ବିଷମିଶା ରଙ୍ଗିନ ଖାଦ୍ୟ
ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା ରଙ୍ଗିନ ଚୁସ୍କି, ଏହା ସବୁ ନିଶ୍ଚିନ୍ତ ଲୋଭନୀୟ, ଆକର୍ଷଣୀୟ ଓ ପାଗ ଦେଖା ପାଟି ଟକଳା ଜିନିଷ। ଗୋଟିଏ କଥା ଚିନ୍ତା କରନ୍ତୁ ଆଉ ମନେପକାନ୍ତୁ, ଆମ୍ଭେମାନେ ପ୍ରଥମେ ଆଖିରେ ଖାଇଥାଉ ପରେ ଏହା ପାଟିକୁ ଯାଇଥାଏ। ଖାଦ୍ୟଟି ରୁଚିକର, ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପ୍ରଦ ହୋଇଥାଏ କି ନ ହୋଇଥାଏ […] The post ବିଷମିଶା ରଙ୍ଗିନ ଖାଦ୍ୟ appeared first on Dharitri Odia News.
ବର୍ଷାଦିନେ ଲଗାଣ ବର୍ଷା ଭିତରେ ଗରମ କୋବି ମାଞ୍ଚୁରିଆନ, ରଙ୍ଗିନ ମିଠା, କଟନକ୍ୟାଣ୍ଡି ଆଉ ସ୍କୁଲ ଯାଉଥିବା ପିଲାଙ୍କ ପାଇଁ ବରଫ ଗୋଲା ହେଉ ବା ରଙ୍ଗିନ ଚୁସ୍କି, ଏହା ସବୁ ନିଶ୍ଚିନ୍ତ ଲୋଭନୀୟ, ଆକର୍ଷଣୀୟ ଓ ପାଗ ଦେଖା ପାଟି ଟକଳା ଜିନିଷ। ଗୋଟିଏ କଥା ଚିନ୍ତା କରନ୍ତୁ ଆଉ ମନେପକାନ୍ତୁ, ଆମ୍ଭେମାନେ ପ୍ରଥମେ ଆଖିରେ ଖାଇଥାଉ ପରେ ଏହା ପାଟିକୁ ଯାଇଥାଏ। ଖାଦ୍ୟଟି ରୁଚିକର, ସ୍ବାଦିଷ୍ଟ ଓ ସ୍ବାସ୍ଥ୍ୟପ୍ରଦ ହୋଇଥାଏ କି ନ ହୋଇଥାଏ ଏହା ତ ପରର କଥା, କିନ୍ତୁ ଦେଖିବାକୁ ଆକର୍ଷଣୀୟ ହୋଇଥିଲେ ନଜର ଛଁା ଟାଣିହୋଇଯାଏ। ବଜାରରେ ବୁଲିଲା ବେଳେ ଲକ୍ଷ୍ୟ ରଖିଥିବେ ଚିକିମିକିଆ ଆଲୁଅ ତଳେ ସଜାହୋଇ ଯେଉଁ ଖାଇବା ଜିନିଷଗୁଡ଼ିକ ଥାଏ ତାହା କେବଳ ପିଲାମାନଙ୍କୁ ନୁହେଁ ବୟସ୍କ ଲୋକଙ୍କ ଆଖିରୁ ନଜର ଖସାଇପାରି ନ ଥାଏ ଏବଂ ସ୍ବତଃ ଆମେ ଦୋକାନ ପାଖକୁ ଚାଲିଯାଇଥାଉ। ଆମ ନିତିଦିନିଆ ଖାଦ୍ୟ ତାଲିକାରେ ଲାଲ୍ ଲାଲ୍ ଚିକେନ ତରକାରି ହେଉ ବା ବିିଭିନ୍ନ ରଙ୍ଗର ଜିଲାପି, କେକ୍ ହେଉ ବା ଚିକେନ କବାକ୍ ଦେଖିବାକୁ ତ ଅତ୍ୟନ୍ତ ଆକର୍ଷଣୀୟ। ଏହା ପାଟିକୁ ବଢ଼ିଆ ତୃପ୍ତିର ମଜା ଦେଇଥାଏ। କିନ୍ତୁ ଏହି ଭେଳିକି ଖାଦ୍ୟ ସବୁକୁ ରଙ୍ଗିନ କରିବା ପଛରେ ଯେଉଁ ଆର୍ଟିଫିସିଆଲ ବା କୃତ୍ରିମ ଖାଦ୍ୟରଙ୍ଗ ଥାଏ ସେଗୁଡ଼ିକ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଘାତକ, ବିପଦଜ୍ଜନକ।
