ବିଲୁପ୍ତପ୍ରାୟ ହେବାକୁ ବସିଲାଣି ଘରଚଟିଆ ବଂଶ, ଆଉ ଶୁଭୁନି କିଚିରି ମିଚିରି ଶବ୍ଦ
ଫୁଲବାଣୀ: କିଛି ବର୍ଷ ପୂର୍ବେ ଘର ଅଗଣାରେ ଧାନ ଓ ମାଣ୍ଡିଆ ଭଳି ଶସ୍ୟ ସବୁ ଶୁଖାଇଲେ ଜଣେ ଲୋକ ବାଡ଼ି ଟିଏ ଧରି ଜଗିବାକୁ ପଡୁଥିଲା । କାଳେ ଘରଚଟିଆମାନେ ଆସି ଶୁଖେଇ ଥିବା ଶସ୍ୟକୁ ଖାଇଯିବେ । କିନ୍ତୁ ଏବେବି ବିଲୁପ୍ତ ହେବାକୁ ବସିଲେଣି ଘରଚଟିଆ, ଆଉ ଶୁଣିବାକୁ ମିଳୁନି ଘରଚଟିଆ ମାନଙ୍କ କିଚିରି ମିଚିରି ଡାକ । ଆମ ସମାଜ ତଥା ଚାଷୀର ପରମବନ୍ଧୁ ଭାବେ ବେଶ ଜଣାଶୁଣା ଏହି ପକ୍ଷୀ ଗାଁ […]

ଫୁଲବାଣୀ: କିଛି ବର୍ଷ ପୂର୍ବେ ଘର ଅଗଣାରେ ଧାନ ଓ ମାଣ୍ଡିଆ ଭଳି ଶସ୍ୟ ସବୁ ଶୁଖାଇଲେ ଜଣେ ଲୋକ ବାଡ଼ି ଟିଏ ଧରି ଜଗିବାକୁ ପଡୁଥିଲା । କାଳେ ଘରଚଟିଆମାନେ ଆସି ଶୁଖେଇ ଥିବା ଶସ୍ୟକୁ ଖାଇଯିବେ । କିନ୍ତୁ ଏବେବି ବିଲୁପ୍ତ ହେବାକୁ ବସିଲେଣି ଘରଚଟିଆ, ଆଉ ଶୁଣିବାକୁ ମିଳୁନି ଘରଚଟିଆ ମାନଙ୍କ କିଚିରି ମିଚିରି ଡାକ । ଆମ ସମାଜ ତଥା ଚାଷୀର ପରମବନ୍ଧୁ ଭାବେ ବେଶ ଜଣାଶୁଣା ଏହି ପକ୍ଷୀ ଗାଁ ଗହଳି ମାନଙ୍କରେ ଆଉ ଦେଖିବାକୁ ମିଳୁନାହିଁ ।ଘରଚଟିଆଙ୍କ ରହଣିସ୍ଥଳ ଗାଁରେ ଥିବା ଚାଳଘର ଏବେ ଆଉ ନାହିଁ । ଚାଳଘର ଗୁଡିକ ନଥିବା କାରଣରୁ ଏହି ପକ୍ଷୀ ଏବେ ଆଉ ଗାଁ ଗହଳିରେ ଦେଖାଯାଉ ନାହାନ୍ତି । ଏହା ମଧ୍ୟ ବିଲୁପ୍ତ ହେବାର ଗୋଟିଏ ମୁଖ୍ୟ କାରଣ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ ।
