ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ

ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍‌ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି।

ବିବାହ ବନ୍ଧନରେ ବାନ୍ଧିହେଲେ ଚେସ୍ ତାରକା ପଦ୍ମିନୀ ରାଉତ

ହାତକୁ ଦି’ ହାତ ହେଲେ ଓଡ଼ିଆ ଚେସ୍ ତାରକା ପଦ୍ମିନୀ ରାଉତ। ଆଜି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଏହି ଇଣ୍ଟର ନ୍ୟାସନାଲ ମାଷ୍ଟର। ଭୁବନେଶ୍ୱରରେ ହିନ୍ଦୁ ବୈଦିକ ରୀତିନୀତିରେ ବିବାହ ସମ୍ପନ୍ନ ହୋଇଛି। ସେ ମୁମ୍ବାଇର ଜୟକିଶିନ ମନାକାନୀଙ୍କୁ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଓଡ଼ିଶା ସମେତ ଦେଶର ନାମୀଦାମୀ ଚେସ୍‌ ତାରକା ଓ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ। ଭୁବନେଶ୍ୱର ପଟିଆ ଅଞ୍ଚଳରେ ଏକ ହୋଟେଲରେ ପଦ୍ମିନୀ ଓ ଜୟକିଶିନଙ୍କ ବିବାହ ସମ୍ପନ୍ନ ହୋଇଛି।

୧୯୯୪ ମସିହା ଜାନୁଆରୀ ୫ ତାରିଖରେ କଟକ ଜିଲ୍ଲାରେ ବଡ଼ମ୍ବାଠାରେ ଜନ୍ମଗ୍ରହଣ କରିଥିଲେ ପଦ୍ମିନୀ। ୯ ବର୍ଷ ବୟସରୁ ଚେସ୍‌ ଖେଳିବା ଆରମ୍ଭ କରିଥିଲେ। ୧୧ ବର୍ଷରୁ କମ୍‌ ବୟସ ବର୍ଗରେ ୨୦୦୫ ମସିହାରେ ସେ ଜାତୀୟ ପ୍ରତିଯୋଗିତା ଜିତି ଥିଲେ। ଏହାଥିଲା ତାଙ୍କର ପ୍ରଥମ ଜାତୀୟ ପ୍ରତିଯୋଗିତା ବିଜୟ। ୨୦୦୬ ମସିହାରେ ସେ ୧୩ ବର୍ଷରୁ କମ୍‌ ଜାତୀୟ ପ୍ରତିଯୋଗିତା ଓ ୧୨ ବର୍ଷରୁ କମ୍‌ ଏସୀୟ ପ୍ରତିଯୋଗିତା ଜିତିଥିଲେ।

Padmini Rout ବିବାହ ଉତ୍ସବରେ ସାମିଲ ଥିବା ଅତିଥି

୨୦୦୮ ମସିହାରେ ପଦ୍ମିନୀ ୧୪ ବର୍ଷରୁ କମ୍‌ ବର୍ଗରେ ଉଭୟ ଏସୀୟ ପ୍ରତିଯୋଗିତା ଓ ବିଶ୍ୱ ଯୁବ ଚେସ୍‌ ପ୍ରତିଯୋଗିତାରେ ଭାଗ ନେଇ ଜିତିଥିଲେ। ୨୦୦୯ ମସିହାରେ ସେ ୨୦ ବର୍ଷରୁ କମ୍‌ ବର୍ଗରେ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ। ୨୦୧୦ରେ ସେ ୧୯ ବର୍ଷରୁ କମ୍‌ ବର୍ଗରେ ଜାତୀୟ ଜୁନିୟର ମହିଳା ପ୍ରତିଯୋଗିତା ଜିତିଥିଲେ। ସେହିବର୍ଷ ସେ ଉଭୟ ଏସୀୟ ଜୁନିୟର ମହିଳା ପ୍ରତିଯୋଗିତା ଓ ବିଶ୍ୱ ଜୁନିୟର ପ୍ରତିଯୋଗିତାରେ କାଂସ୍ୟ ପଦକ ହାସଲ କରିଥିଲେ।

ପଦ୍ମିନୀ ରାଉତ ଜାତୀୟ ମହିଳା ଚେସ୍‌ ଚାମ୍ପିୟନସିପ୍‌ରେ ଲଗାତାର ୨୦୧୪, ୨୦୧୫, ୨୦୧୬ ଓ ୨୦୧୭ ୪ ବର୍ଷ ଧରି ଜିତି ଓଡ଼ିଶା ପାଇଁ ଗୌରବ ଆଣିଥିଲେ। ୨୦୧୫ ରେ ସେ ରାଜ୍ୟ ଗୋଷ୍ଠୀ ମହିଳା ଚାମ୍ପିୟନସିପ ଜିତିଥିଲେ।