ବିମାନରେ ଥିଲା ମାତ୍ର ୨ ମିନିଟ୍‌ର ଇନ୍ଧନ, ଆଉ ତା’ ପରେ

ବିମାନଟିକୁ ଦିଲ୍ଲୀରୁ ଚଣ୍ଡିଗଡ଼କୁ ଡାଇଭର୍ଟ କରାଯାଇଥିଲା। ସେଠାକୁ ଉଡ଼ାଣ ଭରିବା ସହ ଲ୍ୟାଣ୍ଡ କରିବା ବେଶ ଚ୍ୟାଲେଞ୍ଜିଂ ଥିଲା।

ବିମାନରେ ଥିଲା ମାତ୍ର ୨ ମିନିଟ୍‌ର ଇନ୍ଧନ, ଆଉ ତା’ ପରେ

ଇଣ୍ଡୋଗର ଗୋଟିଏ ବିମାନ ଅଯୋଧ୍ୟାରୁ ଦିଲ୍ଲୀ ଆସିବା ସହ ଦୁଇ ଥର ଲ୍ୟାଣ୍ଡ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଖରାପ ପାଗ ଯୋଗୁ ଏହା ସମ୍ଭବ ହୋଇ ନଥିଲା। ଏସବୁ ଭିତରେ ବିମାନରୁ ଇନ୍ଧନ ସରିବା ଆରମ୍ଭ ହୋଇ ଯାଇଥିଲା।

ଏହା ଦେଖି ପାଇଲଟ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ। ଶେଷରେ ବିମାନଟିକୁ ଦିଲ୍ଲୀରୁ ଚଣ୍ଡିଗଡ଼କୁ ଡାଇଭର୍ଟ କରାଯାଇଥିଲା। ସେଠାକୁ ଉଡ଼ାଣ ଭରିବା ସହ ଲ୍ୟାଣ୍ଡ କରିବା ବେଶ ଚ୍ୟାଲେଞ୍ଜିଂ ଥିଲା।

କାରଣ ବିମାନର ଇନ୍ଧନ ଶେଷ ହେବାକୁ ବସିଥିଲା। ତେବେ ପାଇଲଟ ଜଣଙ୍କ ଇନ୍ଧନ ସରିବାର ଠିକ ଦୁଇ ମିନିଟ୍‌ ପୂର୍ବରୁ ବିମାନକୁ ଚଣ୍ଡିଗଡ଼ ଏୟାରପୋର୍ଟରେ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇ ଏକ ନିଶ୍ଚିତ ଦୁର୍ଘଟଣାରୁ ସମସ୍ତଙ୍କୁ ରକ୍ଷା କରି ଦେଇଛନ୍ତି।

ଏପ୍ରିଲ ୧୩ ତାରିଖ ଅର୍ଥାତ ଶନିବାର ପୂରା ଘଟଣା ଘଟିଥିଲା। ଇଣ୍ଡିଗୋ ବିମାନ ୬ଇ୨୭୦୨ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା। ତେବେ ଏପରି ଘଟଣା ଯାତ୍ରୀଙ୍କ ସୁରକ୍ଷାକୁ ପ୍ରତି ବିମାନ କର୍ତ୍ତୃପକ୍ଷ କେତେ ସଚେତନ ତା’ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

କିଛି ଯାତ୍ରୀ ଓ ଅବସରପ୍ରାପ୍ତ ପାଇଲଟମାନେ ଏପରି ଘଟଣାକୁ କେନ୍ଦ୍ର କରି ଇଣ୍ଡିଗୋକୁ ଟାର୍ଗେଟ କରିଛନ୍ତି। କମ୍ପାନୀ ସମ୍ଭବତଃ ଉଡ଼ାଣ ସମ୍ପର୍କିତ ଏସ୍‌ଓପିକୁ ଉଲ୍ଲଙ୍ଘନ କରିଛି ବୋଲି ସେମାନେ କହିଛନ୍ତି।

ଡେପୁଟି କମିଶନର ଅଫ ପୁଲସ୍‌ (କ୍ରାଇମ) ସତୀଶ କୁମାର ଏହି ଛାତି ଥରାଇ ଦେବା ଭଳି ଘଟଣା ସମ୍ପର୍କରେ ନିଜ ଏକ୍ସରେ ସୂଚନା ଦେଇଛନ୍ତି। ବିମାନ ନମ୍ବର ୬ଇ୨୭୦୨ ଶନିବାର ଅପରାହ୍ନ ୩.୨୫ରେ ଅଯୋଧ୍ୟାରୁ ଛାଡ଼ିବାର ଥିଲା ଓ ଦିଲ୍ଲୀରେ ଅପରାହ୍ନ ୪.୩୦ରେ ପହଞ୍ଚି ଥାଆନ୍ତା।

ତେବେ ପ୍ରାୟ ୪.୧୫ରେ ପାଇଲଟ ଘୋଷଣା କରିଥିଲେ ଯେ ଦିଲ୍ଲୀ ଏୟାରପୋର୍ଟରେ ଖରାପ ପାଗ ରହିଛି। ଏଥିସହ ବିମାନରେ ୪୫ ମିନିଟର ଇନ୍ଧନ ରହିଛି। ପାଇଲଟ ଜଣଙ୍କ ଦୁଇ ଥର ବିମାନକୁ ଲ୍ୟାଣ୍ଡ କରାଇବାକୁ ଚେଷ୍ଟା କରିଥିଲେ ହେଁ ଖରାପ ପାଗ ଯୋଗୁ ଏହାର ସମ୍ଭବ ହୋଇ ପାରି ନଥିଲା।

ସେ କେବଳ ଅପେକ୍ଷା କରି ରହିଥିଲେ। ପ୍ରାୟ ୫.୩୦ରେ ପାଇଲଟ ଜଣଙ୍କ ଘୋଷଣା କରିଥିଲେ ଯେ ସେ ଚଣ୍ଡିଗଡ଼ ଏୟାରପୋର୍ଟରେ ବିମାନକୁ ଲ୍ୟାଣ୍ଡ କରାଉଛନ୍ତି। ଇତି ମଧ୍ୟରେ ୪୫ ମିନିଟ ହୋଇ ସାରିଥିଲା ବୋଲି ସତୀଶ କହିଛନ୍ତି।

ସେ ଆହୁରି କହିଛନ୍ତି, ଚଣ୍ଡିଗଡ଼ ଏୟାରପୋର୍ଟରେ ବିମାନଟି ୬.୧୦ରେ ଲ୍ୟାଣ୍ଡ କରିଥିଲା। ୪୫ ମିନିଟର ଇନ୍ଧନ ଥିବା ବେଳେ ବିମାନଟି ୧୧୫ ମିନିଟ ପରେ ଲ୍ୟାଣ୍ଡ କରିଥିଲା। ବିମାନ ପହଞ୍ଚିବା ପରେ ଆମେ ଜାଣିବାବୁ ପାଇଥିଲୁ ଯେ ସେଥିରେ ଅତି ବେଶୀରେ ୧ରୁ ୨ ମିନିଟର ଇନ୍ଧନ ରହିଥିଲା।

ସତୀଶ ଏହି ପୋଷ୍ଟକୁ ଡିଜିସିଏକୁ ଟ୍ୟାଗ କରିଛନ୍ତି। ଏଥିସହ ସେ ଏସ୍‌ଓପି ପାଳନ ହୋଇଛି କି ନାହିଁ ତା’ ଉପରେ ପ୍ରଶ୍ନ ଉଠାଇ ଡିଜିସିଏକୁ ତଦନ୍ତ ପାଇଁ ଦାବି କରିଛନ୍ତି।

ଅନ୍ୟପକ୍ଷରେ ଇଣ୍ଡିଗୋ କହିଛି ଯେ “ଆମ ପାଖରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ରହିଥିଲା। କେବଳ ଏହି ବିମାନ ନୁହେଁ, ସବୁଥରେ ଆମେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଗଚ୍ଛିତ କରି ରଖିଥାଉ।”