ବିକାଶଶୀଳ ଦେଶ ଓ ଜଳବାୟୁ ପରିବର୍ତ୍ତନ

ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ୨୦୨୩ରେ ସେମାନଙ୍କ ଋଣ ପରିଚାଳନା କରିବାରେ ଯଦିଓ କଷ୍ଟକର ହୋଇଛି ତଥାପି ସେମାନେ ଚଳିତ ବର୍ଷ ଆହୁରି ଅଧିକ ଆହ୍ବାନର ସମ୍ମୁଖୀନ ହେବା ସମ୍ଭାବନା ଅଛି। ଅଧିକାଂଶଙ୍କ ଉପରେ ଅପେକ୍ଷାକୃତ କମ୍‌ ଋଣ ଥିବାରୁ ସେମାନଙ୍କୁ ପରିଶୋଧରେ ଅସମର୍ଥ ବୋଲି ବିବେଚନା କରାଯାଏ ନାହିଁ। ଅନେକେ ବି ଋଣ ଆକାରରେ ଅତ୍ୟଧିକ ନଗଦ ପୁଞ୍ଜି ଆବଶ୍ୟକ କରନ୍ତି । ଅଧିକ ଅର୍ଥ ନ ପାଇଲେ ସେମାନେ ଋଣ ଶୁଝିବାରେ ଓ ସବୁଜ ପରିବର୍ତ୍ତନ […] The post ବିକାଶଶୀଳ ଦେଶ ଓ ଜଳବାୟୁ ପରିବର୍ତ୍ତନ appeared first on Dharitri Odia News.

ବିକାଶଶୀଳ ଦେଶ ଓ ଜଳବାୟୁ ପରିବର୍ତ୍ତନ

ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ୨୦୨୩ରେ ସେମାନଙ୍କ ଋଣ ପରିଚାଳନା କରିବାରେ ଯଦିଓ କଷ୍ଟକର ହୋଇଛି ତଥାପି ସେମାନେ ଚଳିତ ବର୍ଷ ଆହୁରି ଅଧିକ ଆହ୍ବାନର ସମ୍ମୁଖୀନ ହେବା ସମ୍ଭାବନା ଅଛି। ଅଧିକାଂଶଙ୍କ ଉପରେ ଅପେକ୍ଷାକୃତ କମ୍‌ ଋଣ ଥିବାରୁ ସେମାନଙ୍କୁ ପରିଶୋଧରେ ଅସମର୍ଥ ବୋଲି ବିବେଚନା କରାଯାଏ ନାହିଁ। ଅନେକେ ବି ଋଣ ଆକାରରେ ଅତ୍ୟଧିକ ନଗଦ ପୁଞ୍ଜି ଆବଶ୍ୟକ କରନ୍ତି ।
ଅଧିକ ଅର୍ଥ ନ ପାଇଲେ ସେମାନେ ଋଣ ଶୁଝିବାରେ ଓ ସବୁଜ ପରିବର୍ତ୍ତନ ନିବେଶ ପାଇଁ ସଂଘର୍ଷ କରିଚାଲିଥିବେ । ଏହି ବିକାଶଶୀଳ ଦେଶଗୁଡ଼ିକ ନିକଟ ଅତୀତରେ କୋଭିଡ୍‌-୧୯ ମହାମାରୀ, ଯୁଦ୍ଧ ଯୋଗୁ ଖାଦ୍ୟ ଏବଂ ଶକ୍ତି ଯୋଗାଣ ଶୃଙ୍ଖଳାରେ ବ୍ୟାଘାତ ଏବଂ ବିଶ୍ୱର ମୁଦ୍ରାସ୍ଫୀତିରେ ବୃଦ୍ଧି ଭଳି ଅନେକ ବାହ୍ୟ ଝଟକାର ସମ୍ମୁଖୀନ ହୋଇଛନ୍ତି। ତେବେ ପୁଞ୍ଜି ବଜାରରେ ସେମାନଙ୍କ ପ୍ରବେଶକୁ ବନ୍ଦ କରିଦିଆଯାଇଛି। ଅବଧି ଶେଷ ହୋଇଥିବା ଋଣର ନବୀକରଣରେ ସେମାନଙ୍କୁ ବାଧା ଦିଆଯାଉଛି। ଋଣ ପରିଶୋଧ କରିବାରେ ସେମାନଙ୍କ ଟିକସ ଓ ରପ୍ତାନି ରାଜସ୍ବର ଏକ ବୃହତ୍‌ ଅଂଶ ଦେବାକୁ ବାଧ୍ୟ କରାଯାଇଛି। ଭିତ୍ତିଭୂମିରେ ନିବେଶ, ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ଏବଂ ଜଳବାୟୁ କାର୍ଯ୍ୟ ଭଳି ପ୍ରାଥମିକତାଗୁଡ଼ିକ ଲାଗି ପରିଶୋଧ କରିପାରୁନାହାନ୍ତି। ଆଗାମୀ କିଛି ବର୍ଷ ମଧ୍ୟରେ ଏହିସବୁ ଦେଶର ଦୃଷ୍ଟିକୋଣ ଆହୁରି ଖରାପ ହେବା ସମ୍ଭାବନା ରହିଛି। ଫାଇନାନ୍ସ ଫର୍‌ ଡେଭଲପମେଣ୍ଟ ଲାବ୍‌ (ଏଫ୍‌ଡିଏଲ୍‌)ର ଆକଳନ ଅନୁଯାୟୀ, ୨୦୨୪ ଏବଂ ୨୦୨୬ରେ ଅତି କମ୍‌ରେ ୨୦ ନିମ୍ନ ଏବଂ ମଧ୍ୟବିତ୍ତ ଆୟକାରୀ ଦେଶକୁ ଅଧିକ ଋଣ ପରିଶୋଧ କରିବାକୁ ପଡ଼ିବ। ଯେହେତୁ ସେମାନେ ଏହି ଋଣରେ ଘାଣ୍ଟି ହେଉଛନ୍ତି, ସେଥିପାଇଁ ସେମାନଙ୍କର ଦୁର୍ବଳ ବିତ୍ତୀୟ ସ୍ଥିତି ଆହୁରି ଖରାପ ହେବ । ଜଳବାୟୁ କାର୍ଯ୍ୟ ପାଇଁ ଏହା ଆଦୌ ଭଲ ନୁହେଁ ।
ଜଳବାୟୁ ପରିବର୍ତ୍ତନର ବିପଦ ସାରା ବିଶ୍ୱରେ ଅନୁଭୂତ ହେଉଛି। ବିଶେଷକରି ବିକାଶଶୀଳ ଦେଶଗୁଡ଼ିକରେ ଜଳବାୟୁ ବିପଦର ପ୍ରଭାବ ଅଧିକ । କିନ୍ତୁ ଗତବର୍ଷ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ସମ୍ମିଳନୀ ଏକ ନିରାଶାଜନକ ବାର୍ତ୍ତା ଦେଇଥିଲା। ବିକଶିତ ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବା ଲାଗି ପାଣ୍ଠି ଯୋଗାଣ ଅବଧି ୨୦୩୦କୁ ବଢ଼ାଇଥିବାବେଳେ ବିକାଶଶୀଳ ଦେଶଗୁଡ଼ିକର ନୀତି ନିର୍ଦ୍ଧାରକମାନେ ଗମ୍ଭୀର ଆର୍ଥିକ ପ୍ରତିବନ୍ଧକ ବିରୋଧରେ ସଂଘର୍ଷ କରୁଛନ୍ତି। ସ୍ବଳ୍ପ ମିଆଦୀ ବିପଦକୁ ଦୂରକରିବା ପାଇଁ ସେମାନେ ମଧ୍ୟମ ମିଆଦୀ ରଣନୀତି ଆପଣାଇବା ଯୋଗୁ ବିକାଶଶୀଳ ଓ ବିକଶିତ ଦେଶସବୁ ନୈରାଶ୍ୟଭାବ ପ୍ରକାଶ କରୁଛନ୍ତି। ଏହାସହ ଏକ ନୂତନ ବୈଶ୍ୱିକ ଅର୍ଥ ଯୋଗାଣ ଚୁକ୍ତି ପାଇଁ ଗତ ଜୁନ୍‌ରେ ପ୍ୟାରିସ୍‌ରେ ଅନୁଷ୍ଠିତ ବୈଠକରେ ନିରାଶା ପ୍ରକାଶ ପାଇଛି।
