ବାହାରେ ଥିଲେ ସ୍ୱାମୀ ଓ ଦିଅର, ଘର ଭିତରେ ନିଜ ଦେହରେ ନିଆଁ ଲଗାଇ ଦେଲେ ମହିଳା

କିରାସିନ ଢାଳି ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଛନ୍ତି ଜଣେ ମହିଳା।

ବାହାରେ ଥିଲେ ସ୍ୱାମୀ ଓ ଦିଅର, ଘର ଭିତରେ ନିଜ ଦେହରେ ନିଆଁ ଲଗାଇ ଦେଲେ ମହିଳା

କେନ୍ଦୁଝର ଯୋଡ଼ା ପୌରାଞ୍ଚଳ ୯ନଂ ୱାର୍ଡ ମଙ୍ଗଳା ମନ୍ଦିର ନିକଟରେ ଘଟିଛି ବଡ଼ ଅଘଟଣ। କିରାସିନ ଢାଳି ନିଜ ଦେହରେ ନିଜେ ନିଆଁ ଲଗାଇ ଦେଇଛନ୍ତି ଜଣେ ମହିଳା। ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ନିଆ ଯାଇଥିଲେ ହେଁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି।

ମୃତକ ହେଲେ ପରମାନନ୍ଦ ପାତ୍ରଙ୍କ ସ୍ତ୍ରୀ ସୁବାସିନୀ ପାତ୍ର। ସୁବାସିନୀଙ୍କ ଦିଅରଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଶନିବାର ରାତି ପ୍ରାୟ ୯ଟା ସମୟରେ ସେ ଓ ସୁବାସିନୀଙ୍କ ସ୍ୱାମୀ ଘର ବାହାରେ ବସିଥିଲେ।

ସୁବାସିନୀ ଘର ଭିତରେ ଥିଲେ। ସ୍ୱାମୀ ଓ ଦିଅର ବାହାରେ ଥିବା ବେଳେ ସୁବାସିନୀ ନିଜ ଦେହରେ ହଠାତ କିରାସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଏକଥା କିନ୍ତୁ ସ୍ୱାମୀ କିମ୍ବା ଦିଅର ଜାଣି ପାରି ନଥିଲେ। କିଛି ସମୟ ପରେ ଘର ଭିତରୁ ଧୂଆଁ ବାହାରିବାରୁ ସେମାନେ ଚକିତ ହୋଇ ଯାଇଥିଲେ।

ତୁରନ୍ତ ପାଣି ପକାଇ ନିଆଁକୁ ଆୟତ୍ତ କରିଥିଲେ। ଏହାପରେ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ସୁବାସିନୀଙ୍କୁ ଉଦ୍ଧାର କରି ନିକଟସ୍ଥ ଟାଟା ଷ୍ଟିଲ ଡାକ୍ତରଖାନାକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଯୋଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ମୃତକଙ୍କ ସ୍ୱାମୀ ଓ ଦିଅରଙ୍କୁ ପଚରା ଉଚୁରା ଆରମ୍ଭ କରିଛି। ଆତ୍ମହତ୍ୟାର କାରଣ ଏଯାଏ ଜଣାପଡ଼ିନାହିଁ। କିନ୍ତୁ ବିଭିନ୍ନ ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ନଜିର ରହିଛି। ତେଣୁ ଏହି କାରଣ ପାଇଁ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି।