ବିଜେଡି ପ୍ରାର୍ଥୀ ତାଲିକା: ବିଧାନସଭା ମଇଦାନରେ ଡେବ୍ୟୁ କରିବେ ୧୩ ପ୍ରାର୍ଥୀ: ୧୧ ବିଧାୟକଙ୍କ ଟିକେଟ୍ କାଟିଲା
ପ୍ରଥମ ପର୍ଯ୍ୟାୟରେ ମୋଟ ୭୧ଜଣଙ୍କ ମଧ୍ୟରୁ ମାତ୍ର ୧୧ଜଣ ମହିଳାଙ୍କୁ ବିଧାୟିକା ପ୍ରାର୍ଥୀ କରିଛି ବିଜେଡି।
ବିଜେଡି ଆଜି ପ୍ରଥମ ପର୍ଯ୍ୟାୟରେ ୭୧ ବିଧାନସଭା ଓ ଦୁଇଟି ପର୍ଯ୍ୟାୟରେ ୧୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ୭୧ଟି ବିଧାନସଭା ଆସନ ପାଇଁ ଘୋଷିତ ପ୍ରାର୍ଥୀ ତାଲିକାରେ ଦଳ ୮୫ ପ୍ରତିଶତରୁ ଅଧିକ ପ୍ରାର୍ଥୀଙ୍କୁ ପୁଣିଥରେ ରିପିଟ୍ କରିଛି। ମାତ୍ର ଏଥିରେ ପ୍ରଥମଥର ପାଇଁ ନିର୍ବାଚନରେ ଡେବ୍ୟୁ କରୁଥିବା ନେତାଙ୍କ ସଂଖ୍ୟା ୧୩ ଜଣ ରହିଛି। କିଛି ଉତ୍ତରାଧିକାରୀ ସୂତ୍ରରେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଦଳ ୧୧ଜଣ ବିଧାୟକଙ୍କ ଟିକେଟ୍ କାଟିଛି ଓ ସେଥିରୁ ୩ଜଣ ବିଧାୟକଙ୍କ ପୁଅ-ପତ୍ନୀଙ୍କୁ ଟିକେଟ୍ ଦେଇଥିବାବେଳେ ଦୁଇଜଣ ବିଧାୟକଙ୍କୁ ସାଂସଦ ପ୍ରାର୍ଥୀ କରିଛି।
ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଘୋଷିତ ୭୧ଟି ଆସନରେ ନୂଆ ମୁହଁ ଭାବେ ବିଜେଡି ଟିକେଟରେ ବିଧାନସଭା ନିର୍ବାଚନରେ ଡେବ୍ୟୁ କରିବାକୁ ଥିବା ପ୍ରାର୍ଥୀମାନେ ହେଲେ ରାୟଗଡ଼ା-ଅନୁସୂୟା ମାଝୀ, ବସ୍ତାରୁ ସୁଭାସିନୀ ଜେନା, ଯାଜପୁରରୁ ସୁଜାତା ସାହୁ, ଧାମନଗରରୁ ସଞ୍ଜୟ ଦାସ, ଲୋଇସିଂହାରୁ ନିହାର ବେହେରା, ଉମରକୋଟରୁ ନବୀନା ନାୟକ, ନବରଙ୍ଗପୁରରୁ କୌଶଲ୍ୟା ପ୍ରଧାନୀ, ଭବାନୀପାଟଣାରୁ ଲତିକା ନାୟକ, ପାଟକୁରାରୁ ଅରବିନ୍ଦ ମହାପାତ୍ର, ସୋରଡ଼ାରୁ ସଂଘମିତ୍ରା ସ୍ୱାଇଁ, ଦିଗପହଣ୍ଡିରୁ ବିପ୍ଲବ ପାତ୍ର, ଚିକିଟିରୁ ଚିନ୍ମୟାନନ୍ଦ ଶ୍ରୀରୂପ ଦେବ ଓ ପୁରୀରୁ ସୁନୀଲ ମହାନ୍ତି ରହିଛନ୍ତି। ଏମାନଙ୍କ ମଧ୍ୟରୁ କେବଳ ଧାମନଗରରୁ ଡାକ୍ତର ସଞ୍ଜୟ ଦାସଙ୍କୁ ବାଦ୍ ଦେଲେ ଅନ୍ୟ ସମସ୍ତେ ରାଜନୀତିକ ପରିବାର ସହ ଜଡ଼ିତ ବ୍ୟକ୍ତି। ପିତା,ମାତା ଓ ପତିଙ୍କ ରାଜନୀତିକ ଉତ୍ତରାଧିକାରୀ ସୂତ୍ରରେ ସେମାନଙ୍କୁ ଟିକେଟ୍ ମିଳିଛି।
ରାୟଗଡ଼ାରୁ ବିଜେଡି ପ୍ରାର୍ଥୀ ଅନୁସୂୟା ମାଝୀ ହେଉଛନ୍ତି ପୂର୍ବତନ ବିଧାୟକ ଅନନ୍ତରାମ ମାଝୀଙ୍କ ଝିଅ ତଥା ମହିଳା ବିଜେଡି ଜିଲ୍ଲା ସଭାନେତ୍ରୀ ଓ ରାୟଗଡ଼ା ସ୍ୱତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷା ଅଛନ୍ତି। ସେହିପରି ବସ୍ତାରୁ ସୁଭାସିନୀ ହେଉଛନ୍ତି ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପତ୍ନୀ। ଯାଜପୁରରୁ ବିଜେଡି ପ୍ରାର୍ଥୀ ସୁଜାତା ସାହୁ ହେଉଛନ୍ତି ଦଶରଥପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷା ଥିଲେ। ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ପ୍ରାର୍ଥୀ କରାଇଛନ୍ତି।
