ବିଶ୍ୱର ପ୍ରଥମ AI ଶିଶୁ...ଅବିକଳ ମଣିଷ ଭଳି ଆଚରଣ...ଦେଉଛି ସବୁ ପ୍ରଶ୍ନର ଉତ୍ତର
AI ଶିଶୁ ଟଙ୍ଗ ଟଙ୍ଗ ପାଖରେ ମାନବ ଶିଶୁ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । ସେ ମଣିଷ ଭଳି ରାଗୁଛି ଆଉ ଖୁସିରେ ହସୁଛି।
ଆର୍ଟିଫିସିଆଲଇଣ୍ଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା । ଏହାକୁ ନେଇ ସାରା ବିଶ୍ୱରେ ଆରମ୍ଭ ହୋଇଛି ଏକ ନୂଆ ବିତର୍କ । ଏବେ ଏକ ଚମତ୍କାର କରି ଦେଖାଇଛି ଏହି AI । ଏକ ସଂସ୍ଥା ବିଶ୍ୱର ପ୍ରଥମ AI ଶିଶୁ ସୃଷ୍ଟି କରିଛି। ନାମ ରଖିଛି ଟଙ୍ଗ ଟଙ୍ଗ ଯାହାର ଇଂରାଜୀ ଅର୍ଥ ଲିଟିଲ୍ ଗାର୍ଲ ବା ଛୋଟ ଝିଅ । ଏହା ଅବିକଳ ମାନବ ଶିଶୁ ପରି ଆଚରଣ କରୁଛି। ମଣିଷ ଯେପରି ଆଚରଣ କରେ ଏହି AI ଶିଶୁ ମଧ୍ୟ ଠିକ ସେହିପରି ଆଚରଣ କରୁଛି। ଟଙ୍ଗ ଟଙ୍ଗ ପାଖରେ ସବୁ ପ୍ରଶ୍ନର ଉତ୍ତର ରହିଛି ।
ତେବେ ଏହି ୩ ବର୍ଷୀୟ AI ଶିଶୁ ଟଙ୍ଗ ଟଙ୍ଗ ପାଖରେ ମାନବ ଶିଶୁ ପରି ଭାବନାତ୍ମକ ବ୍ୟବହାର କରିବାର କ୍ଷମତା ରହିଛି । ସେ ମଣିଷ ଭଳି ରାଗୁଛି ଆଉ ଖୁସିରେ ହସୁଛି। ଏହା ବାଦ୍ ତା’ ଚେହେରାରେ ଉଦାସ ଭାବ ବି ଦେଖାଯାଉଛି । ପ୍ରଥମ ଥର ପାଇଁ କୌଣସି ଏକ କମ୍ପାନୀ ଏହି ପ୍ରକାର ପ୍ରୟୋଗ କରି ସଫଳ ହୋଇଛି । ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।
ଚୀନ୍ର ବେଜିଂ ଇନଷ୍ଟିଚ୍ୟୁଟ ଫର୍ ଜେନେରାଲ୍ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏହି ଚମତ୍କାର କରି ଦେଖାଇଛି। ଟଙ୍ଗ ଟଙ୍ଗକୁ ଲଞ୍ଚ କରାଯିବା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ଏହି ଶିଶୁ ନିକଟରେ ଛୋଟ ପରି ଚପଳତା ରହିଛି ଆଉ ଜଣେ ଅନୁଭବୀ ପରି ସମସ୍ୟା ସମାଧାନ କରିବାର କ୍ଷମତା ବି ରହିଛି । ଏହା ଲୋକଙ୍କ ଠାରୁ ଶିଖିବାର କ୍ଷମତା ବି ରଖିଛି । ଅର୍ଥାତ୍ ଆପଣ ତାକୁ କିଛି କରିବାକୁ କହିଲେ ସେ ସେହିପରି କାମ ବି କରୁଛି ।