ଆସନ୍ତୁ,ପ୍ରଥମେ ପିଲାଙ୍କ ଖାଦ୍ୟରୁ ଆରମ୍ଭ କରିବା। ପିଲାମାନଙ୍କର ସବୁଠାରୁ ଲୋଭନୀୟ ହେଉଛି କଟନକ୍ୟାଣ୍ଡି। କେହି କେହି ଏହାକୁ ବୁଢ଼ିୟା କି ବାଲ୍, କେହି କେହି ବମ୍ବେ ଲଢ଼ୁ, କେହି କେହି ବିଭିନ୍ନ ସ୍ଥାନୀୟ ନାମରେ ନାମିତ କରିଥାନ୍ତି। ଏସବୁ ଭିତରେ ଥିବା ବିଷାକ୍ତ ରଙ୍ଗ ପିଲାମାନଙ୍କ ପାଇଁ ଅତ୍ୟନ୍ତ ଘାତକ। ଅନୁସନ୍ଧାନରୁ ଜଣାପଡ଼ିଛି, ପିଲାଙ୍କ ଏହି ପ୍ରିୟ କଟନକ୍ୟାଣ୍ଡିରେ ରୋଡାମାଇନ-ବି ନାମକ ଏକ ବିଷାକ୍ତ ତତ୍ତ୍ୱ ରହିଛି। ଏହାର ବିକ୍ରି ଉପରେ ତାମିଲନାଡୁ ଓ ପଣ୍ଡିଚେରୀ ସରକାର ନିଷେଧାଦେଶ ଜାରି କରିଛନ୍ତି। କଟନକ୍ୟାଣ୍ଡିରେ ବ୍ୟବହାର ହେଉଥିବା ରୋଡାମାଇନ-ବି ଗୋଲାପୀ ରଙ୍ଗକୁ ଅତ୍ୟନ୍ତ ଆକର୍ଷଣୀୟ କରିଥାଏ ଏବଂ ଏହା ଶୀଘ୍ର ପାଣିରେ ମିଳାଇଯାଏ ଓ ଶସ୍ତା ମାନର। ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ ଏହାକୁ ଖାଦ୍ୟ ପଦାର୍ଥରେ ମିଶାଇବା ଉପରେ କଟକଣା ଲଗାଇଛନ୍ତି। ଏହାକୁ ଖାଦ୍ୟରେ ବ୍ୟବହାର କରିବା ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଆକ୍ଟ-୨୦୦୬ ଅନୁସାରେ ଅପରାଧ।
ବର୍ଷାଳିଆ, ଥଣ୍ଡାଳିଆ ପାଗ ବା ଘରକୁ ଅତିଥି ଚର୍ଚ୍ଚା କ୍ଷେତ୍ରରେ କୋବି ମାଞ୍ଚୁରିଆନକୁ ଭାରି ପସନ୍ଦ କରିଥାଉ। ଏହା ଏକ ଇଣ୍ଡିଆନ ଓ ଚାଇନିଜ ଫ୍ୟୁଜନ ଡିସ୍। କର୍ନଫ୍ଲୋର, ମଇଦା, ବନ୍ଧାକୋବି ସସ୍କୁ ମିଶାଇ ଏହି ଚମତ୍କାର ପାଟି ସୁଆଦିଆ ଖାଦ୍ୟ ପ୍ରସ୍ତୁତ କରାଯାଏ। ରାସ୍ତାକଡ଼ ଠେଲାଗାଡ଼ି ଓ ରେସ୍ତୋରଁାରେ ଏହାର ଭାରି ଚାହିଦା। ନୁଡ଼ୁଲ୍ସ ଓ ଫ୍ରାଏଡରାଇସ ସହ ମେନୁ ତାଲିକାରେ ଏହା ଥାଏ। କିନ୍ତୁ ଏହି ମାଞ୍ଚୁରିଆନକୁ ରଙ୍ଗ କରିବା ପାଇଁ ଯେଉଁ ଫୁଡ୍ କଲର ରହିଛି ଏଥିରେ ରୋଡାମାଇନ-ବି ଓ କାର୍ମୋଇସିନ ପରି ରାସାୟନିକ ରଙ୍ଗ ଥିବାରୁ ଏହା କର୍କଟ ରୋଗର ବଡ଼ କାରକ। ଏହାର ବିକ୍ରି ଉପରେ ନିକଟରେ କର୍ନାଟକ ଓ ଗୋଆ ସରକାର ନିଷେଧାଦେଶ ଜାରି କରିଛନ୍ତି। ଏଥିରେ କ୍ୟାଲୋରି, ସୋଡିୟମ ଓ ଫ୍ୟାଟ୍ର ମାତ୍ରା ଅଧିକ ଥିବାରୁ ଏହା ଲିଭର, ମୋଟାପଣ ଓ ଉଚ୍ଚ ରକ୍ତଚାପର କାରକ ପାଲଟିଥାଏ।
ସେହିପରି ମିଠାରେ ଯେଉଁ ରଙ୍ଗ ମିଶ୍ରିତ ହୋଇଥାଏ ସେଗୁଡ଼ିକ ଭିତରେ ହଳଦିଆ ରଙ୍ଗ ପାଇଁ ମେଟାନିଲ ୟେଲୋ ରଙ୍ଗ, ସବୁଜ ରଙ୍ଗ ପାଇଁ ମ୍ୟାଲାକାଇନ ଗ୍ରୀନ୍, ଲାଲ ରଙ୍ଗ ପାଇଁ ସୁଡାନାଇଟ୍ର ରାସାୟନିକ ମାତ୍ରା ବ୍ୟବହାର କରାଯାଏ। ଏହି ସିନ୍ଥେଟିକ୍ ଫୁଡ୍ କଲର ମିଠାକୁ ଆକର୍ଷଣୀୟ ଓ ରଙ୍ଗିନ କରୁଥିଲେ ବି ସ୍ବାସ୍ଥ୍ୟ ପାଇଁ ସ୍ଲୋ ପଏଜନ। ଏହା ପେଟ ସଂକ୍ରମଣ ସହ ଲିଭର ଓ କିଡ୍ନୀକୁ ଖରାପ କରିଦିଏ।
ରୋଡାମାଇନ-ବି ବିଷୟରେ ଜାଣନ୍ତୁ। ଏହାର ମୂଲ୍ୟ ଅତ୍ୟନ୍ତ ଶସ୍ତା ହୋଇଥିବାରୁ ଚମଡ଼ା, କାଗଜ ଓ ପ୍ରସାଧନ, ବସ୍ତ୍ରଶିଳ୍ପରେ ରଙ୍ଗ ଭାବେ ବ୍ୟବହାର ନିମିତ୍ତ କେବଳ ଅନୁମତି ରହିଛି। ଖାଦ୍ୟ ବ୍ୟବସ୍ଥାରେ ଏହାକୁ ବ୍ୟବହାର ପାଇଁ ନିଷେଧାଦେଶ ରହିଥିଲେ ମଧ୍ୟ ଖାଦ୍ୟ ପ୍ରସ୍ତୁତକାରୀ ଓ ଦୋକାନୀ ଏହାକୁ ବ୍ୟବହାରକରି ଆପଣଙ୍କ ଶରୀରରେ ଲିଭର ଓ କ୍ୟାନ୍ସରର କାରକ ସାଜିଥାନ୍ତି। ସେହିପରି ମେଡିସିନ ଓ କସ୍ମେଟିକ୍ ଶିଳ୍ପ ପାଇଁ ଅନୁମତି ଥିବା ସନ୍ସେଟ୍ ୟେଲୋକୁ ଖାଦ୍ୟ ପ୍ରସ୍ତୁତିରେ ମିଶାଯାଉଥିବାରୁ ଏହା ଆଜ୍ମା ଓ ସ୍କିନ୍ ଆଲର୍ଜି ପାଇଁ ଦାୟୀ। ଏହା ବ୍ୟତୀତ କାର୍ମୋଇସିନ୍ ଫୁଡ୍ କଲର ଦେଖିବାକୁ ପୂରାପୂରି ଲାଲ ରଙ୍ଗ, ଯାହାକୁ ଆଇଏଆର୍ସି କ୍ୟାଟେଗୋରି ଥ୍ରି କାର୍ସିନୋଜୋନ୍ରେ ଶ୍ରେଣୀଭୁକ୍ତ କରିଛି। କିନ୍ତୁ ଅନୁମତି ନ ଥାଇ ମଧ୍ୟ ଖାଦ୍ୟ ପ୍ରସ୍ତୁ୍ତିରେ ମିଶୁଥିବାରୁ ଏହା ଲିଭର, କିଡ୍ନୀ, ସ୍କିନ୍ ଓ ଶ୍ୱାସଜନିତ ସମସ୍ୟାର କାରଣ ପାଲଟିଥାଏ। ଖାଦ୍ୟ, ମିଠାକୁ ହଳଦିଆ ରଙ୍ଗ ପାଇଁ ବେଶ୍ ଆକର୍ଷଣୀୟ କରୁଥିତ୍ବା