ବିଜେପିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ

ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା। ଶ୍ରୀ ମାଢ଼ି ଦୀର୍ଘ ଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ।

ବିଜେପିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ଅକାଳ ବିୟୋଗ

ଆଉ ନାହାନ୍ତି ବିଜେପି ନେତା ତଥା ମାଲକାନାଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ି। ଆଜି ଭୁବନେଶ୍ୱର ସ୍ଥିତ ଏମ୍ସରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୯ ବର୍ଷ ବୟସ ହୋଇଥିଲା।

ଶ୍ରୀ ମାଢ଼ି ଦୀର୍ଘ ଦିନ ହେଲା କିଡ୍‌ନୀ ଜନିତ ରୋଗରେ ପୀଡ଼ିତ ଥିଲେ। ଦୁଇ ବର୍ଷ ତଳେ ତାଙ୍କର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ହୋଇଥିଲା। ତଥାପି ସେ ବେଶ କିଛି ଦିନ ଅସୁସ୍ଥତା କାରଣରୁ ଏମ୍ସରେ ଚିକିତ୍ସିତ ହେଉଥିଲେ। ହେଲେ ଆଜି ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି।

ଆଦିତ୍ୟ ମାଢ଼ି ୨୦୦୯ ଓ ୨୦୨୪ରେ ମାଲକାନାଗିରିରେ ପରାସ୍ତ ହୋଇଥିଲେ। ତେବେ ୨୦୧୯ରେ ସେ ଏଠାରୁ କଂଗ୍ରେସର ମାଲା ମାଢ଼ିଙ୍କ ଠାରୁ ୨୫,୫୬୯ ଖଣ୍ଡ ଭୋଟରେ ଜିତିଥିଲେ। ଏଥର ମଧ୍ୟ ବିଜେପି ତାଙ୍କୁ ଟିକେଟ ଦେବାର ଥିଲା।

କିନ୍ତୁ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସେ ସକ୍ରିୟ ରାଜନୀତିରୁ ଓହରି ଯାଇଥିଲେ। ତାଙ୍କ ବଦଳରେ ବିଜେପି ନରସିଂହ ମାଡକାମୀଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ମାଲକାନାଗିରିରେ ବିଜୟୀ ହୋଇଥିଲେ। ବିଜେପି ମଧ୍ୟ ଏଥର ଓଡ଼ିଶାରେ ସରକାର ଗଠନ କରିଛି।

କିନ୍ତୁ ଆଦିତ୍ୟ ମାଢ଼ି ଏହି ସମୟରେ ସମସ୍ତଙ୍କୁ ଛାଡ଼ି ପରମାରିକୁ ଚାଲି ଯାଇଛନ୍ତି। ତାଙ୍କ ବିୟୋଗରେ ବିଜେପିର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଏକ୍ସ ଯୋଗେ ସୂଚନା ଦେଇଛନ୍ତି।

ବହୁତ କମ ବୟସରେ ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି ଓ ଏହା ଦଳ ସହ ତାଙ୍କ ଅଞ୍ଚଳ ପାଇଁ ବହୁତ ବଡ଼ କ୍ଷତି। ନିଜ ଅଞ୍ଚଳରେ ମାଢ଼ି ନିରନ୍ତର ଭାବେ ଆଦିବାସୀଙ୍କ କଲ୍ୟାଣ ପାଇଁ କାମ କରୁଥିଲେ ବୋଲି ଉପାସନା ଲେଖିଛନ୍ତି।

ମାଲକାନାଗିରିର ପୂର୍ବତନ ବିଧାୟକ ଆଦିତ୍ୟ ମାଢ଼ିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ଗୋଟିଏ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଲକାନାଗିରିର ବିକାଶରେ ବିଧାୟକ ଭାବେ ଆଦିତ୍ୟ ମାଢ଼ିଙ୍କ ବଳିଷ୍ଠ ଯୋଗଦାନ ରହିଥିଲା।

ଏଥିସହିତ ମାଲକାନାଗିରି ଜିଲ୍ଲାରେ ଦଳକୁ ମଜବୁତ୍ କରିବାରେ ମଧ୍ୟ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଜଣେ ଲୋକପ୍ରିୟ ରାଜନେତା ଭାବେ ଜିଲ୍ଲାବାସୀଙ୍କ ନିକଟରେ ସେ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବେ। ମୁଖ୍ୟମନ୍ତ୍ରୀ ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଶୋକସଂତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।