ବିଶ୍ୱ ବିଧାତା
ବିଶ୍ୱ ନିଅନ୍ତାଙ୍କୁ ଆମେ ଭଗବାନ୍ ବୋଲି ବିବେଚନା କରିଥାଉ। ଅବଶ୍ୟ ସେହି ଭଗବାନ୍ଙ୍କ ସ୍ବରୂପକୁ ଅନେକ ଗୋଷ୍ଠୀ ଅନେକ ପ୍ରକାର ବର୍ଣ୍ଣନା କରନ୍ତି। ଆଜି ବିଜ୍ଞାନର ଅଗ୍ରଗତି ସହ ମଣିଷ ବିଶ୍ୱ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉନ୍ମୋଚନ କରାଗଲାଣି, ଆଉ ଆଗକୁ ମଧ୍ୟ ଏହା ଜାରି ରହିବ। ତେବେ କ’ଣ ମଣିଷ ସେହି ବିଶ୍ୱ ବିଧାତାର ସ୍ଥାନ ନେଇପାରିବ ନା ସେହି ବିଶ୍ୱ ବିଧାତାର ସ୍ବରୂପକୁ ବିଜ୍ଞାନ ମାଧ୍ୟମରେ ଆବିଷ୍କାର କରିପାରିବ। ଯଦି ବାସ୍ତବରେ ସେଭଳି କୌଣସି […] The post ବିଶ୍ୱ ବିଧାତା appeared first on Dharitri Odia News.
ବିଶ୍ୱ ନିଅନ୍ତାଙ୍କୁ ଆମେ ଭଗବାନ୍ ବୋଲି ବିବେଚନା କରିଥାଉ। ଅବଶ୍ୟ ସେହି ଭଗବାନ୍ଙ୍କ ସ୍ବରୂପକୁ ଅନେକ ଗୋଷ୍ଠୀ ଅନେକ ପ୍ରକାର ବର୍ଣ୍ଣନା କରନ୍ତି। ଆଜି ବିଜ୍ଞାନର ଅଗ୍ରଗତି ସହ ମଣିଷ ବିଶ୍ୱ ବ୍ରହ୍ମାଣ୍ଡର ଅନେକ ରହସ୍ୟ ଉନ୍ମୋଚନ କରାଗଲାଣି, ଆଉ ଆଗକୁ ମଧ୍ୟ ଏହା ଜାରି ରହିବ। ତେବେ କ’ଣ ମଣିଷ ସେହି ବିଶ୍ୱ ବିଧାତାର ସ୍ଥାନ ନେଇପାରିବ ନା ସେହି ବିଶ୍ୱ ବିଧାତାର ସ୍ବରୂପକୁ ବିଜ୍ଞାନ ମାଧ୍ୟମରେ ଆବିଷ୍କାର କରିପାରିବ। ଯଦି ବାସ୍ତବରେ ସେଭଳି କୌଣସି ବିଶ୍ୱ ନିଅନ୍ତାଙ୍କର ସତ୍ତା ଥାଏ ତେବେ ବିଜ୍ଞାନ ଦୃଷ୍ଟିକୋଣରୁ ତାଙ୍କର ସ୍ବରୂପ କିପରି ହେବ ଆସନ୍ତୁ ଆଲୋଚନା କରିବା। ପ୍ରଥମତଃ ବସ୍ତୁ, ଶକ୍ତି ଓ ମହାଶୂନ୍ୟର ସରଞ୍ଚନାକୁ ବିଚାରକୁ ନେଲେ ମଣିଷ କେବଳ ବସ୍ତୁରୁ ଶକ୍ତି ସୃଷ୍ଟିକରି ନିଜ କାର୍ଯ୍ୟରେ ଲଗାଇ ପାରୁଛି, କିନ୍ତୁ ପୁନଶ୍ଚ ଶକ୍ତିକୁ ବସ୍ତୁରେ ପରିଣତ କରିବାର କୌଶଳ ମଣିଷ ଅବିଷ୍କାର କରିପାରିନାହିଁ। ଉଦାହରଣ ସ୍ବରୂପ, କାଠକୁ ଜଳିଲେ ତାହା ପାଉଁଶ, ନିଆଁ (ତାପଶକ୍ତି) ଓ ଧୂଆଁରେ ପରିଣତ ହେଉଛି।
କିନ୍ତୁ ପୁନର୍ବାର ସେହି ପାଉଁଶ, ତାପ ଓ ଧୂଆଁକୁ ସଂଗ୍ରହକରି ସେହି ସମାନ କାଠ ତିଆରି କରିବା ଆମ କ୍ଷମତା ବାହାରେ। ଅର୍ଥାତ୍ ବସ୍ତୁ, ଶକ୍ତି ଓ ମହାଶୂନ୍ୟର ସମସ୍ତ ପ୍ରକାର ରୂପାନ୍ତର ପ୍ରକ୍ରିୟା ସେହି ମହାଶକ୍ତି ବିଶ୍ୱ ନିଅନ୍ତାଙ୍କ ଦ୍ୱାରା ସମ୍ଭବ, ଯାହା ଫଳରେ ଏପରି ଏକ ସୁବ୍ୟବସ୍ଥିତ ବିଶ୍ୱ ଗଠନ ସମ୍ଭବ ହୋଇପାରିଛି। ଦ୍ୱିତୀୟତଃ, ବିଶ୍ୱ ବ୍ରହ୍ମାଣ୍ଡରେ ଅତି କ୍ଷିପ୍ରଗତିରେ ପରିଭ୍ରମଣ କରିବାର କ୍ଷମତା ପାଇଁ ଆବଶ୍ୟକ ବେଗକୁ ଯଦି ବିଚାରକୁ ନେବା, ତେବେ ମଣିଷ ଦ୍ୱାରା ଏପର୍ଯନ୍ତ ଅନ୍ତରିକ୍ଷକୁ ପଠାଯାଇଥିବା ଯାନଗୁଡ଼ିକ ମଧ୍ୟରୁ ସର୍ବାଧିକ ଗତି ପ୍ରାପ୍ତ ହୋଇଥିବା ପାର୍କର ସୋଲାର ଯାନର ଗତି ଥିଲା ୧୭୬୫ କି.ମି. ପ୍ରତି ସେକେଣ୍ଡ, ଯେଉଁ ସ୍ଥାନରେ ବ୍ରହ୍ମାଣ୍ଡର ସର୍ବାଧିକ ବେଗଗାମୀ କଣିକା ହେଲା ଆଲୋକ ରଶ୍ମି ବା ଫୋଟନ ଯାହାର ଗତି ୨,୯୯,୭୯୨ କି.ମି. ପ୍ରତି ସେକେଣ୍ଡ। ବିଜ୍ଞାନ ମତରେ ବିଶ୍ୱର କୌଣସି ବି ବସ୍ତୁତ୍ୱଯୁକ୍ତ କଣିକା ଆଲୋକର ବେଗରେ ଯିବା ଅସମ୍ବବ। କିନ୍ତୁ ବିଶ୍ୱ ନିଅନ୍ତାଙ୍କ ପାଖର ଏପରି କ୍ଷମତା ବା ବୈଷୟିକ କୌଶଳ ଥାଇପାରେ ଯାହା ଦ୍ୱାରା ସେମାନେ କୌଣସି ବସ୍ତୁ ବା ଜୀବକୁ ବିଶ୍ୱର ଏକ କୋଣରୁ ଅନ୍ୟ କୋଣକୁ ଅତି ସହଜରେ ସ୍ବଳ୍ପ ସମୟ ମଧ୍ୟରେ ଭ୍ରମଣ କରାଇପାରିବେ। ଯାହା ବସ୍ତୁରୁ ଶକ୍ତିରେ ପରିଣତ କରି ଅତି କ୍ଷିପ୍ର ବେଗଯୁକ୍ତ କଣିକା ମାଧ୍ୟମରେ ପ୍ରେରଣକରି ଓ ନିର୍ଦ୍ଧାରିତ ସ୍ଥାନରେ ପୁନର୍ବାର ଶକ୍ତିରୁ ବସ୍ତୁକୁ ରୂପାନ୍ତରଣ ଦ୍ୱାରା ସମ୍ଭବ ହୋଇପାରୁଥିବ। ଏପରି ବି ହୋଇପାରେ ଜୀବ ମଧ୍ୟରେ ଅବସ୍ଥାପିତ ଆତ୍ମା ବା ଚେତନାକୁ ସେମାନେ ଡିଜିଟାଲ ପଦ୍ଧତିରେ ବିଶ୍ୱର କୋଣ ଅନୁକୋଣକୁ ପ୍ରେରଣ କରିବାର କୌଶଳ ଜାଣିଥାଇ ପାରନ୍ତି ଯାହା ମଣିଷ ସମାଜକୁ ଏପର୍ଯ୍ୟନ୍ତ ଅଗୋଚର ଅଛି। ଆମେ ପୃଥିବୀରେ ୩ ଆୟାମ ବିଶିଷ୍ଟ ଏକ ବ୍ୟବସ୍ଥା ଭିତରେ କାର୍ଯ୍ୟ କରୁଛେ ତାହା ହେଲା ଲମ୍ବ, ପ୍ରସ୍ଥ ଓ ଉଚ୍ଚତା। ଏହା ବ୍ୟତୀତ କେତେଜଣ ବୈଜ୍ଞାନିକ ସମୟକୁ ଅନ୍ୟ ଏକ ୪ର୍ଥ ଆୟାମ ହିସାବରେ ଗ୍ରହଣ କରନ୍ତି, କିନ୍ତୁ ଏହି ସମୟ ରୂପକ ଚତୁର୍ଥ ଆୟାମ ଉପରେ ମଣିଷର କୌଣସି କର୍ତ୍ତୃତ୍ୱ ନାହିଁ। ବୈଜ୍ଞାନିକମାନେ ଆକଳନ କରନ୍ତି, ଏହି ସୀମାହୀନ ବିଶ୍ୱ ବହୁ ଆୟାମ ବିଶିଷ୍ଟ ହୋଇଥାଇପାରେ ଯାହା ୧୦ କିମ୍ବା ୧୪ଟି ଆୟାମ ଏପରି କି ଏହା ଅସୀମ ଆୟାମ ବିଶିଷ୍ଟ ବି ହୋଇପାରେ। ଏହାକୁ ପରିଚାଳନା କରିବାର କ୍ଷମତା ସେହି ବିଶ୍ୱ ବିଧାତାଙ୍କର ଥାଇପାରେ ଯାହାକୁ କଳ୍ପନା କରିବା ମଣିଷ ପକ୍ଷରେ ସମ୍ଭବପର ନୁହେଁ। ଆମ ଆଖିକୁ ଦୃଶ୍ୟମାନ ଆଲୋକ ରଶ୍ମି ସମୁଦାୟ ବିଦ୍ୟୁତ୍ ତରଙ୍ଗୀୟ ବିକିରଣର ମାତ୍ର ୦.୦୦୩୫ ପ୍ରତିଶତ ଅର୍ଥାତ୍ ପାଖାପାଖି ୯୯.୯୯ ପ୍ରତିଶତ ବିକିରଣ ଆମ ଆଖିକୁ ଅଦୃଶ୍ୟ ଯାହା ଅବଲୋହିତ ରଶ୍ମି, ଅତି ବାଇଗଣୀ ରଶ୍ମି, ଏକ୍ସ-ରେ, ଗାମା-ରେ ଇତ୍ୟାଦିରେ ବିଭକ୍ତ ହୋଇଛି। ସେଥିମଧ୍ୟରୁ କେତେକ ରଶ୍ମି ଆମ ଶରୀର ପାଇଁ ଅତ୍ୟନ୍ତ କ୍ଷତିକାରକ ଯେପରି କି ଏକ୍ସ-ରେ, ଗାମା-ରେ ଆଦି। ଏହା ବ୍ୟତୀତ ବୈଜ୍ଞାନିକମାନଙ୍କ ଆକଳନ ଅନୁଯାୟୀ ବିଶ୍ୱର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ସମୁଦାୟ ଶକ୍ତି ଓ ବସ୍ତୁ ମଧ୍ୟରେ ଆମକୁ ଅଦୃଶ୍ୟ ଡାର୍କ ଏନର୍ଜି ପାଖାପାଖି ୬୯ ପ୍ରତିଶତ ଓ ଡାର୍କ ମ୍ୟାଟର ପାଖାପାଖି ୨୬ ପ୍ରତିଶତ ଏବଂ ବାକି ଦୃଶ୍ୟମାନ ବସ୍ତୁ ଓ ଆଲୋକ ପାଖାପାଖି ୫ ପ୍ରତିଶତ। ଅର୍ଥାତ୍ ବିଶ୍ୱର ସଂରଚନାର ୯୫ ପ୍ରତିଶତ ଆମକୁ ଆଜି ବି ଅଦୃଶ୍ୟ। ଯଦି ବିଶ୍ୱ ନିଅନ୍ତା କେହି ଏହି ବିଶ୍ୱକୁ ସୃଷ୍ଟି କରିଥାନ୍ତି ତେବେ ସେମାନେ ଏହିସବୁ ଅଦୃଶ୍ୟମାନ ଶକ୍ତି ଓ ବସ୍ତୁଗୁଡ଼ିକୁ ସୃଷ୍ଟି ଓ ନିୟନ୍ତ୍ରଣ କରିପାରୁଥିବେ।
