ବିଜେପିକୁ ଝଟ୍‌କା, ଇସ୍ତଫା ଦେଲେ କୃଷ୍ଣି ମନ୍ତ୍ରୀ

ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ଦିନଠାରୁ କିରୋଡି ଲାଲ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା।

ବିଜେପିକୁ ଝଟ୍‌କା, ଇସ୍ତଫା ଦେଲେ କୃଷ୍ଣି ମନ୍ତ୍ରୀ

ରାଜସ୍ଥାନ ରାଜନୀତିରେ ହଲ୍‌ଚଲ। ଇସ୍ତଫା ଦେଲେ କୃଷି ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା କିରୋଡି ଲାଲ ମୀନା। ସେ ତାଙ୍କ ସମସ୍ତ ପଦରୁ ଇସ୍ତଫା ଦେଇଛନ୍ତି। ଜୟପୁରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏନେଇ ସେ ଘୋଷଣା କରିଛନ୍ତି।

ସୂଚନା ମୁତାବକ, କିରୋଡି ଲାଲ ମୀନା ତାଙ୍କ କ୍ୟାବିନେଟ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ନିକଟକୁ ପଠାଇ ଦେଇଛନ୍ତି। ରାଜସ୍ଥାନରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ହେବା ଦିନଠାରୁ କିରୋଡି ଲାଲ ଇସ୍ତଫା ଦେଇପାରନ୍ତି ବୋଲି ଚର୍ଚ୍ଚା ଚାଲିଥିଲା। ବର୍ତ୍ତମାନ ସେ ଏହି ଚର୍ଚ୍ଚା ଉପରେ ମୋହର ମାରିଛନ୍ତି।

ରିପୋର୍ଟ ମୁତାବକ, କିରୋଡି ଲାଲ ମୀନା ୧୦ ଦିନ ପୂର୍ବରୁ ହିଁ ନିଜ ଇସ୍ତଫା ପତ୍ର ପଠାଇ ସାରିଛନ୍ତି। ତେବେ ଆଜି ଜୟପୁରର ମାନସରୋବରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ ଏହା ଘୋଷଣା କରିଛନ୍ତି।

ବାସ୍ତବରେ ସେ ଡାଉସା ଆସନରୁ ନିର୍ବାଚନରେ ​​ହାରି ଯାଇଥିଲେ। ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ ମୀନା ଘୋଷଣା କରିଥିଲେ, ଯଦି ବିଜେପି ରାଜସ୍ଥାନର ୭ଟି ସିଟ୍‌ରୁ ଗୋଟିଏ ବି  ଆସନରେ ହାରେ ତେବେ ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ। ତେବେ ନିର୍ବାଚନଳ ଫଳାଫଳ ଆସିବା ପରେ ବିଜେପି ୭ଟି ସିଟ୍‌ରୁ ୪ଟି ହାରି ଯାଇଥିଲା। ଏହାପରେ ମୀନାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଆଜି ସେ ନିଜ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଛନ୍ତି।