ମଲ୍ଟିଲାଟେରାଲ ଡେଭଲପମେଣ୍ଟ ବ୍ୟାଙ୍କ(ଏମ୍‌ଡିବି) ବା ବହୁଦେଶୀୟ ବିକାଶ ବ୍ୟାଙ୍କଗୁଡିକ ଜୀବନ ପ୍ରଦାନ କରିପାରନ୍ତି। କିନ୍ତୁ ସେମାନଙ୍କର କ୍ଷମତାକୁ ଶୀଘ୍ର ଦୃଢ଼ କରିବାକୁ ପଡିବ। ବିଶ୍ୱବ୍ୟାଙ୍କର ତଥ୍ୟ ଅନୁଯାୟୀ, ୨୦୨୨ରେ ଏମ୍‌ଡିବିରୁ ବିଶ୍ୱର ଗରିବ ଦେଶଗୁଡ଼ିକ ନେଇଥିବା ନୂତନ ରିହାତିଭିତ୍ତିକ ଋଣ ଏହିସବୁ ଦେଶର ପରିଶୋଧ ଦେୟଠାରୁ କମ୍‌ ଥିଲା, ଯାହାର ଏକ ବଡ଼ ଅଂଶ ଘରୋଇ ଏବଂ ଦ୍ୱିପାକ୍ଷିକ ଋଣଦାତାଙ୍କ ନିକଟକୁ ଯାଇଥିଲା। ବିକାଶଶୀଳ ଦେଶରୁ ପୁଞ୍ଜି ବାହାରକୁ ଅଧିକ ଚାଲିଯାଉଛି। ଉନ୍ନତ ଅର୍ଥ ବ୍ୟବସ୍ଥାରେ ସୁଧ ହାର ବୃଦ୍ଧି କରିବା ଯୋଗୁ ଏହା ଘଟୁଛି । ଏହା ଯୋଗୁ ସ୍ବଳ୍ପ ଆୟକାରୀ ଦେଶଗୁଡ଼ିକର ନଗଦ ଆବଶ୍ୟକତା ବଢ଼ିଛି। ଦେଖିବାକୁ ଗଲେ ଋଣ ପରିଶୋଧ କରିବାକୁ ସଂଘର୍ଷ କରୁଥିବା ଦେଶଗୁଡ଼ିକୁ ସମର୍ଥନ କରିବାକୁ ଏମ୍‌ଡିବିଗୁଡ଼ିକର କାର୍ଯ୍ୟ ଏପର୍ଯ୍ୟନ୍ତ ଅସଙ୍ଗତ ରହିଆସିଛି। ଉଦାହରଣ ସ୍ବରୂପ, ଉଭୟ କେନିଆ ଏବଂ ଇଥିଓପିଆ ସେମାନଙ୍କ ବେସରକାରୀ ତଥା ଚାଇନାର ଋଣଦାତାଙ୍କୁ ପରିଶୋଧ କରିବାକୁ ଚାପରେ ରହିଛନ୍ତି। ଏହି ଋଣଦାତାମାନେ ଏବେ ନୂଆ ଋଣ ଦେବା ଅପେକ୍ଷା ପୂର୍ବରୁ ଦେଇଥିବା ଋଣ ଓ ସୁଧ ଦେୟ ବାବଦରେ ଅଧିକ ସଂଗ୍ରହ କରୁଛନ୍ତି। କେବଳ କେନିଆ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି, ବିଶ୍ୱବ୍ୟାଙ୍କ ଏବଂ ଅନ୍ୟମାନଙ୍କଠାରୁ ଅବଧି ଶେଷ ହୋଇଥିବା ଋଣଗୁଡ଼ିକର ପରିଶୋଧ କରିବାକୁ ପୁଣି ପର୍ଯ୍ୟାପ୍ତ ବିତ୍ତୀୟ ସହାୟତା ପାଇଛି। ଅପରପଟେ ନିକଟ ବର୍ଷଗୁଡ଼ିକରେ ଇଥିଓପିଆ ପାଇଁ ଆର୍ଥିକ ସହାୟତା କମିଯାଇଛି। କେନିଆ ପାଇଁ ନିଆଯାଇଥିବା ଦୃଷ୍ଟିକୋଣ ସମାଧାନର ବାଟ ନୁହେଁ। ସାମ୍ପ୍ରତିକ ମାକେର୍ଟରୁ ନଗଦ ଅର୍ଥ ପାଇପାରୁ ନ ଥିବା ସବୁ ଦେଶକୁ ସମାନ ପ୍ରକାର ସହାୟତା ଯୋଗାଇଦେବାକୁ ହେଲେ ଏମ୍‌ଡିବି ଏହାର ରିହାତିଭିତ୍ତିକ ଋଣ ୩ ଗୁଣ ବୃଦ୍ଧି କରିବାକୁ ହେବ, ଯାହା ସମ୍ପୂର୍ଣ୍ଣ ଗ୍ରହଣୀୟ ନୁହେଁ।