ସେହିପରି ସବୁଆଡେ ଜଙ୍ଗଲ ଓ ପରିବେଶ ତାର ସନ୍ତୁଳନ ହରାଇବା ମଧ୍ୟ ଅନ୍ୟ ଏକ କାରଣ । ଗ୍ରାମବାସୀ ମାନଙ୍କ କହିବା ପ୍ରକାରେ ସଚେତନତା ଅଭାବରୁ ଘର ଚଟିଆଙ୍କ ବଂଶ ବୃଦ୍ଧି ହୋଇପାରୁ ନାହିଁ । ଘରଚଟିଆ ଗୋଟିଏ ଛୋଟ ପକ୍ଷୀ ହୋଇଥିଲେ ମଧ୍ୟ ଲୋକଙ୍କ ମନରେ ବେଶ ଖୁସି ଉନ୍ମାଦନା ସୃଷ୍ଟି କରିଥାଏ ।କିଚିରି ମିଚିରି ଶବ୍ଦ କରି ଘର ଚାରି ପାଖେ ବୁଲିବା ସହିତ ଘରଚାଳ, ଘର ଆଖପାଖରେ ଥିବା ଛୋଟଛୋଟ ଗଛ, ଘର ପାଖରେ ଥିବା ପାଳଗଦା ଆଦିରେ ବସା ବାନ୍ଧିଥାଏ । ଲୋକଙ୍କ ସହ ସତେ ଯେମିତି ତାର ପୁରୁଣା ସମ୍ପର୍କ ରହିଛି, ସେଥିପାଇଁ ତ ବଣ ଜଙ୍ଗଲରେ ନ ରହି ନଡା ଛପର ଘର କିମ୍ବା ଘର ଆଖପାଖରେ ଥିବା ପାଳଗଦା ଓ ଛୋଟ ଛୋଟ ଗଛରେ ମାନଙ୍କରେ ଏମାନେ ବସା ବାନ୍ଧିଥାନ୍ତି ।
ସମୟର ପରିବର୍ତ୍ତନ ସାଙ୍ଗକୁ ସବୁ କିଛି ବଦଳି ଗଲାଣି । ଲୋକଙ୍କ ଚଳଣି ସହିତ ବାସଗୃହ ସବୁ ମଧ୍ୟ ବଦଳିଗଲାଣି ।ମୋବାଇଲ ଯୁଗ ସାଙ୍ଗକୁ କଚ୍ଚା ଘରକୁ ସରକାର ପକ୍କା ଘର କରି ଲୋକଙ୍କୁ ଯୋଗାଇ ଦେଉଛନ୍ତି । ସରକାରଙ୍କ ଏହି ଘୋଷଣା ଲୋକଙ୍କ ପାଇଁ ଖୁସି ଆଣି ଦେଉଥିବା ବେଳେ ଘରଚଟିଆଙ୍କ ପାଇଁ ତାହା କାଳ ସାଜିଛି ।ପ୍ରାୟ ଚାଳ ଘର ପକ୍କା ଘରରେ ପରିଣତ ହେବା ପରେ ଘର ଚଟିଆଙ୍କ ସଂଖ୍ୟା ମଧ୍ୟ କମି ଯାଇଛି ।
ଖାଲି ସେତିକି ନୁହେଁ ବହୁଳ ମୋବାଇଲ ବ୍ୟବହାର ଦ୍ବାରା ଟାୱାରରୁ ବାହାରୁଥିବା ମାଇକ୍ରୋ ୱେଭ ତରଙ୍ଗ ଯୋଗୁଁ କୁଆଡେ ଘର ଚଟିଆଙ୍କ ସଂଖ୍ୟା ବିଶେଷ ଭାବରେ କମି ଯାଉଥିବା ପରିବେଶବିତ ମାନେ କହିଛନ୍ତି । ଘରଚଟିଆଙ୍କୁ ସୁରକ୍ଷା ତଥା ତାଙ୍କ ବଂଶବୃଦ୍ଧି ପାଇଁ ବହୁ ସ୍ବେଚ୍ଛାସେବୀ ଅନୁଷ୍ଠାନ ଆଗେଇ ଆସୁଥିବା ବେଳେ ଏହି ପକ୍ଷୀଙ୍କ ପାଇଁ ସରକାର ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି ।