ବିରଜା ମନ୍ଦିରରେ ଧସେଇ ପଶିଲେ ବିଦେଶୀ ପର୍ଯ୍ୟଟକ: ଶ୍ରଦ୍ଧାଳୁଙ୍କ ମହଲରେ ଅସନ୍ତୋଷ
ମାର୍କଣ୍ଡପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ରବିବାର ଅପରାହ୍ନରେ ପ୍ରାୟ ୧୫ ଜଣ ରୁଷୀୟ ପର୍ଯ୍ୟଟକ ଜୋର ଜବରଦସ୍ତ ଉତ୍ତର ଦ୍ୱାର ଦେଇ ଧସେଇ ପଶିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିରଜା ମନ୍ଦିରରେ ନିୟୋଜିତ ଓଡ଼ିଶା ପୁଲିସ ସେମାନଙ୍କୁ ଉତ୍ତର ଦ୍ୱାରରେ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ମହିଳା ରୁଷୀୟ ପର୍ଯ୍ୟଟକ ପୁଲିସର କଥା ନ ଶୁଣି ଜବରଦସ୍ତ ଭାବେ ବିରଜା ମନ୍ଦିରକୁ ପ୍ରବେଶ କରି ବେଢ଼ା ପରିକ୍ରମା କରିଥିବା କୁହାଯାଉଛି। […]

ମାର୍କଣ୍ଡପୁର : ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜା ମନ୍ଦିରରେ ରବିବାର ଅପରାହ୍ନରେ ପ୍ରାୟ ୧୫ ଜଣ ରୁଷୀୟ ପର୍ଯ୍ୟଟକ ଜୋର ଜବରଦସ୍ତ ଉତ୍ତର ଦ୍ୱାର ଦେଇ ଧସେଇ ପଶିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ବିରଜା ମନ୍ଦିରରେ ନିୟୋଜିତ ଓଡ଼ିଶା ପୁଲିସ ସେମାନଙ୍କୁ ଉତ୍ତର ଦ୍ୱାରରେ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ମହିଳା ରୁଷୀୟ ପର୍ଯ୍ୟଟକ ପୁଲିସର କଥା ନ ଶୁଣି ଜବରଦସ୍ତ ଭାବେ ବିରଜା ମନ୍ଦିରକୁ ପ୍ରବେଶ କରି ବେଢ଼ା ପରିକ୍ରମା କରିଥିବା କୁହାଯାଉଛି। ତେବେ ମୁଖ୍ୟ ମନ୍ଦିରକୁ ପ୍ରବେଶ ପୂର୍ବରୁ ମନ୍ଦିର ନିୟମ ବିଷୟରେ ପୁଲିସ ସେମାନଙ୍କୁ ପୁଣିଥରେ ଅବଗତ କରାଇଥିଲା। ତେଣୁ ସେମାନେ ମନ୍ଦିର ପରିସରରୁ ବାହାରକୁ ଚାଲି ଯାଇଥିଲେ। ଅଣହିନ୍ଦୁ ଓ ବିଦେଶୀଙ୍କ ପ୍ରବେଶ ନିଷେଧ ନେଇ ମନ୍ଦିର ପରିସରରେ କୌଣସି ଫଳକ ଲାଗି ନଥିବା ଏବଂ ସେମାନଙ୍କୁ ବୁଲାଇବା ପାଇଁ ଆଣୁଥିବା ଗାଇଡ଼ମାନେ ମନ୍ଦିର ନିୟମ ବାବଦରେ ସେମାନଙ୍କୁ ଠିକ୍ ଭାବେ ଅବଗତ କରାଉ ନଥିବାରୁ ଏଭଳି ଅଘଟଣ ବାରମ୍ବାର ଘଟୁଥିବା ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସେହିପରି ଯେତେବେଳେ ବିଦେଶୀ ପର୍ଯ୍ୟଟକ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି ସେବାୟତ ଠିକ୍ ଭାବେ ସେମାନଙ୍କୁ ବିରୋଧ କରୁନାହାନ୍ତି ବୋଲି ସାଧାରଣରେ ମତପ୍ରକାଶ ପାଇଛି। ବିଦେଶୀ ପର୍ଯ୍ୟଟକମାନଙ୍କୁ ଆଣୁଥିବା ଗାଇଡ୍ମାନଙ୍କ ବିରୋଧରେ ଥାନାରେ ଲିଖିତ ଅଭିଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି। ଘଟଣା ପରେ ଏସ୍ଡିପିଓ ପ୍ରଶାନ୍ତ କୁମାର ମାଝୀ, ଯାଜପୁର ଥାନାଧିକାରୀ ଶରତ ଚନ୍ଦ୍ର ପାତ୍ର ମନ୍ଦିର ପରିସରକୁ ଆସି ଯାଞ୍ଚ କରିଥିଲେ। ସହକାରୀ ଜିଲାପାଳ ସୁକାନ୍ତ କୁମାର ଦାଶ ମଧ୍ୟ ମନ୍ଦିରରେ ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ। ତେବେ ସନ୍ଧ୍ୟା ସୁଦ୍ଧା ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ପୁଲିସ କହିଛି।