ଏକ ଉତ୍ତମ ଦୃଷ୍ଟିକୋଣ ନିଆଯିବା ଦରକାର, ଯାହା ସ୍ବଳ୍ପମିଆଦୀ ଋଣ ସମସ୍ୟା ଏବଂ ଆବଶ୍ୟକ ଦୀର୍ଘକାଳୀନ ନିବେଶ ମଧ୍ୟରେ ବ୍ୟବଧାନକୁ ବନ୍ଦ କରିବା ଉପରେ ଧ୍ୟାନ ଦେବ। ନଗଦ ଋଣ ପାଇବାରେ ବାଧାର ସମ୍ମୁଖୀନ ହେଉଥିବା ଦେଶଗୁଡ଼ିକ ପାଇଁ ଅର୍ଥ ଆସିବାର ବାଟ ଖୋଲି ଏହା କରାଯିବା ଦରକାର। ଏଫ୍‌ଡିଏଲ୍‌ ଏବେ ଋଣଗ୍ରହୀତା, ଋଣଦାତା ଏବଂ ଏମ୍‌ଡିବି ମଧ୍ୟରେ ଏକ ଚୁକ୍ତି ପାଇଁ ପ୍ରସ୍ତାବ ଦେଇଛି। ଆଗାମୀ ଋଣର ଦେୟ ସମ୍ପର୍କରେ ପୁନଃ କାର୍ଯ୍ୟପନ୍ଥା ସ୍ଥିର କରିବାକୁ ଅନୁମତି ଦେବା ଲାଗି ଏହି ପ୍ରସ୍ତାବ ଆଣିଛି। ୫-୧୦ବର୍ଷ ଯାଏ ଋଣ ପରିଶୋଧ ସମୟସୀମା ବଢ଼ାଇଲେ ଏମ୍‌ଡିବି ଦ୍ୱାରା ଯୋଗାଇ ଦିଆଯାଇଥିବା ଅର୍ଥ ଜଳବାୟୁ ଅନୁକୂଳ ନିବେଶ ପାଇଁ ବିତ୍ତୀୟ ସୁଯୋଗ ସୃଷ୍ଟି କରିବ। ବିପଦକୁ ନିୟନ୍ତ୍ରଣ କରିବାରେ ଆଇଏମ୍‌ଏଫ୍‌ର ଋଣ ନବୀକରଣ ସାହାଯ୍ୟ କରୁଥିବାବେଳେ ଏମ୍‌ଡିବିଗୁଡ଼ିକୁ ଏବକାର ସଂସ୍କାର ଯୋଜନା କାର୍ଯ୍ୟକାରୀ ଓ ଅଗ୍ରଗତିକୁ ତ୍ୱରାନ୍ବିତ କରିବାକୁ ପଡ଼ିବ ଏବଂ ଅର୍ଥଯୋଗାଣକୁ ବହୁଗୁଣିତ କରିବାକୁ ହେବ। ଗୁରୁତ୍ୱପୂର୍ଣ୍ଣ ହେଉଛି, ବେସରକାରୀ ଏବଂ ଦ୍ୱିପାକ୍ଷିକ ଋଣଦାତାମାନଙ୍କୁ ପୁନଃ ନୀତି ନିର୍ଦ୍ଧାରଣ ପାଇଁ ରାଜିହେବାକୁ ପଡ଼ିବ। ସେଥିପାଇଁ, ୨୦୨୦ରେ ଜି୨୦ର ପ୍ରସ୍ତାବରେ ପ୍ରାଇଭେଟ୍‌ ଋଣଦାତାମାନଙ୍କୁ ଅଂଶଗ୍ରହଣ କରିବା ପ୍ରୋତ୍ସାହନକୁ ଅନ୍ତର୍ଭୁକ୍ତ କରାଯାଇଛି। ସର୍ବଶେଷରେ ଋଣ ପରିଶୋଧ କରିବା କ୍ଷମତା ଥିବା ଦେଶଗୁଡ଼ିକରେ ସେମାନଙ୍କ ଅଭିବୃଦ୍ଧି ବଢ଼ାଇବା ଲାଗି ନିବେଶ କରାଯାଇଥିବାରୁ ଜାମ୍ବିଆ ଏବଂ ଶ୍ରୀଲଙ୍କାକୁ ଫାଶରେ ପକାଇଥିବା ଭଳି ଋଣ ସଙ୍କଟରୁ ସେମାନଙ୍କଠାରୁ କେହି ଲାଭ ଉଠାଇବା ଉଚିତ ନୁହେଁ। ବିଶ୍ୱର ସୁଧ ହାର ହ୍ରାସ ପାଉଥିବାରୁ ଆଗାମୀ ବର୍ଷରେ ଅର୍ଥନୈତିକ ଅଭିବୃଦ୍ଧି ଆଶା ବଢ଼ିବ, ଋଣଦାତାମାନେ ପୁଞ୍ଜିବଜାରକୁ ଫେରିପାରିବେ ଏବଂ ଋଣ ପରିଶୋଧ ଆରମ୍ଭ କରିପାରିବେ।
ଏସବୁ ପାଇଁ ନକ୍ସା ପ୍ର୍ରସ୍ତୁତ କରିବା ଆବଶ୍ୟକ। ବ୍ରାଜିଲରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀ ପାଇଁ ଏକ ବଡ଼ ଦାୟିତ୍ୱ ହେବ। ଋଣ ଆକାରରେ ପର୍ଯ୍ୟାପ୍ତ ଅର୍ଥ ଯୋଗାଣ ନିଶ୍ଚିତ କରିବାକୁ ଯୁକ୍ତିଯୁକ୍ତ ତଥା ବିତ୍ତୀୟ ସମନ୍ବୟ ଆବଶ୍ୟକ। ଋଣ ନେଉଥିବା ଦେଶଗୁଡ଼ିକୁ ସବୁଜ ଅଭିବୃଦ୍ଧିରେ ନିବେଶ କରିବା ଲାଗି ପ୍ରେରିତ କରିବାକୁ ଆଇଏମ୍‌ଏଫ୍‌, ବିଶ୍ୱବ୍ୟାଙ୍କ ଏବଂ ଆଞ୍ଚଳିକ ବିକାଶ ବ୍ୟାଙ୍କଗୁଡିକ ମଧ୍ୟରେ ସମନ୍ବୟ ଲୋଡ଼ା। ଯଦି ନଗଦ ଅର୍ଥ ସଙ୍କଟର ସମ୍ମୁଖୀନ ହେଉଥିବା ଦେଶଗୁଡିକୁ ସାହାଯ୍ୟ କରିବା ପାଇଁ କିଛି କରାଯାଇ ନାହିଁ, ତେବେ ଋଣଖିଲାପୀଙ୍କ ଅସ୍ଥିରତା ବିପଦକୁ ବିଶ୍ୱ ସାମ୍ନା କରିବ। ସବୁଜ ଆଡ଼କୁ ପରିବର୍ତ୍ତନ ଦିଗରେ ହେଉଥିବା ଅଗ୍ରଗତି ଗମ୍ଭୀର ଭାବେ କ୍ଷୁଣ୍ଣ ହେବ ଏବଂ ସମଗ୍ର ବିଶ୍ୱ ପାଇଁ ବିନାଶକ ପରିଣାମ ଆଣିବ। ଏମ୍‌ଡିଏଫ୍‌, ଆଇଏମ୍‌ଏଫ୍‌ ଓ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାଗୁଡ଼ିକ ଋଣଦାତା ଓ ଗ୍ରହୀତାଙ୍କ ମଧ୍ୟରେ ନଗଦ ଅର୍ଥ ସଙ୍କଟ ଦୂର କରାଯାଇପାରିଲେ ଏହିପରି ପରିଣାମକୁ ରୋକାଯାଇପାରିବ।

  • ଇଶାକ୍‌ ଦିଓ୍ବାନ୍‌, ରିସର୍ଚ୍ଚ ଡାଇରେକ୍ଟର, ଫାଇନାନ୍ସ ଫର୍‌ ଡେଭଲପମେଣ୍ଟ ଲାବ୍‌
  • ଭେରା ସଙ୍ଗ୍ବି, ସିନିୟର ଫେଲୋ, ବ୍ରୁକିଙ୍ଗସ୍‌ ଇନ୍‌ଷ୍ଟିଚ୍ୟୁଟ

The post ବିକାଶଶୀଳ ଦେଶ ଓ ଜଳବାୟୁ ପରିବର୍ତ୍ତନ appeared first on Dharitri Odia News.