୧ଟା ୧୦ରେ ପହଣ୍ଡି, ୫ଟାରେ ରଥଟଣା

ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ। ପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ।

୧ଟା ୧୦ରେ ପହଣ୍ଡି, ୫ଟାରେ ରଥଟଣା

ମହାପ୍ରଭୁଙ୍କ ରଥଯାତ୍ରା ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି। ଚଳିତବର୍ଷ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଓ ରଥଯାତ୍ରା ଗୋଟିଏ ଦିନରେ ପଡୁଥିବାରୁ ୧୯୭୧ ମସିହାରେ ହୋଇଥିବା ନୀତିକାନ୍ତି ଅନୁଯାୟୀ ମହାପ୍ରଭୁଙ୍କ ରଥଯାତ୍ରା ହେବା ପାଇଁ ସ୍ଥିର ହୋଇଛି। ପୁରୀ ବଡ଼ଦାଣ୍ଡ ସ୍ଥିତ ନିଳାଦ୍ରୀ ଭକ୍ତ ନିବାସଠାରେ ବସିଥିବା ଛତିଶା ନିଯୋଗ ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି।

ଆସନ୍ତା ଜୁଲାଇ ୭ ତାରିଖରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ହେବ। ତେବେ ଏହାର ପୂର୍ବଦିନ ଅର୍ଥାତ୍ ଜୁଲାଇ ୬ ତାରିଖରେ ପଟି ଦିଅଁଙ୍କଠାରୁ ଆଜ୍ଞାମାଳ ବିଜେ ହୋଇ ରଥଖଳାକୁ ଆସିବ। ପରେ ତିନି ରଥକୁ ସିଂହଦ୍ଵାର ସମ୍ମୁଖକୁ ଅଣାଯିବ। ୬ ତାରିଖରେ ମହାପ୍ରଭୁଙ୍କ ସକାଳ ଧୂପ ପରେ ରଥଖଳାକୁ ଆଜ୍ଞା ମାଳ ବିଜେ କରିବ। ସକାଳ ୭ଟାରୁ ୮ଟା ୩୦ ମଧ୍ୟରେ ସକାଳ ଧୂପ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ରଥ ଆଜ୍ଞାମାଳ ବିଜେ ସକାଳ ୮ଟା ୪୫ ରେ ଅନୁଷ୍ଠିତ ହେବ। ସେହିପରି ସେହି ଦିନ ସନ୍ଧ୍ୟା ଧୂପ ପରେ ଅପରାହ୍ନ ୫ଟାରେ ଧ୍ୱଜା ଆଜ୍ଞାମାଳ ବିଜେ ହେବ।

୭ ତାରିଖରେ ରାତି ୨ଟାରେ ମଙ୍ଗଳ ଆଳତୀ ପରେ ବିଭିନ୍ନ ନୀତିକାନ୍ତି ହେବ। ସକାଳ ସାଢ଼େ ୭ଟାରୁ ଦିନ ସାଢ଼େ ୧୨ଟା ମଧ୍ୟରେ ସେନାପଟା ଲାଗି ହେବ। ଦିନ ୧୧ଟାରେ ରଥ ପ୍ରତିଷ୍ଠା, ମଙ୍ଗଳାର୍ପଣ ଦିନ ୧ଟାରେ, ପହଣ୍ଡି ୧ ଟା ୧୦ ମିନିଟ୍‌ରେ ପହଣ୍ଡି ଆରମ୍ଭ ହୋଇ ୨ଟା ୩୦ରେ ଶେଷ ହେବ। ଏହାପରେ ଅପରାହ୍ନ ୪ ଟାରେ ଗଜପତି ମହାରାଜାଙ୍କ ଦ୍ୱାରା ଛେରାପହଁରା ନୀତି ଅନୁଷ୍ଠିତ ହେବ। ତା’ପରେ ଅର୍ଥାତ ଅପରାହ୍ନ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ। ଚଳିତବର୍ଷ ରଥଯାତ୍ରାଠାରୁ ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି କାନ୍ତି କିଭଳି ସୁରୁଖୁରୁରେ ଓ ଶୃଙ୍ଖଳିତ ଭାବେ ହୋଇପାରିବ, ସେ ନେଇ ସମସ୍ତଙ୍କ ସହଯୋଗ ଲୋଡିଛି ଶ୍ରୀମନ୍ଦିର ପ୍ରଶାସନ।

ଆଜି ବସିଥିବା ଛତିଶା ନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସପି ପିନାକ ମିଶ୍ର, ଶ୍ରୀମନ୍ଦିର ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଛତିଶା ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଆସନ୍ତାକାଲି ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହେବାକୁ ଥିବାବେଳେ ରଥଯାତ୍ରା ନୀତି ନିର୍ଘଣ୍ଟକୁ ପାରିତ କରିବ ପରିଚାଳନା କମିଟି।