ବିଜେଡି ବିଧାୟକଙ୍କ ଘରେ ପଶିଲା ଇଡି; ୧୦ ସ୍ଥାନରେ ଚଢ଼ାଉ

ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି।

ବିଜେଡି ବିଧାୟକଙ୍କ ଘରେ ପଶିଲା ଇଡି; ୧୦ ସ୍ଥାନରେ ଚଢ଼ାଉ

ବିଜେଡି ବିଧାୟକଙ୍କ ଘରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ଆଜି ସକାଳେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ବିଜେଡି ବିଧାୟକଙ୍କ ଭଦ୍ରକ ନୂଆବଜାର ସ୍ଥିତ ବାସଭବନରେ ଇଡିର ୬ଜଣିଆ ଟିମ୍ ଚଢ଼ାଉ କରିଥିବା ଜଣାଯାଇଛି। ସେହିପରି ବିଜେଡି ବିଧାୟକଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ଇଡି ଚଢ଼ାଉ କରିଛି।

ଭଦ୍ରକ ସହରର ୬ଟି ସ୍ଥାନରେ ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଇଡି ରେଡ୍‌ କରିଥିବା ସୂଚନା ରହିଛି। ଇଡିର ଅଧିକାରୀମାନେ  ବିଜେଡି ବିଧାୟକଙ୍କ ଘରେ କାଗଜପତ୍ର ଯାଞ୍ଚ କରୁଥିବା ଜଣାପଡ଼ିଛି।

୭ରୁ ୮ବର୍ଷ ତଳେ ବରପଦା ଇଞ୍ଜିନିୟରିଂ କଲେଜରେ କୋଟିକୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହାସହ ବରପଦା ଇଞ୍ଜିନିୟରିଂ କଲେଜରେ ୨୦ କୋଟି ଟଙ୍କାର ଜମି ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। କର୍ମଚାରୀଙ୍କୁ ଦୀର୍ଘ ଦିନ ହେଲା ଦରମା ମିଳୁନଥିଲା। ଏନେଇ କର୍ମଚାରୀମାନେ ଆନ୍ଦୋଳନ କରିଥିଲେ ଓ ଭଦ୍ରକ ବନ୍ଦ ଡାକରା ଦେଇଥିଲେ। ସେହି ସମୟରେ ବରପଦା କଲେଜର ଚେୟାରମ୍ୟାନ ବିଜେଡି ବିଧାୟକଙ୍କ ପୁଅ ଥିଲେ। ଏହି ଲିଙ୍କରେ ଆଜି ବିଜେଡି ବିଧାୟକଙ୍କ ଘରେ ଚଢ଼ାଉ କରାଯାଉଥିବା ସୂଚନା ରହିଛି। 

କେନ୍ଦ୍ରୀୟ ସୁରକ୍ଷା କର୍ମୀମାନେ ବିଜେଡି ବିଧାୟକ ଘର ଚାରିପଟେ ଜଗି ରହିଥିବାରୁ ଭିତରକୁ କାହାକୁ ପ୍ରବେଶ କରାଇ ଦିଆଯାଉ ନାହିଁ।  ଏହାସହ ବରପଦା ଇଞ୍ଜିନିୟରିଂ କଲେଜର ପୂର୍ବତନ ଅଧ୍ୟକ୍ଷଙ୍କ ଘରେ ମଧ୍ୟ ରେଡ୍‌ କରାଯାଇଥିବା ସୂଚନା ରହିଛି।