ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ

୨୦୨୦ ମସିହାରେ ରାଜ୍ୟସଭାକୁ ବିଜେଡି ଟିକେଟ୍‌ରେ ନିର୍ବାଚିତ ହୋଇଥିଲେ ମମତା ମହନ୍ତ ।

ବିଜେଡି ଛାଡ଼ିଲେ, ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ

ନିର୍ବାଚନ ପରେ ବିଜୁ ଜନତା ଦଳକୁ ବଡ଼ ଧକ୍କା । ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ବିଜେଡି ସାଂସଦ ମମତା ମହାନ୍ତ । ରାଜ୍ୟସଭା ସାଂସଦ ପଦ ସହ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଛନ୍ତି । ଏ ନେଇ ସୋସିଆଲ ମିଡିଆ ‘ଏକ୍ସ’ ହ୍ୟାଣ୍ଡେଲରେ ନିଜେ ସୂଚନା ଦେଇଛନ୍ତି ମମତା ମହାନ୍ତ ।

ଇସ୍ତଫାର କାରଣ ସମ୍ପର୍କରେ ମମତା ଦର୍ଶାଇଛନ୍ତି ଯେ, ବିଜେଡିରେ ସେ ଅଲୋଡ଼ା ହୋଇପଡ଼ିଥିଲେ ଏବଂ ଦଳ ତାଙ୍କ ସେବାର ଆବଶ୍ୟକତା ଅନୁଭବ କରୁନଥିଲା । ସେ ଲୋକଙ୍କ ନେତା ଏବଂ ଲୋକଙ୍କ ସେବା ହିଁ ତାଙ୍କର ମୁଖ୍ୟ ଧ୍ୟେୟ ବୋଲି ସେ ଉଲ୍ଲେଖ କରିଛନ୍ତି । ଏହି କାରଣରୁ ସେ ଆଉ ସେହି ଦଳରେ ରହିବାର ଆବଶ୍ୟକତା ଅନୁଭବ କରୁନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି ମମତା । ମୟୂରଭଞ୍ଜ ଜିଲ୍ଲାର କୁଡ଼ୁମୀ ସଂପ୍ରଦାୟର ଟାଣୁଆ ନେତ୍ରୀ ମମତା ମହାନ୍ତ ୨୦୨୦ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

୨୦୨୬ ଏପ୍ରିଲରେ ତାଙ୍କ କାର୍ଯ୍ୟକାଳ ସରିବାର ଥିଲା । ତେବେ ଏହାର ପ୍ରାୟ ୨୧ ମାସ ପୂର୍ବରୁ ସେ ରାଜ୍ୟସଭା ସଭ୍ୟ ପଦ ସହ ବିଜେଡି ମଧ୍ୟ ଛାଡ଼ିଛନ୍ତି। ସେପଟେ ମମତା ସାଂସଦ ପଦରୁ ଇସ୍ତଫା ଦେଇଥିବା ନେଇ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକଡ ସୂଚନା ଦେଇଛନ୍ତି। ମମତାଙ୍କ ଇସ୍ତଫା ପରେ ବିଜେଡିର ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ୯ରୁ ୮କୁ ଖସିଛି ।