ବିଶାଖାପାଟଣାରେ ବୁମରା ମ୍ୟାଜିକ୍ : ୨୫୩ରେ ଇଂଲଣ୍ଡ ଅଲ୍ଆଉଟ୍, ୧୪୩ ରନ୍ରେ ଆଗୁଆ ଭାରତ
ବିଶାଖାପାଟଣା : ଏଠାରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତ ମଜଭୁତ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଭାରତ ୩୯୬ ରନ କରି ଅଲ୍ଆଉଟ ହୋଇଥିବା ବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଭାରତ ପ୍ରଥମ ଇନିଂସରେ ୧୪୩ ରନରେ ଆଗୁଆ ରହିଛି । ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତର ଯଶସ୍ୱୀ ଜୈସୱାଲଙ୍କ ଦ୍ବିଶତକ ପରେ ବୋଲିଂରେ ଇଂଲଣ୍ଡ ବ୍ୟାଟରଙ୍କୁ ଘାଣ୍ଟିଦେଇଛନ୍ତି ଟିମ୍ […]

ବିଶାଖାପାଟଣା : ଏଠାରେ ଖେଳାଯାଉଥିବା ଭାରତ ଓ ଇଂଲଣ୍ଡ ଦ୍ବିତୀୟ ଟେଷ୍ଟରେ ଭାରତ ମଜଭୁତ ସ୍ଥିତିରେ ରହିଛି। ପ୍ରଥମ ଇନିଂସରେ ଭାରତ ୩୯୬ ରନ କରି ଅଲ୍ଆଉଟ ହୋଇଥିବା ବେଳେ ଇଂଲଣ୍ଡ ନିଜର ପ୍ରଥମ ଇନିଂସରେ ୨୫୩ ରନ କରି ଅଲଆଉଟ ହୋଇଯାଇଛି । ଫଳରେ ଭାରତ ପ୍ରଥମ ଇନିଂସରେ ୧୪୩ ରନରେ ଆଗୁଆ ରହିଛି ।
ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତର ଯଶସ୍ୱୀ ଜୈସୱାଲଙ୍କ ଦ୍ବିଶତକ ପରେ ବୋଲିଂରେ ଇଂଲଣ୍ଡ ବ୍ୟାଟରଙ୍କୁ ଘାଣ୍ଟିଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର୍ ପେସ୍ ବୋଲର ଜଶପ୍ରୀତ ବୁମରା। ଦ୍ବିତୀୟ ଟେଷ୍ଟର ପ୍ରଥମ ଇନିଂସ ଇଂଲଣ୍ଡ ବ୍ୟାଟରଙ୍କୁ ଭାରତୀୟ ବୋଲର ନିଜ ବୋଲିଂ କଳାରେ ବାନ୍ଧି ରଖବା ସହ ୱିକେଟ ପରେ ୱିକେଟ ନେଇ ମାତ୍ର ୨୫୩ରେ ଅଲ୍ଆଉଟ କରିଦେଇଥିଲେ। ଜଶପ୍ରୀତ ବୁମରା ୬ଟି ୱିକେଟ ନେଇଥିବା ବେଳେ କୁଲଦୀପ ଯାଦବଙ୍କୁ ୩ଟି ଓ ଅକ୍ଷର ପଟେଲଙ୍କୁ ଗୋଟିଏ ସଫଳତା ମିଳିଛି।
ଗତକାଲି ବିଶାଖାପାଟଣା ଟେଷ୍ଟର ପ୍ରଥମ ଦିନରେ ଭାରତ ୬ ୱିକେଟ ହରାଇ ୩୩୬ ରନ କରିଥିଲା। ଅପରାଜିତ ୧୭୯ ରନ କରିଥିବା ଯଶସ୍ୱୀ ଆଜି ଦ୍ୱିତୀୟ ଦିନରେ ଦମଦାର ବ୍ୟାଟିଂ କରିଥିଲେ। କିନ୍ତୁ ଗତକାଲି ଅପରାଜିତ ୫ ରନ କରିଥିବା ରବିଚନ୍ଦ୍ରନ ଅଶ୍ୱିନ ୨୦ ରନ କରି ଦିବସର ପ୍ରଥମ ବ୍ୟାଟର ଭାବେ ଆଉଟ ହୋଇଥିଲେ। ଅଶ୍ୱିନ ଆଉଟ ହୋଇଥିଲେ ମଧ୍ୟ ଯଶସ୍ୱୀ ନିଜ ଟେଷ୍ଟ କ୍ୟାରିୟରର ପ୍ରଥମ ଦୁଇ ଶତକ ହାସଲ କରିଥିଲେ। ଦୁଇ ଶତକ ହାସଲ କରିବା ପରେ ସେ ବଡ଼ ଶଟ ଖେଳିବାକୁ ଚେଷ୍ଟା କରିଥିଲେ ହେଁ ଆଣ୍ଡରସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।
ଆଜି ଭାରତ ଅଲଆଉଟ ହେବା ପରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ଜ୍ୟାକ କ୍ରଉଲୀ ଓ ବେନ ଡକେଟ ବେଶ ଦମଦାର ଢଙ୍ଗରେ ଇଂନିସ ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ଦ୍ରୁତ ଗତିରେ ୫୯ ରନ ଯୋଡ଼ିଥିଲେ। ଦଳର ସ୍ଥିତି ମଜଭୁତ ହୋଇଆସୁଥିବା ବେଳେ କୁଲଦୀପ ଯାଦବ ୧୭ ବଲରେ ୨୧ ରନ କରିଥିବା ଡକେଟଙ୍କୁ ଆଉଟ କରି ଭାରତକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ଅକ୍ଷର ପଟେଲ କ୍ରଉଲୀଙ୍କୁ ଆଉଟ କରିଥିଲେ। ଏହାପରେ ବିଶାଖାପାଟଣାରେ ଆରମ୍ଭ ହୋଇଥିବା ବୁମରା ମ୍ୟାଜିକ୍। ପ୍ରଥମେ ଜୋ ରୁଟ, ଏହାପରେ ପପଙ୍କୁ ଅତି ଚମତ୍କାର ଢଙ୍ଗରେ ବୋଲ୍ଡ କରିଥିଲେ। ଜନ୍ନି ବେୟାରଷ୍ଟୋ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ ହେଁ ବୁମ୍ରା ତାଙ୍କୁ ୨୫ ରନରେ ପ୍ୟାଭିଲିୟନ ପଠାଇ ଦେଇଥିଲେ। ଏହାପରେ କୁଲଦୀପ ଯାଦବ ପୁଣି ଦୁଇ ୱିକେଟ ବେନ ଫୋକ୍ସ ଓ ରେହାନ ଅହମଦଙ୍କୁ ଆଉଟ କରିଥିଲେ।
କୁଲଦୀପ ଯାଦବଙ୍କ ଡବଲ ଝଟକା ପରେ ଇଂଲଣ୍ଡ ସ୍ଥିତି ଖରାପ ହୋଇଥିବା ବେଳେ ଅଧିନାୟକ ବେନ ଷ୍ଟୋକ୍ସ ଭାରତୀୟ ସ୍ପିନରଙ୍କୁ ଆଟାକ କରିଥିଲେ। ଏହାପରେ ଅଧିନାୟକ ରୋହିତ ଶର୍ମା ସ୍ପିନରଙ୍କୁ ହଟାଇ ଷ୍ଟାର୍ ପେସ୍ ବୋଲର ଜଶପ୍ରୀତ ବୁମରାଙ୍କୁ ଷ୍ଟୋକ୍ସଙ୍କୁ କାଉଣ୍ଟର ଆଟାକ ପାଇଁ ଲଗାଇଥିଲେ। ଆଉ ଏହା ସଫଳ ମଧ୍ୟ ହୋଇଥିଲା। ୪୭ ରନରେ ବ୍ୟାଟିଂ କରୁଥିବା ଷ୍ଟୋକ୍ସଙ୍କୁ କ୍ଲିନବୋଲ୍ଡ କରି ଇଂଲଣ୍ଡକୁ ୮ମ ଝଟକା ଦେଇଥିଲେ ବୁମରା।