ସେହିପରି ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ଉମରକୋଟ ବିଧାୟକ ସୁବାସ ଗଣ୍ଡ, ଝରିଗାଁ ବିଧାୟକ ପ୍ରକାଶ ମାଝୀ, ଧର୍ମଗଡ଼ ବିଧାୟକ ମୌସୁଧି ବାଗ, ପାଟକୁରା ବିଧାୟକ ସାବିତ୍ର ଅଗ୍ରୱାଲ ଓ କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନଙ୍କୁ ଦଳ ଟିକେଟ୍ ଦେଇନାହିଁ। ସେହିପରି ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବଦଳରେ ତାଙ୍କ ପତ୍ନୀ ସଂଘମିତ୍ରା, ଚିକିଟି ବିଧାୟିକା ଉଷା ଦେବୀଙ୍କ ପରିବର୍ତ୍ତେ ତାଙ୍କ ପୁଅ ଚିନ୍ମୟାନନ୍ଦ, ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ବଦଳରେ ତାଙ୍କ ପତ୍ନୀ କୌଶଲ୍ୟାଙ୍କୁ ଦଳ ଟିକେଟ୍ ଦେଇଛି। ଯାଜପୁର ବିଧାୟକ ପ୍ରଣବପ୍ରକାଶ ଦାସ ଓ ବାଙ୍ଗିରିପୋଷି ବିଧାୟକ ସୁଦାମ ମାର୍ଣ୍ଡିଙ୍କୁ ଲୋକସଭା ପ୍ରାର୍ଥୀ କରାଯାଇଛି।
ଏହାବ୍ୟତୀତ ଦଳ କିଛି ଆସନରେ ନିଜର ପ୍ରାର୍ଥୀଙ୍କୁ ଅଦଳବଦଳ କରାଇଛି। ଦୁର୍ନୀତି ମାମଲାରେ ବିବାଦୀୟ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଭଣ୍ଡାରୀପୋଖରୀରୁ ଆଣି ଭଦ୍ରକରେ ପ୍ରାର୍ଥୀ କରାଇଛି। ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କୁ ଭଣ୍ଣାରୀପୋଖରୀରୁ ପ୍ରାର୍ଥୀ କରିଛି। ସେହିପରି ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କୁ ବ୍ରହ୍ମଗିରିରୁ ପ୍ରାର୍ଥୀ କରାଇଛି। ଗତଥର ନିର୍ବାଚନ ହାରିଥିବା ସଞ୍ଜୟ ଦାସବର୍ମାଙ୍କୁ ବ୍ରହ୍ମଗିରି ପରିବର୍ତ୍ତେ ସତ୍ୟବାଦୀରୁ ପ୍ରାର୍ଥୀ କରାଇଛି।
ସେହିପରି ପ୍ରଥମ ପର୍ଯ୍ୟାୟରେ ମୋଟ ୭୧ଜଣଙ୍କ ମଧ୍ୟରୁ ମାତ୍ର ୧୧ଜଣ ମହିଳାଙ୍କୁ ବିଧାୟିକା ପ୍ରାର୍ଥୀ କରିଛି ବିଜେଡି। ସଂସଦ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ କଥା କହୁଥିବା ବିଜେଡି କେବଳ ଧର୍ମକୁ ଆଖିଠାର ମାରିବା ଭଳି ନିର୍ବାଚନ ଜିତିବା ନିମନ୍ତେ ମହିଳା କାର୍ଡ ଖେଳୁଛି ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପକ୍ଷରେ ଲୋକସଭାରେ ବିଜେଡି ମୋଟ ୧୫ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବାବେଳେ ସେଥିରେ ମାତ୍ର ୩ଜଣ ସାଂସଦ ରାଜଶ୍ରୀ ମଲ୍ଲିକ, ଅଚ୍ୟୁତ ସାମନ୍ତ ଓ ଶର୍ମିଷ୍ଠା ସେଠୀଙ୍କୁ ପୁଣିଥରେ ସେମାନଙ୍କ ସ୍ଥାନରେ ପ୍ରାର୍ଥୀ କରାଯାଇଛି। ଦଳ ୪ଜଣ ସାଂସଦ ପ୍ରମିଳା ବିଶୋୟୀ, ପିନାକୀ ମିଶ୍ର, ମହେଶ୍ୱର ସାହୁ ଓ ଭର୍ତ୍ତୃହରି ମହତାବଙ୍କୁ ଟିକେଟ୍ ଦେଇନାହିଁ। ଶ୍ରୀ ମହତାବ ଗତ ସପ୍ତାହରେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ପିନାକୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଥିଲେ।