ବିଜେଡି ମିଶିଲେ ପୂର୍ବତନ କର୍ପୋରେଟ୍ ଅଧିକାରୀ ସନ୍ତୃପ୍ତ ମିଶ୍ର
ଆଦିତ୍ୟ ବିର୍ଲା ଗ୍ରୁପ୍ ର ଏଚ୍ଆର୍ ହେଡ୍ ଥିଲେ ସନ୍ତୃପ୍ତ ମିଶ୍ର । ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ ।
ବିଜେଡିରେ ଯୋଗ ଦେଇଛନ୍ତି ପୂର୍ବତନ କର୍ପୋରେଟ୍ ଅଧିକାରୀ ସଂତୃପ୍ତ ମିଶ୍ର। ଆଜି ନବୀନ ନିବାସ ଯାଇ ସେ ବିଜେଡିରେ ସାମିଲ ହୋଇଛନ୍ତି। ଦଳରେ ଯାହା ଦାୟିତ୍ୱ ମିଳିବ ତାକୁ ସୂଚାରୁ ରୂପେ ପାଳନ କରିବେ। ଓଡିଶାକୁ ଆଗକୁ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ପାଇଁ ସେ ଚେଷ୍ଟା କରିବେ ବୋଲି କହିଛନ୍ତି।
ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରୁଥିଲେ। ସେ ୨୮ ବର୍ଷ ଧରି ଆଦିତ୍ୟ ବିର୍ଲା ଗ୍ରୁପରେ କାର୍ଯ୍ୟ କରୁଥିଲେ। ଏଥିସହ ବିର୍ଲା କାର୍ବନର ନିର୍ଦ୍ଦେଶକ ରହିଥିଲେ। ଆଦିତ୍ୟ ବିର୍ଲା ଗ୍ରୁପରେ କର୍ମଚାରୀଙ୍କୁ ସୁହାଇଲା ଭଳି ସେ ଅନେକ ପଦକ୍ଷେପ ନେଇଥିଲେ।
ଅନ୍ୟପଟେ ଆଜି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ତେଲକୋଇ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରେମାନନ୍ଦ ନାୟକ । ଦଳରେ ଅଣଦେଖା ଅଭିଯୋଗ କରି ସେ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଗତ ଅକ୍ଟୋବରରୁ ସେ ଦଳର ସଭାପତି ଓ ସାଙ୍ଗଠନିକ ସମ୍ପାଦକଙ୍କୁ ଇ-ମେଲ ଦ୍ୱାରା ଇସ୍ତଫା ପତ୍ର ଦେଇଥିଲେ । ପ୍ରେମାନନ୍ଦଙ୍କ କହିବା ଅନୁଯାୟୀ ପଞ୍ଚମ ପାଳିରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବା ସମ୍ଭବ ହେଉନଥିଲା । ଅଞ୍ଚଳର ସମସ୍ୟାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ହେଉନଥିଲା ।
ଏହା ଛଡା ୨୦୧୯ରେ ସେ ଯାହା ସହିତ ପ୍ରତିଦ୍ୱନ୍ଦ୍ୱିତା କରି ଜିତିଥିଲେ, ଅର୍ଥାତ ଚମ୍ପୁଆର ପୂର୍ବତନ ବିଧାୟକ ଧନୁର୍ଜୟ ସିଧୁଙ୍କୁ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିରୁ ଆଣି ବିଜେଡିରେ ମିଶା ଯାଇଥିଲା । ଯାହାଫଳରେ ନିର୍ବାଚନ ମଣ୍ଡଳୀରେ ଦଳର ଏକ ସମାନ୍ତରଳ ଗୋଷ୍ଠୀ ତିଆରି ହେଲା । ଏହାକୁ ନେଇ ଦଳର ବିଭିନ୍ନ ଫୋରମରେ କହିଥିଲେ ମଧ୍ୟ କେହି ଶୁଣିଲେ ନାହିଁ । ଏହା ଛଡା ଇସ୍ତଫା ଦେଲାପରେ ମଧ୍ୟ ତାଙ୍କ ସହ କୌଣସି ଆଲୋଚନା କରାଗଲା ନାହିଁ କିମ୍ବା ତାଙ୍କୁ ଗୁରୁତ୍ୱ ଦିଆଗଲା ନାହିଁ । ଫଳରେ ବାଧ୍ୟ ହୋଇ ସେ ଦଳ ଛାଡ଼ିଥିବା ଘୋଷଣା କରିଛନ୍ତି । ଗତ ଅକ୍ଟୋବର ମାସଠାରୁ ପ୍ରେମାନନ୍ଦ ନାୟକଙ୍କୁ ତେଲକୋଇ ନିର୍ବାଚନ ମଣ୍ଡଳୀରେ କୌଣସି ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁ ନ ଥିଲା ।
୨୦୧୯ରେ ଦ୍ୱିତୀୟ ଥର ବିଜେଡିର ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ ପ୍ରେମାନନ୍ଦ । ନବୀନଙ୍କ ପଞ୍ଚମ ପାଳିରେ ପ୍ରେମାନନ୍ଦ ନାୟକ ମନ୍ତ୍ରୀ ପଦ ପାଇଥିଲେ । ସେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଭାବେ ନବୀନ ସରକାରରେ ଦାୟିତ୍ୱ ତୁଲାଇଥିଲେ।