ବିଜେଡିର କିଏ ସେ ରଙ୍ଗ ମିସ୍ତ୍ରୀ ? କାହାକୁ ଚରମବାଣୀ ଶୁଣାଇଲେ ଅମରେଶ

ଘନେଇଲା ବିଜେଡିର ମଧ୍ୟ ଭୁବନେଶ୍ୱର ଟେନସନ୍। ବିଧାୟକ ଅନନ୍ତ ନାରାୟଣ ଜେନା ଓ କର୍ପୋରେଟର ଅମରେଶ ଜେନାଙ୍କ ଭିତରେ ବିବାଦକୁ ନେଇ ସରଗରମ ରାଜଧାନୀ ରାଜନୀତି।

ବିଜେଡିର କିଏ ସେ ରଙ୍ଗ ମିସ୍ତ୍ରୀ ? କାହାକୁ ଚରମବାଣୀ ଶୁଣାଇଲେ ଅମରେଶ

ବିଜେଡିର କିଏ ସେ ରଙ୍ଗ ମିସ୍ତ୍ରୀ ? କାହାକୁ ଇଙ୍ଗିତ କରି ଚରମବାଣୀ ଶୁଣାଇଲେ ଅମରେଶ ? ଆସନ୍ତାକାଲି ବିଜେଡିର ଟାଣୁଆ କର୍ପୋରେଟର ତଥା ମଧ୍ୟ ନିର୍ବାଚନ ମଣ୍ଡଳୀର ଆଶାୟୀ ଅମରେଶ ଜେନାଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ। କିନ୍ତୁ ତା ପୂର୍ବରୁ ଆଜି ନବୀନ ନିବାସରେ ଉଭୟ ଅନନ୍ତ ଓ ଅମରେଶଙ୍କୁ ଦେଖିବାକୁ ମିଳିଥିଲା। ଉଭୟଙ୍କ ଭିତରେ ପ୍ୟାଚ୍ ଅପ୍ ପାଇଁ ଦଳ ଚେଷ୍ଟା କରୁଥିବାର ଚର୍ଚ୍ଚା ଭିତରେ ନବୀନ ନିବାସରୁ ବାହାରି ସିଧାସଳଖ ଏହାକୁ ଖଣ୍ଡନ କରିଥିଲେ ଅମରେଶ। ହେଲେ ବନ୍ଧୁ ମିଳନ ଜରିଆରେ ଅମରେଶଙ୍କ ଶକ୍ତି ପ୍ରଦର୍ଶନର ପ୍ରସ୍ତୁତିକୁ କୁଆଡ଼େ ଭଣ୍ଡୁର କରିବାକୁ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ଜେନା ଉଦ୍ୟମ କରୁଥିବା ନେଇ ରାଜଧାନୀ ସାରା ଚର୍ଚ୍ଚା।

ଯେଉଁଥିପାଇଁ ନାଁ ନନେଇ ନବୀନ ନିବାସ ଆଗରୁ ଅନନ୍ତଙ୍କୁ ନିଶାନା କରିଛନ୍ତି ଅମରେଶ। କହିଛନ୍ତି, ସେମାନେ ଆଗକୁ ଭୟଙ୍କର ପରିସ୍ଥିତିର ସାମ୍ନା କରିବେ। ସେପଟେ ଗତକାଲି ଅମରେଶଙ୍କ ନବୀନ ନିବାସରେ ଶକ୍ତି ପ୍ରଦର୍ଶନକୁ କାଉଣ୍ଟର କରି ଆଜି ଅନନ୍ତ କିଛି ସଂଗଠନ ଜରିଆରେ ବି ଦମ୍‌ ଦେଖାଇଛନ୍ତି।

୨୦୦୯ରୁ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀର ଜନ୍ମ। ଆଉ ସେବେଠୁ ଏହା ବିଜେଡି କବଜାରେ। ତେବେ ପୂର୍ବ ନିର୍ବାଚନ ଗୁଡ଼ିକରେ ଏଠି ବିବାଦର ବ ନଥିଲା ବେଳେ, କେବଳ ମଧ୍ୟ କାହିଁକି ଭୁବନେଶ୍ୱରର ବାକି ଦୁଇ ନିର୍ବାଚନମଣ୍ଡଳୀରେ ଏଥର ଭୋଟ୍ ପୂର୍ବରୁ କନ୍ଦଳ ହିଁ କନ୍ଦଳ। ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀଟି ହାଇ ପ୍ରୋଫାଇଲ୍ ଅଞ୍ଚଳରେ ଆସୁଥିବାରୁ ଏହା ବେଶ୍ ଗୁରୁତ୍ୱ ବହନ କରୁଛି। ଯେଉଁଥିପାଇଁ ଦଳ ଏଠି କୌଣସି ରିସ୍କ ନେବାକୁ ଚାହିଁବନି। ରାଜନୈତିକ ସମୀକ୍ଷକଙ୍କ ମତ, ଅନନ୍ତ- ଅମରେଶଙ୍କ ବିବାଦକୁ ଦୂରେଇ ଟିକେଟ ଦେବା ଦଳ ପାଇଁ ଆଗକୁ ବଡ଼ ଚାଲେଞ୍ଜ ହେବ।

ନିକଟରେ ପୁରୀର ଦୁଇ ଟାଣୁଆ ନେତା ସଞ୍ଜୟ ଦାସବର୍ମା ଓ ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟଙ୍କ ଭିତରେ ବିବାଦ ଜୋର ଧରିଥିଲା। ସଞ୍ଜୟ ସତ୍ୟବାଦୀ ଉପରେ ଆଖି ପକାଇଥିବାବେଳେ ଉମା କିନ୍ତୁ ଛାଡିବାକୁ ନାରାଜ। ଯେଉଁଥିଲାଗି ଉଭୟଙ୍କୁ ଶୀର୍ଷ ନେତୃତ୍ୱ ଡାକି ମୀମାଂସା କରିବାକୁ ଚେଷ୍ଟା କରିଥିଲେ। ତେବେ ଦଳର ଟାଣୁଆ ନେତାଙ୍କ ଭିତରେ ଟିକେଟକୁ ନେଇ ତେଜି ଚାଲିଥିବା ବିବାଦକୁ ସୁପ୍ରିମୋ କିଭଳି ମ୍ୟାନେଜ୍ କରୁଛନ୍ତି ତାଉପରେ ନଜର।