ସିନ୍ଥେଟିକ୍ ଫୁଡ୍ କଲର ଟାର୍ଟାଜିନ୍ ବାସ୍ତବରେ ଖାଦ୍ୟ ପ୍ରସ୍ତୁତି ପାଇଁ ଅନୁମୋଦିତ ନୁହେଁ। କିନ୍ତୁ ଏହି କେମିକାଲ ଖାଦ୍ୟରେ ମିଶୁଥିବାରୁ ଏହା ଶରୀରର ହର୍ମୋନ, ଥାଇରଏଡ୍ ଗ୍ରନ୍ଥି, ଆନଜିଓଡିମା, ଏକ୍ଜିମା, ବ୍ରୋଙ୍କାଇଟିସ୍ ଓ ମୁଣ୍ଡବିନ୍ଧାର କାରଣ ହୋଇଥାଏ। ତେବେ ସବୁଠାରୁ ଜୀବନ ଘାତକ ହୋଇଥାଏ ଡ୍ରାଏ ଆଇସ୍। ବଜାରରେ ଏବେ ଏହା ଏକ ଖାଦ୍ୟ ବା ମୃଦୁ ପାନୀୟ ଯାହା ଭିତରୁ ଏକ ଧଳା ଧୂଅଁା ଉଠିଥାଏ। ଏହି ଡ୍ରାଏ ଆଇସ୍ ବା ଶୁଖିଲା ବରଫ ହେଉଛି ବାସ୍ତବରେ କାର୍ବନ ଡାଇଅକ୍ସାଇଡ୍ର ଏକ ଭିନ୍ନ ରୂପ ଯାହା କଠିନ ସ୍ତରରେ ଥାଏ। ବରଫ ପାଟିକୁ ଗଲେ ତରଳିଯାଏ, କିନ୍ତୁ ଏହା ତରଳିଲେ ସିଧା କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ନିର୍ଗତ କରୁଥିବାରୁ ଧୂଅଁା ଭାବେ ବାହାରକୁ ଦିଶେ। ଏହା ଫୁସ୍ଫୁସ୍ ପାଇଁ କ୍ଷତିକାରକ ଓ ପେଟ ଯନ୍ତ୍ରଣା, ବାନ୍ତି ସହ ଏହି ଧୂଅଁା ହଜମ ପ୍ରକ୍ରିୟାକୁ ପ୍ରଭାବିତ କରି ସ୍ବାସ୍ଥ୍ୟକୁ ଖୁବ୍ କମ୍ ସମୟ ଭିତରେ ବିଗାଡ଼ିଦେବାର କ୍ଷମତା ରଖିଛି।
ନିକଟରେ ବିଦେଶରେ ଭାରତୀୟ ମସଲାକୁ ନେଇ ବିବାଦ ଜୋର ଧରିଛି। ଭାରତର କେତୋଟି ପ୍ରମୁଖ କମ୍ପାନୀର ମସଲାରେ ଏଥିଲିନି ଅକ୍ସାଇଡ୍ ନାମକ ରାସାୟନିକ ପଦାର୍ଥ ମିଶିଥିବା ଅଭିଯୋଗ ପରେ ଏ ନେଇ ସରକାରୀ ସ୍ତରରେ ଖୋଳତାଡ଼ ମଧ୍ୟ ଆରମ୍ଭ ହୋଇଯାଇଛି। ଏପରି ଅନେକ ରଙ୍ଗିନ ଖାଇବାର ବିଷଜାଲ ଯାହାକୁ ଆମେ ସଚେତନ ହୋଇ ମଧ୍ୟ ଜାଣିକି ବି ବ୍ୟବହାର କରୁଛେ ଓ ନିଶ୍ଚିନ୍ତ ସ୍ବାସ୍ଥ୍ୟ ବିଗାଡ଼ିବା ବ୍ୟବସ୍ଥାକୁ ନିମନ୍ତ୍ରଣ କରୁଛେ କହିଲେ ଅତ୍ୟୁକ୍ତି ହେବନାହିଁ।
କନସ୍ଲଟାଣ୍ଟ ରେଡିଓଲୋଜିଷ୍ଟ, ଏମ୍ଆର୍ଆଇ କେନ୍ଦ୍ର, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ, କଟକ,
ମୋ:୯୪୩୭୦୨୩୪୪୩
The post ବିଷମିଶା ରଙ୍ଗିନ ଖାଦ୍ୟ appeared first on Dharitri Odia News.