ବିଗିଡ଼ିଲା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ହେଲେ ଭର୍ତ୍ତି

ଏବେ ସେଠାରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ପକ୍ଷରୁ କରାଯାଉଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। 

ବିଗିଡ଼ିଲା ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା, ଏମ୍ସରେ ହେଲେ ଭର୍ତ୍ତି

ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥା ଆଜି ହଠାତ୍‌ ବିଗିଡ଼ି ଯାଇଛି। ଏଥିପାଇଁ ତାଙ୍କୁ ଦିଲ୍ଲୀ ଏମ୍ସର ଏମର୍ଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି। ୯୨ ବର୍ଷୀୟ ଶ୍ରୀ ସିଂହଙ୍କୁ ସନ୍ଧ୍ୟା ପ୍ରାୟ ୮ଟା ବେଳେ ଏମ୍ସକୁ ଅଣାଯାଇଥିଲା। ଏବେ ସେଠାରେ ତାଙ୍କର ଚିକିତ୍ସା ସ୍ୱତନ୍ତ୍ର ଡାକ୍ତରୀ ଟିମ ପକ୍ଷରୁ କରାଯାଉଛି। କିନ୍ତୁ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। 

ତେବେ ହଠାତ୍‌ କାହିଁକି ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା, ସେ ସମ୍ପର୍କରେ କିଛି ବି ସୂଚନା ମିଳିନାହିଁ। ହସ୍ପିଟାଲ ପକ୍ଷରୁ ମଧ୍ୟ ଶ୍ରୀ ସିଂହଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ କୌଣସି ପ୍ରକାରର ବୁଲେଟିନ ଜାରି କରାଯାଇ ନାହିଁ।

ପିଭି ନରସୀମା ରାଓଙ୍କ ସରକାରରେ ମନମୋହନ ସିଂହ ଦେଶର ଅର୍ଥମନ୍ତ୍ରୀ ଥିଲେ। ଏହି ସମୟରେ ଭାରତୀୟ ଅର୍ଥନୀତିରେ ସେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ। ଭାରତୀୟ ଅର୍ଥନୀତି ତାଙ୍କ ତୁଳୀରେ ନୂଆ ରୂପ ପାଇଥିଲା। ଆରବିଆର ଗଭର୍ଣ୍ଣ ଭାବେ କାମ କରି ସାରିଥିବା ମନମୋହନ ସିଂହ ୨୦୦୪ରୁ ୨୦୧୪ ଯାଏ ଦେଶର ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ। 

ସେ ଦେଶର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲେ। ସେ ଲୋକସଭା ନିର୍ବାଚନ ଜିତି ନାହାନ୍ତି। ଗୋଟିଏ ଦଶନ୍ଧିରୁ ଅଧିକ ସହ ରାଜ୍ୟସଭାର ସଦସ୍ୟ ଭାବେ କାମ କରି ଆସିଥିବା ଶ୍ରୀ ସିଂହ ଚଳିତ ବର୍ଷ ଏପ୍ରିଲରେ ଅବସର ନେଇଥିଲେ।

ଦୀର୍ଘଦିନ ହେଲା ସେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ମଧ୍ୟଗ ଗତି କରୁଥିଲେ। ଆଜି ଅବସ୍ଥା ସାଂଘାତିକ ହେବାକୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।