ବିଜେଡି, ଭାଜପା କନ୍ଦଳରେ କଂଗ୍ରେସ ଖୁସ୍‌

ଖୋର୍ଦ୍ଧା,୨୫ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅତୀତରେ କମ୍ୟୁନିଷ୍ଟ ନେତା ଗଙ୍ଗାଧର ପାଇକରାୟ, ସତ୍ୟାନନ୍ଦ ଚମ୍ପତିରାୟ, ଚିନ୍ତାମଣି ପାଣିଗ୍ରାହୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦ ପ୍ରମୁଖ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ଜାନକୀ ବଲ୍ଲଭ ଓ ପ୍ରଶାନ୍ତ ନନ୍ଦ ଏଠାରୁ ୨ଥର ନିର୍ବାଚିତ ହୋଇଥିଲେ। ଯଦିଓ ଏଠାରେ ନେତୃତ୍ୱର ଅଭାବ ନ ଥିଲା, ତଥାପି ବାହାର ନେତାଙ୍କୁ  ଏକାଧିକ ସୁଯୋଗ ମିଳିଛି। ୨୦୦୦ ମସିହାରୁ ଏହି ଆସନ ବିଜେଡି ଦଖଲରେ ରହିଥିବା […] The post ବିଜେଡି, ଭାଜପା କନ୍ଦଳରେ କଂଗ୍ରେସ ଖୁସ୍‌ appeared first on Dharitri Odia News.

