ବିରାଟକାୟ ମହଲରେ ଭୟଙ୍କର ନିଆଁ, ଚାଲିଗଲା ଛୋଟ ପିଲାଙ୍କ ସମେତ ୫୦ ଜଣଙ୍କ ଜୀବନ

ସ୍ଥାନୀୟ ପ୍ରଶାସନର କହିବା କଥା ଯେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟକୁ ସାର୍ବଜନୀନ କରାଯିବ।

ବିରାଟକାୟ ମହଲରେ ଭୟଙ୍କର ନିଆଁ, ଚାଲିଗଲା ଛୋଟ ପିଲାଙ୍କ ସମେତ ୫୦ ଜଣଙ୍କ ଜୀବନ

ଇଷ୍ଟର୍ଣ୍ଣ ଇରାକର ଅଲ-କୁଟ ସହରରେ ଥିବା ୫ ମହଲା ବିଶିଷ୍ଟ ଗୋଟିଏ ବିରାଟକାୟ ମଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନେକ ଛୋଟ ପିଲାଙ୍କ ସମେତ ପ୍ରାୟ ୫୦ ଜଣଙ୍କ ଜୀବନ ଯାଇଛି। କିଛି ଲୋକ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଆଉ କିଛି ଲୋକ ଅଣନିଃଶ୍ୱାସୀ ହୋଇ ଆଖି ବୁଜିଛନ୍ତି। ସେହିପରି ଶତାଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି। 

ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ୫ ମହଲା ବିଶିଷ୍ଟ ମଲଟି ହୁତହୁତ ହୋଇ ଜଳୁଥିବା ବେଳେ ଏହା ମଧ୍ୟରେ ଥିବା ଲୋକମାନେ ଜୀବନ ବଞ୍ଚାଇବାକୁ ଚିତ୍କାର କରୁଛନ୍ତି। ସେହିପରି ୧୦ରୁ ଅଧିକ ଅଗ୍ନିଶମ ଗାଡ଼ି ନିଆଁକୁ ଆୟତ୍ତ କରିବାକୁ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି। ଅଗ୍ନିକାଣ୍ଡ ଯୋଗୁ ମଲଟି ପ୍ରାୟତଃ ପୋଡ଼ି ଯାଇଥିଲେ ହେଁ କେମିତି ଏଠାରେ ନିଆଁ ଲାଗିଲା ସେକଥା ଜଣାପଡ଼ିନି।

ସ୍ଥାନୀୟ ପ୍ରଶାସନର କହିବା କଥା ଯେ ବର୍ତ୍ତମାନ ନିଆଁକୁ ଆୟତ୍ତ କରାଯାଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରି ଯାଇଛି। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟକୁ ସାର୍ବଜନୀନ କରାଯିବ। ମଲ ଓ ବିଲଡିଂ ମାଲିକଙ୍କ ବିରୋଧରେ ମାମଲା ହୋଇଥିବା ମଧ୍ୟ ସୂଚନା ମିଳିଛି।

ମଲ ଭିତରେ ଲୋକମାନେ ଖାଦ୍ୟ ଖାଉଥିବା ବେଳେ ଓ ଶପିଂ କରୁଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା। ଭୋର ୪ଟା ଯାଏ ଉଦ୍ଧାର କାର୍ଯ୍ୟ ଚାଲିଥିଲା। ଏବେ କୁଟରେ ଥିବା ପ୍ରାୟ ସମସ୍ତ ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଚାଲିଛି। ଘଟଣାର ତଦନ୍ତ ଚାଲିଥିବା ବେଳେ ପ୍ରଦେଶରେ ୩ ଦିନିଆ ଶୋକ ଘୋଷଣା କରାଯାଇଛି।