଦ୍ଧାଳିମାନେ ଦେବୀଙ୍କ ବ୍ରହ୍ମଚାରିଣୀ ରୂପକୁ ଆରାଧନା କରିବାର ବିଧି ରହିଛି।

Navaratri 2024: ଆଜି ନବରାତ୍ରୀର ଦ୍ୱିତୀୟ ଦିନ; ଜାଣନ୍ତୁ କେଉଁ ଦେବୀଙ୍କୁ, କିପରି କରିବେ ପୂଜା

ଭାରତୀୟ ପରମ୍ପରାରେ ଶାରଦୀୟ ନବରାତ୍ରୀର ଏକ ବିଶେଷ ମହତ୍ତ୍ୱ ରହିଛି। ନବରାତ୍ରୀ ଅବସରରେ ଦେବୀ ଦୁର୍ଗାଙ୍କୁ ପୂଜା କରାଯାଏ। ନବରାତ୍ରୀର ନଅ ଦିନ ପାଇଁ ଦେବୀ ଦୁର୍ଗାଙ୍କର ନଅ ପ୍ରକାର ପୂଜା ହୋଇଥାଏ। ମାତା ଦେବୀଙ୍କୁ ଖୁସି କରିବା ପାଇଁ ଅନେକ ଲୋକ ମଧ୍ୟ ନବରାତ୍ରୀ ସମୟରେ ଉପବାସ ପାଳନ କରନ୍ତି। ଆଶ୍ୱିନ ମାସର ଶୁକ୍ଲ ପ୍ରତିପଦାରୁ ନବରାତ୍ରୀ ଆରମ୍ଭ ହୁଏ।

ଭାରତ ବ୍ୟତୀତ ଏହା ନେପାଳରେ ମଧ୍ୟ ପାଳନ କରାଯାଏ। ଦୁର୍ଗାପୂଜାକୁ ନେଇ ବିଭିନ୍ନ ଲୋକଙ୍କର ବିଭିନ୍ନ ବିଶ୍ୱାସ ରହିଛି। ତେବେ ଶାରଦୀୟ ନବରାତ୍ରୀ ପିତୃ ପକ୍ଷର ଶେଷ ଦିନ ଅର୍ଥାତ୍ ସର୍ବ ପିତୃ ଅମାବାସ୍ୟାର ପରଦିନରୁ ଆରମ୍ଭ ହୁଏ। ଏହି ଅନୁସାରେ ଗୁରୁବାରରୁ ଏହା ଆରମ୍ଭ ହୋଇଥିବା ବେଳେ ଆଜି ହେଉଛି ନବରାତ୍ରୀର ଦ୍ୱିତୀୟ ଦିନ।

ହିନ୍ଦୁ ଧର୍ମରେ ଶକ୍ତିରୂପିଣୀ ମାଆ ଦୁର୍ଗାଙ୍କର ନଅ ରୂପ ବୋଲି କୁହାଯାଏ। ବସନ୍ତ ଓ ଶରତ ଋତୁରେ ଦେବୀଙ୍କୁ ଆରାଧନା କରାଯାଏ। ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦାଠାରୁ ନବମୀ ପର୍ଯ୍ୟନ୍ତ ନବଗୌରୀ ବା ନବଦୁର୍ଗାଙ୍କ ପୂଜା କରାଯାଏ। ଆଜି ନବରାତ୍ରୀର ଦ୍ୱିତୀୟ ଦିନ ହୋଇଥିବାରୁ ଶ୍ରଦ୍ଧାଳିମାନେ ଦେବୀଙ୍କ ବ୍ରହ୍ମଚାରିଣୀ ରୂପକୁ ଆରାଧନା କରିବାର ବିଧି ରହିଛି। ତେବେ ଆସନ୍ତୁ ଜାଣିନେବା ନଅ ଦିନରେ ଦୁର୍ଗାଙ୍କ କେଉଁ କେଉଁ ରୂପକୁ ପୂଜା କରାଯାଏ।

ଶୈଳପୁତ୍ରୀ:

Navaratri 2024ଶୈଳପୁତ୍ରୀ

ଆଦିଶକ୍ତିର ପ୍ରଥମ ସ୍ୱରୂପା ଶୈଳପୁତ୍ରୀଙ୍କ ଉପାସନା ସହ ନବରାତ୍ରର ଆରମ୍ଭ ହୋଇଥାଏ। ପୌରାଣିକ ମତେ ହିମାଳୟର ତପସ୍ୟା ଓ ପ୍ରାର୍ଥନା ଦ୍ୱାରା ପ୍ରସନ୍ନ ହୋଇ ଦେବୀ ତାଙ୍କର କନ୍ୟା ଭାବେ ଜନ୍ମ ନେଇଥିଲେ। ଏହିଦିନ ଭକ୍ତ ଓ ସାଧକ ନିଜର ମନକୁ ମୂଳାଧାର ଚକ୍ରରେ ଅବସ୍ଥାନ କରି ଉପାସନା କରିଥାନ୍ତି।

ବ୍ରହ୍ମଚାରିଣୀ:

Navaratri 2024ବ୍ରହ୍ମଚାରିଣୀ

ନବରାତ୍ରର ଦ୍ୱିତୀୟ ଦିବସରେ ବ୍ରହ୍ମଚାରିଣୀ ସ୍ୱରୂପରେ ମାତା ଦୁର୍ଗାଙ୍କୁ ଭକ୍ତମାନେ ଉପାସନା କରିଥାନ୍ତି। ମା’ଙ୍କର ଅନ୍ୟ ଦୁଇ ନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ ହୋଇଥାଏ। ତାଙ୍କ ଡାହାଣ ହାତରେ ମନ୍ତ୍ର ଜପାମାଳି ଓ ବାମ ହାତରେ କମଣ୍ଡଳୁ ଶୋଭାପାଏ।

ଚିତ୍ରଘଣ୍ଟା:

Navaratri 2024ଚିତ୍ରଘଣ୍ଟା

ନବରାତ୍ରର ତୃତୀୟ ଦିନରେ ଦେବୀ ଚିତ୍ରଘଣ୍ଟା ପୂଜା ପାଆନ୍ତି। ଏହି ରୂପକୁ ଚନ୍ଦ୍ରଘଣ୍ଟା ମଧ୍ୟ କୁହାଯାଏ। ଏହା ଦେବୀଙ୍କ ଉଗ୍ରରୂପ। ଦେବୀ ଦଶଭୂଜା ଓ ବ୍ୟାଘ୍ର/ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଅନେକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତା ଦେବୀଙ୍କର ମୁଦ୍ରା ଯୁଦ୍ଧାଭିମୁଖୀ ହୋଇଥାଏ। ଏହିଦିନ ମଣିପୁର ଚକ୍ରରେ ଧ୍ୟାନ ରଖି ଆରାଧନା କରାଯାଏ।

କୁଷ୍ମାଣ୍ଡା:

Navaratri 2024କୁଷ୍ମାଣ୍ଡା

ପୌରାଣିକ ମତେ ଦେବୀଙ୍କ ହସରୁ ଏ ବିଶ୍ୱବ୍ରହ୍ମାଣ୍ଡର ସୃଷ୍ଟି। ଏହି ରୂପରେ ଦେବୀ ଅଷ୍ଟଭୂଜା ହୋଇ ହାତରେ କମଣ୍ଡଳୁ, ଧନୁ, ପଦ୍ମ, ଅମୃତ କଳସ, ଚକ୍ର, ଗଦା ଓ ଜପାମାଳି ଧାରଣ କରିଥାନ୍ତି। ନବରାତ୍ରର ଚତୁର୍ଥ ଦିନରେ ଭକ୍ତ ନିଜ ମନକୁ ଅନାହତ ଚକ୍ରରେ ରଖି କୁଷ୍ମାଣ୍ଡାଙ୍କୁ ଆରାଧନା କରିଥାନ୍ତି।

ସ୍କନ୍ଦମାତା:

Navaratri 2024ସ୍କନ୍ଦମାତା

ନବରାତ୍ର ପଞ୍ଚମ ଦିନରେ ଦେବୀଙ୍କୁ ସ୍କନ୍ଦମାତା ସ୍ୱରୂପରେ ଉପାସନା କରାଯାଏ। କୁମାର କାର୍ତ୍ତିକେୟଙ୍କ ମା’ ହୋଇଥିବାରୁ ତାଙ୍କୁ ସ୍କନ୍ଦମାତା କୁହାଯାଏ। ଦେବୀ ଚତୁର୍ଭୂଜା ରୂପ ଧାରଣ କରି ସିଂହ ଉପରେ ବିରାଜମାନ ହୋଇଥାନ୍ତି। ଏହି ରୂପରେ ମା’ ପୁତ୍ର ସ୍କନ୍ଦକୁ କୋଳରେ ବସାଇଥାନ୍ତି। ଏହି ଦିନ ବିଶୁଦ୍ଧି ଚକ୍ରରେ ଧ୍ୟାନ କଲେ ଶୁଭ ଫଳ ମିଳିଥାଏ ବୋଲି କୁହାଯାଏ।