କେତେଜଣ ବୈଜ୍ଞାନିକ ମତ ଦିଅନ୍ତି ଆମ ବିଶ୍ୱ ବ୍ରହ୍ମାଣ୍ଡ ବ୍ୟତୀତ ଏହା ବାହାରେ ଅଗଣିତ ବିଶ୍ୱ ବ୍ରହ୍ମାଣ୍ଡ ମଧ୍ୟ ଥାଇପାରେ ଯାହାର ନିୟନ୍ତ୍ରଣ କୌଣସି ଅତି ବୁଦ୍ଧିମାନ ଓ ଶକ୍ତିଶାଳୀ ଆଧିଦୈବିକ ସତ୍ତା ଦ୍ୱାରା ହେଉଥାଇପାରେ। ବିଚିତ୍ରତାରେ ଭରା ଏହି ବ୍ରହ୍ମାଣ୍ଡରେ କିଛି ସମ୍ଭବ ହୋଇପାରେ ଯାହା ଆମ ପକ୍ଷରେ କଳନା କରିବାକୁ ଆମର ମସ୍ତିଷ୍କର କ୍ଷମତାର ସୀମା ବାହାରେ। ଆମ ମସ୍ତିଷ୍କ ଯାହା ଅନେକ ଜଟିଳ କାର୍ଯ୍ୟ କରିବାକୁ ସମର୍ଥ ଏହାଠାରୁ ଆହୁରି ଅନେକ ଗୁଣ ଅଧିକ ଉନ୍ନତତର ମସ୍ତିଷ୍କ ଥିବା ଜୀବ ମଧ୍ୟ ବିଶ୍ୱର ଅନ୍ୟ କୌଣସି କୋଣରେ ନ ଥିବେ କିଏ କହିପାରିବ। ଯେଉଁମାନେ ଆମେ କମ୍ପ୍ୟୁଟରରେ କରୁଥିବା ପ୍ରୋଗ୍ରାମ ଭଳି, ଏ ସାରା ବିଶ୍ୱକୁ କୌଣସି ଏକ ବିଶେଷ ଉନ୍ନତ ପ୍ରକାର ବୈଷୟିକ ଜ୍ଞାନ ଦ୍ୱାରା ସୃଷ୍ଟି ଓ ବିନାଶ କରୁଥାଇ ପାରନ୍ତି। ଆମେ ଯେପରି ସିସିଟିଭି ଓ ସାଟେଲାଇଟ୍ ମାଧ୍ୟମରେ କ୍ୟାମେରାରେ ଦୃଶ୍ୟ ସବୁ ରେକର୍ଡିଂ ସହ ତାହାର ବିଶ୍ଳେଷଣକରି ତାହାର ବ୍ୟବହାର କରିପାରୁଛେ, ସେହିପରି ଅତି ଉନ୍ନତ ଜ୍ଞାନକୌଶଳ ସହ ସେହି ବିଶ୍ୱ ବିଧାତା ସମଗ୍ର ବିଶ୍ୱର ଘଟଣାବଳୀଗୁଡ଼ିକୁ ରେକର୍ଡକରି ତାହାର ତର୍ଜମା କରିପାରୁଥାଇପାରନ୍ତି ଓ ଆମର ପ୍ରତ୍ୟେକ କାର୍ଯ୍ୟର ମୂକସାକ୍ଷୀ ହୋଇ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ନିୟନ୍ତ୍ରଣ କରିବାର କ୍ଷମତା ତାଙ୍କର ଥାଇପାରେ। ଏପରି ବି ହୋଇପାରେ କି ବିଶ୍ୱକୁ ସୃଷ୍ଟି କରିଥିବା ଆଧିଦୈବିକ ସତ୍ତା ଉଭୟ ସୂକ୍ଷ୍ମ ଓ ସ୍ଥୂଳ ରୂପ ଧାରଣ କରିବାର କ୍ଷମତା ରଖନ୍ତି। ସେହି ଅତି ଶକ୍ତିଶାଳୀ ସତ୍ତା ଆମ ଗହଣରେ ସୂକ୍ଷ୍ମ ଭାବରେ ବିଚରଣ କରୁଥାଇ ପାରନ୍ତି ଓ ଆମର ସମସ୍ତ କାର୍ଯ୍ୟ ଓ ଧୀଶକ୍ତି ସେମାନେ ନିୟନ୍ତ୍ରଣ କରିବାରେ ମଧ୍ୟ ସେ ସକ୍ଷମ ହେଉଥାଇପାରନ୍ତି।
ଏପରି ବି ହୋଇପାରେ ଆମ ଧୀଶକ୍ତି ମଧ୍ୟରେ ସେ ନିଜକୁ ପରିପ୍ରକଶ କରୁଥାଇପାରନ୍ତି।
ବିଶ୍ୱ ନିଅନ୍ତା ଜଣେ ସତ୍ତା ନ ହୋଇ ଅତି ଉନ୍ନତ ମସ୍ତିଷ୍କଧାରୀ ଏକ ସମୂହ ହୋଇପାରନ୍ତି, ଯେଉଁମାନେ ନିଜ ମଧ୍ୟରେ ଅତି କ୍ଷିପ୍ର ଗତିରେ ଯୋଗାଯୋଗ ଓ ସମନ୍ବୟର କ୍ଷମତା ସହ ବିଶ୍ୱର ବିଭିନ୍ନ ପ୍ରକାର ପ୍ରକ୍ରିୟାକୁ ଦଳଗତ ଭାବରେ ସମ୍ପାଦାନ କରୁଛନ୍ତି। କିନ୍ତୁ ତାହା ଆମ ପୃଥିବୀବାସୀଙ୍କୁ ଅଜଣା। ତେଣୁ ଆମେ ନିଜ ନିଜ ଭିତରେ ଅନେକ ଗୋଷ୍ଠୀ କରି ଭଗବାନ୍ଙ୍କର ଅନେକ ପ୍ରକାର ଆକାର ପ୍ରକାର ବର୍ଣ୍ଣନା କରିବା ସହ ନିଜ ନିଜ ଭିତରେ ବିଭେଦ, ମତାନ୍ତର ଓ ମନାନ୍ତର ବଢ଼ାଇ ଚାଲିଛେ। ହିନ୍ଦୁଧର୍ମର ଧର୍ମଗ୍ରନ୍ଥ ଅନୁଯାୟୀ ବ୍ରହ୍ମାଙ୍କର ୧ ବର୍ଷ ପୃଥିବୀର ଅନେକ ଶହ ବର୍ଷ ସହ ସମାନ ଓ ଏହି ଆମ ବିଶ୍ୱ ଭଳି ଅନେକ ବିଶ୍ୱର ଅନେକ ବ୍ରହ୍ମା ଅଛନ୍ତି ଯାହା ବିଜ୍ଞାନର ଆପେକ୍ଷିକ ତତ୍ତ୍ୱର ମତ ଅନୁଯାୟୀ ଆମେ ଆଲୋକର ବେଗରେ ଗଲେ ସମୟର ଗତି କମ୍ ହୋଇଯିବା ଭଳି ରହସ୍ୟ ସହ ମେଳ ଖାଏ। ଏପରି ପରିପ୍ରେକ୍ଷୀରେ ଏକ ଅଦୃଶ୍ୟମାନ ସତ୍ତାକୁ ଦ୍ୱାହିଦେଇ ଅନେକ ଧର୍ମଗ୍ରନ୍ଥ ଅନେକ ପ୍ରକାର କାହାଣୀ, ନିୟମ, ଅନ୍ଧବିଶ୍ୱାସକୁ ପ୍ରୋସତ୍ାହନ ଦେବା ଅପେକ୍ଷା ଆମ ଧୀଶକ୍ତିକୁ ଉପଯୋଗକରି ଯୁକ୍ତିସଙ୍ଗତ ଲାଗୁଥିବା ମତବାଦକୁ ଆପଣାଇବା ଶ୍ରେୟସ୍କର।
ସାଇଲୋ ବଡ଼ବିଲ, କଟକ
ମୋ: ୮୦୧୮୮୩୪୭୩୪
The post ବିଶ୍ୱ ବିଧାତା appeared first on Dharitri Odia News.