ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ ଲୋକଙ୍କଠାରୁ ଲିଜ ସୂତ୍ରରେ ଘରଛାତ ଏବଂ ଘର ନିକଟରେ ଜମି ନେଇ ସୁଉଚ୍ଚ ଟାୱାର ନିର୍ମାଣ କରିଛନ୍ତି। ହେଲେ ବହୁ ସମୟରେ ଏହି ଟାୱାରଗୁଡ଼ିକ ଜନସାଧାରଣଙ୍କ ପାଇଁ ବିପଦର କାରଣ ସାଜୁଥିବା ଦେଖିବାକୁ ମିଳୁଛି। କାଳବୈଶାଖୀ ହେଉ ଅବା ପ୍ରାକୃତିକ ଦୁର୍ବିପାକ ସମୟରେ ଟାୱାର ଭାଙ୍ଗି ଦୁର୍ଘଟଣା ଘଟୁଛି। ଫଳରେ […] The post ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର appeared first on Dharitri Odia News.

ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର

ଯାଜପୁରରୋଡ୍‌,୧୯ା୩(ପବିତ୍ର ରଞ୍ଜନ ମହାନ୍ତି):ଯାଜପୁର ଜିଲାର ବିଭିନ୍ନ ଅଞ୍ଚଳରେ ଛତୁ ଫୁଟିଲା ପରି ମୋବାଇଲ ଟାୱାର ନିର୍ମାଣ ହୋଇଛି। ମୋବାଇଲ ଟାୱାର କମ୍ପାନୀଗୁଡ଼ିକ ସେମାନଙ୍କ ସୁବିଧା ଅନୁଯାୟୀ ଲୋକଙ୍କଠାରୁ ଲିଜ ସୂତ୍ରରେ ଘରଛାତ ଏବଂ ଘର ନିକଟରେ ଜମି ନେଇ ସୁଉଚ୍ଚ ଟାୱାର ନିର୍ମାଣ କରିଛନ୍ତି। ହେଲେ ବହୁ ସମୟରେ ଏହି ଟାୱାରଗୁଡ଼ିକ ଜନସାଧାରଣଙ୍କ ପାଇଁ ବିପଦର କାରଣ ସାଜୁଥିବା ଦେଖିବାକୁ ମିଳୁଛି। କାଳବୈଶାଖୀ ହେଉ ଅବା ପ୍ରାକୃତିକ ଦୁର୍ବିପାକ ସମୟରେ ଟାୱାର ଭାଙ୍ଗି ଦୁର୍ଘଟଣା ଘଟୁଛି। ଫଳରେ ବହୁ ଧନଜୀବନ ନଷ୍ଟ ହେଉଥିବା ନଜିର ରହିଛି। ଜିଲା ପ୍ରଶାସନ କେଉଁ ଆଇନବଳରେ ଘର ଛାତ ଉପରେ ଟାୱାର ନିର୍ମାଣ ପାଇଁ ଅନୁମିତି ପ୍ରଦାନ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଟାୱାର ମଧ୍ୟରୁ ଅଧିକାଂଶ ରକ୍ଷଣାବେକ୍ଷଣ ଅଭାବରୁ ଅଚଳ ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଏ ସମ୍ପର୍କରେ ମୋବାଇଲ ଟାୱାର କମ୍ପାନୀଗୁଡ଼ିକୁ ଅଭିଯୋଗ କଲେ ମଧ୍ୟ ଫଳ ଶୂନ୍ୟ।
ଏହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଯାଜପୁରରୋଡ୍‌ ସହରର କହ୍ନେଇପୁର ଅଞ୍ଚଳରେ। ଏୟାରସେଲ କମ୍ପାନୀର ଲିଜ ସୂତ୍ରରେ ଏକ ଟାୱାର ଯଦୁନାଥ ଜେନାଙ୍କ ବାଡ଼ିରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ମୁମ୍ବାଇର ଜିଟିଆଇ ଇନ୍‌ଫ୍ରା ଲିମିଟେଡ୍‌ ନାମକ କମ୍ପାନୀ ନିର୍ମାଣ କରିଛି। ଏବେ ଉକ୍ତ ଟାୱାର ଅଚଳହୋଇ ବିପଦ ସଙ୍କୁଳ ଅବସ୍ଥାରେ ପଡ଼ିରହିଛି। ଏହା ଉପରେ ଗୁଳ୍ମଲତା ମାଡ଼ି ଯାଇ ଜଙ୍ଗଲ ସୃଷ୍ଟି ହୋଇଛି। ଫଳରେ ଉକ୍ତ ସ୍ଥାନଟି ସରୀସୃପଙ୍କ ବାସସ୍ଥଳୀ ପାଲଟିଛି। ଟାୱାରର ଲୁହାଖୁଣ୍ଟ ଏବଂ ଉପରେ ଲାଗିଥିବା ଯନ୍ତ୍ରଂଶଗୁଡ଼ିକ କଳଙ୍କି ଲାଗି ବିପଦପୂର୍ଣ୍ଣ ଅବସ୍ଥାରେ ଝୁଲିରହିଛି। ଟାୱାରଟି ଯେକୌଣସି ମୁହୂର୍ତ୍ତରେ ଭାଙ୍ଗିପଡ଼ି ଏକ ବଡ଼ ଧରଣର ଦୁର୍ଘଟଣା ଘଟାଇପାରେ ବୋଲି ଆଶଙ୍କା କରାଯାଉଛି। ଉକ୍ତ ଟାୱାର ଚାରିପଟେ ବହୁ ଲୋକ ବସବାସ କରୁଛନ୍ତି। ନିକଟରେ ୨ଟି ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ରହିଛି। ମୁଖ୍ୟ ସଡ଼କକୁ ସଂଯୋଗ କରୁଥିବା ରାସ୍ତାଟି ଟାୱାର ନିକଟ ଦେଇ ଯାଇଥିବାରୁ ସ୍କୁଲ ପିଲା ଓ ସ୍ଥାନୀୟ ବାସିନ୍ଦାମାନେ ଉକ୍ତ ରାସ୍ତାରେ ଯାତାୟାତ କରୁଛନ୍ତି। ଯେକୌଣସି ସମୟରେ ଦୁର୍ଘଟଣା ଘଟିବାକୁ ନେଇ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି। କମ୍ପାନୀ ଲିଜ ଦେଇଥିବା ବ୍ୟକ୍ତିଙ୍କୁ ଚୁକ୍ତି ଅନୁଯାୟୀ ବିଗତ ୬ ବର୍ଷ ହେବ ତାଙ୍କ ପ୍ରାପ୍ୟ ଦେଉନାହିଁ। ଏହାକୁ ନେଇ ସମ୍ପୃକ୍ତ କମ୍ପାନୀକୁ ବାରମ୍ବାର ଚିଠି ମାଧ୍ୟମରେ ଅବଗତ କଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଜେନା ଓକିଲ ନୋଟିସ କରିଥିଲେ। ତଥାପି କିଛି ଉତ୍ତର ମିଳୁନାହିଁ। ଏନେଇ ଜେନା ବ୍ୟାସନଗର ପୌର ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଅବଗତ କରିଛନ୍ତି। ତେଣୁ ଏହି ବିପଦସଂକୁଳ ଟାୱାରକୁ ସ୍ଥାନାନ୍ତର କରିବା ପାଇଁ କହ୍ନେଇପୁର ଅଞ୍ଚଳବାସୀଙ୍କ ପକ୍ଷରୁ ଯାଜପୁର ଜିଲାପାଳ ଓ ଏସ୍‌ପିଙ୍କ ନିକଟରେ ଦାବି ହୋଇଛି।

The post ବିପଦସଙ୍କୁଳ ଅଚଳ ମୋବାଇଲ ଟାୱାର appeared first on Dharitri Odia News.