କାତ୍ୟାୟନୀ:

Navaratri 2024କାତ୍ୟାୟନୀ

ନବରାତ୍ରର ଷଷ୍ଠ ଦିବସରେ ଦେବୀଙ୍କୁ କାତ୍ୟାୟନୀ ରୂପରେ ଉପାସନା କରାଯାଏ। ମହର୍ଷି କାତ୍ୟାୟନଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କର କନ୍ୟା ରୂପରେ ଜନ୍ମ ହୋଇଥିଲେ, ସେହି ଅନୁଯାୟୀ ଦେବୀଙ୍କ ନାମ କାତ୍ୟାୟନୀ ରହିଥିଲା। ଭଗବାନ କୃଷ୍ଣଙ୍କୁ ପତି ରୂପେ ପାଇବାକୁ ବ୍ରଜଗୋପୀମାନେ ଦେବୀ କାତ୍ୟାୟନୀଙ୍କୁ ଆରାଧନା କରିଥିଲେ ତେଣୁ ବିବାହ ହୋଇପାରୁ ନଥିବା କନ୍ୟାମାନେ ଏହି ଦିନ ଆଜ୍ଞାଚକ୍ରକୁ ଧ୍ୟାନ କରି ଦେବୀ ଉପାସନା କଲେ ଉତ୍ତମ ପତି ମିଳିଯାଆନ୍ତି ବୋଲି ବିଶ୍ୱାସ ରହିଛି।

କାଳରାତ୍ରୀ:

Navaratri 2024କାଳରାତ୍ରୀ

ନବରାତ୍ରର ସପ୍ତମ ଦିନରେ ଦେବୀଙ୍କୁ କାଳରାତ୍ରୀ ରୂପେ ପୂଜା କରାଯାଏ। ଏହା ଦେବୀଙ୍କ ବିକଟାଳ ରୂପ। ଏହି ରୂପରେ ଦେବୀଙ୍କ ତିନି ଆଖି, ଶରୀରର ରଙ୍ଗ ଅନ୍ଧକାର ଭଳି ଗାଢ଼ କଳା, ଚତୁର୍ଭୁଜା ଦେବୀ ଗଧ ଉପରେ ବସି ହାତରେ ଲୌହ ଖଡ୍ଗ ଧାରଣ କରିଥାନ୍ତି। ଏହି ଦିନ ଭକ୍ତମାନେ ଦେବୀଙ୍କୁ ବିନ୍ଦୁ ଚକ୍ରରେ ଧ୍ୟାନ ରଖି ଆରାଧନା କରିଥାନ୍ତି।

ମହାଗୌରୀ:

Navaratri 2024ମହାଗୌରୀ

ନବରାତ୍ରର ଅଷ୍ଟମ ଦିବସରେ ଦେବୀଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ରଙ୍ଗ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ ଓ ତ୍ରିଶୁଳ ଧାରଣ କରିଥାନ୍ତି ଓ ଅନ୍ୟ ଦୁଇ ହାତରେ ଅଭୟ ପ୍ରଦାନ କରିଥାନ୍ତି। ଧ୍ୟାନ ପାଇଁ ସହସ୍ରାହାର ଚକ୍ରର ବ୍ୟବହାର କରାଯାଏ।

ସିଦ୍ଧିଦାତ୍ରୀ:

Navaratri 2024ସିଦ୍ଧିଦାତ୍ରୀ

ନବରାତ୍ରର ନବମ ବା ଶେଷ ଦିବସରେ ଦେବୀଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ସିଦ୍ଧିଦାତ୍ରୀଙ୍କ ପୂଜା ସହିତ ନବରାତ୍ର ସମ୍ପୂର୍ଣ୍ଣ ହୋଇଥାଏ।