ବିଜେଡି, ଭାଜପା କନ୍ଦଳରେ କଂଗ୍ରେସ ଖୁସ୍‌
ଖୋର୍ଦ୍ଧା,୨୫ା୨(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲାର ବେଗୁନିଆ ବିଧାନସଭା ନିର୍ବାଚନମଣ୍ଡଳୀରୁ ଅତୀତରେ କମ୍ୟୁନିଷ୍ଟ ନେତା ଗଙ୍ଗାଧର ପାଇକରାୟ, ସତ୍ୟାନନ୍ଦ ଚମ୍ପତିରାୟ, ଚିନ୍ତାମଣି ପାଣିଗ୍ରାହୀ, ଜାନକୀ ବଲ୍ଲଭ ପଟ୍ଟନାୟକ ଏବଂ ପ୍ରଶାନ୍ତ ନନ୍ଦ ପ୍ରମୁଖ ନିଜ ଭାଗ୍ୟ ପରୀକ୍ଷା କରିଥିଲେ। ଜାନକୀ ବଲ୍ଲଭ ଓ ପ୍ରଶାନ୍ତ ନନ୍ଦ ଏଠାରୁ ୨ଥର ନିର୍ବାଚିତ ହୋଇଥିଲେ। ଯଦିଓ ଏଠାରେ ନେତୃତ୍ୱର ଅଭାବ ନ ଥିଲା, ତଥାପି ବାହାର ନେତାଙ୍କୁ  ଏକାଧିକ ସୁଯୋଗ ମିଳିଛି। ୨୦୦୦ ମସିହାରୁ ଏହି ଆସନ ବିଜେଡି ଦଖଲରେ ରହିଥିବା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ସମୀକରଣ ବଦଳିବା ନେଇ ଚର୍ଚ୍ଚା ହେଉଛି।
  ଆସନ ଅଧୀନରେ ବେଗୁନିଆ ଓ ବୋଲଗଡ ବ୍ଲ୍ଳକ ରହିଛି। ଗତ ପଞ୍ଚାୟତ ନିର୍ବାଚନକୁ ଦେଖିଲେ ସେବେଠାରୁ ଏଠାରେ ଶାସକ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି। ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁ ଏବଂ କଂଗ୍ରେସରୁ ଆସି ବିଜେଡିରେ ଯୋଗଦାନ ପରେ ଦଳର ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିବା ପ୍ରଦୀପ ସାହୁଙ୍କ ଗୋଷ୍ଠୀ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଛକାପଞ୍ଝା ଚାଲିଥିବା ସାଧାରଣରେ ଜଣାଶୁଣା। ଏପରିକି ଏକାଧିକ ଥର ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇ ଗଣମାଧ୍ୟମର ଶିରୋନାମା ପାଲଟିଛନ୍ତି। ଗତ ୧୯ ତାରିଖ ବୋଲଗଡ଼ ବ୍ଲକ ଅନ୍ତର୍ଗତ ଫାସିଓଦା ପଞ୍ଚାୟତ ଟାଙ୍ଗିସାହିଠାରେ ବିଧାୟକ ରାଜେନ୍ଦ୍ର ସାହୁଙ୍କ ଗାଡ଼ିକୁ ଅଣ୍ଡାମାଡ଼ ହୋଇଥିଲା। ଦଳୀୟ କନ୍ଦଳ ଯୋଗୁ ଏହି ଅଣ୍ଡା ମାଡ଼ ହୋଇଥିବା  ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ବିଧାୟକ ମୁହଁ ଖୋଲି ନ ଥିଲେ ମଧ୍ୟ ବିଜେଡିରେ ରହିଥିବା ଅନ୍ତର୍ଦ୍ୱନ୍ଦ୍ୱ ପଦାକୁ ଆସିଛି। ନିକଟରେ ସାରୁଅରେ ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର ଓ ପ୍ରଦୀପ ସାହୁ ଗୋଟିଏ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ବିଧାୟକଙ୍କ ଗୋଷ୍ଠୀ ପ୍ରଦୀପଙ୍କୁ ତୀବ୍ର ବିରୋଧ କରିଥିଲେ। ଏପରି କି ଉକ୍ତ କାର୍ଯ୍ୟକ୍ରମରେ ପ୍ରଦୀପଙ୍କୁ ଅଞ୍ଚଳବାସୀ ପଞ୍ଚାୟତରେ ପୂରାଇ ଦେଇ ନ ଥିବା ଆଲୋଚନା ହୋଇଥିଲା।
  ଦଳର ଗୋଷ୍ଠୀକନ୍ଦଳ ଏବେ କଂଗ୍ରେସକୁ ଫାଇଦା ହେବ ବୋଲି ଲୋକେ କହିଲେଣି। ସେପଟେ ଏଠାରୁ ଭାଜପା କାହାକୁ ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଇବ ଜଣାପଡ଼ିନାହିଁ। ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ପୁଣି ଥରେ ଲୋକ ସଭା ନିର୍ବାଚନ ଲଢ଼ି ବିଜୟଲାଭ କରିବେ ବୋଲି ଆଶା ବାନ୍ଧି ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେଣୁ ତାଙ୍କୁ ସୁହାଇଲା ଭଳି କିଏ ବିଧାନସଭା ଆସନ ଲାଗି ପ୍ରାର୍ଥୀ ହେବେ, ତାହା ଉପରେ ଦଳୀୟ କର୍ମୀଙ୍କ ନଜର। କୁହାଯାଉଛି, ଭାଜପାରେ ଅପରାଜିତାଙ୍କ ଏକଚ୍ଛତ୍ରବାଦକୁ ଦଳରେ ଏକ ଗୋଷ୍ଠୀ ବିରୋଧ କରୁଛନ୍ତି। ଦଳରେ ଅପରାଜିତାଙ୍କ ପ୍ରତି ଅସନ୍ତୋଷ କୁହୁଳିବାରେ ଲାଗିଛି।  ପ୍ରଚାର ମଇଦାନରେ ବିଜେଡି ଆଗରେ ରହିଥିବା ବେଳେ ସେଥିରେ ଯେଭଳି  ଗୋଷ୍ଠୀ କନ୍ଦଳ ସମସ୍ୟା ହୋଇଛି, ଅନୁରୂପ ସ୍ଥିତି ଭାଜପାର।
ଅନ୍ୟପଟେ ଜାନକୀଙ୍କ ପରେ ଦୁର୍ବଳ ହୋଇପଡିଥିବା କଂଗ୍ରେସ ଏବେ ପୁଣି ଥରେ ଅଣ୍ଟା ସଳଖୁଛି। ଏଠାରୁ ଜାନକୀଙ୍କ ପୁଅ ପୃଥ୍ବୀବଲ୍ଲଭ ପଟ୍ଟନାୟକ ଦଳୀୟ ଟିକେଟରେ ପ୍ରାର୍ଥୀ ହେବା ଏକପ୍ରକାର ସ୍ଥିର ହୋଇଯାଇଛି । ଗତ କିଛି ମାସ ତଳେ ପିସିସି ସଭାପତି ଖୋର୍ଦ୍ଧାରେ ଆୟୋଜିତ ସମାବେଶରେ ପୃଥ୍ବୀବଲ୍ଲଭଙ୍କ ନାମ ଘୋଷଣା କରି ସାରିଛନ୍ତି ବୋଲି କୁହାଯାଉଛି। ବେଗୁନିଆରେ ଦଳୀୟ ସଙ୍ଗଠନର ମଙ୍ଗ ଧରିଛନ୍ତି ପୃଥ୍ବୀବଲ୍ଲଭ। ଗତ ପଞ୍ଚାୟତ ନିର୍ବାଚନରେ ତାଙ୍କ ନେତୃତ୍ୱରେ ପଞ୍ଚାୟତ ଓ ଜିଲା ପରିଷଦ ଆସନରେ ପ୍ରାର୍ଥୀମାନେ ଲଢ଼ିଥିଲା। ଏବେ ସେ ଗାଁକୁ ଗାଁ ବୁଲିବାରେ ଲାଗିଛନ୍ତି। ସବୁଠି ତାଙ୍କୁ ଲୋକେ ଶୁଭେଚ୍ଛା ଜଣାଇ ଏଥର ପୃଥୀବଲ୍ଲଭ ବୋଲି କହିବା ଆରମ୍ଭ କଲେଣି।
  ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପରେ ଏହି ଆସନ କଂଗ୍ରେସ ହାତରୁ ଖସିଯାଇଥିଲା। ପରବର୍ତ୍ତୀ ସମୟରେ ବିଜେଡି ଏବଂ ଭାଜପା ଏଠାରୁ ସୁଦୃଢ଼ ହୋଇଥିବା ବେଳେ ଏବେ ପୁଣି ଥରେ ବେଗୁନିଆ ନିର୍ବାଚନମଣ୍ଡଳୀରେ ରାଜନୈତିକ ସମୀକରଣ ବଦଳିବ ବୋଲି ଲୋକେ କୁହାକୁହି ହେଲେଣି। ଏହି ଆସନରୁ ପୃଥୀବଲ୍ଲଭ ପୁଣି ଥରେ କଂଗ୍ରେସ ଧ୍ୱଜା ଉଡ଼ାଇବେ ବୋଲି ଦଳୀୟ ନେତା, କର୍ମୀ ଆଶା ବାନ୍ଧିଛନ୍ତି। ତେବେ ଭୋଟର କାହା ଉପରେ ଆସ୍ଥା ଓ ବିଶ୍ୱାସ କରିବେ, ତାହା ସବୁଠୁ ବଡ଼ କଥା।

The post ବିଜେଡି, ଭାଜପା କନ୍ଦଳରେ କଂଗ୍ରେସ ଖୁସ୍‌ appeared first on Dharitri Odia News.