ବିଷାକ୍ତ ମଦ ନେଲା ଜୀବନ; ତାତିଲେ ଲୋକେ, ୨୦ ଲକ୍ଷ ଦାବିରେ ରାସ୍ତାରୋକ

ମୃତକ ଜେନାପୁର ଅଞ୍ଚଳର ବୋଲି ଜଣାଯାଇଛି। ଏବେବି ଆଇସିୟୁରେ ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି।

ବିଷାକ୍ତ ମଦ ନେଲା ଜୀବନ; ତାତିଲେ ଲୋକେ, ୨୦ ଲକ୍ଷ ଦାବିରେ ରାସ୍ତାରୋକ

ଶେଷରେ ବିଷାକ୍ତ ମଦ ନେଲା ଜୀବନ । ଗଞ୍ଜାମ ଜିଲ୍ଲା ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଜେନାପୁର ଅଞ୍ଚଳର ଜୁର ବେହେରା ବୋଲି ଜଣାଯାଇଛି ।

ଏହି ଘଟଣା ପ୍ରଚାରିତ ହେବା ପରେ ଜେନାପୁର ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ଚିକିଟି- ଜନାପୁର ରାସ୍ତା ଅବରୋଧ କରିଛନ୍ତି। ଖବର ପାଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରୁଥିଲେ ବି ସ୍ଥିତି ଶାନ୍ତ ହୋଇ ନ ଥିବା ଜଣାଯାଇଛି। 

ଚିକିଟିରେ ବିଷାକ୍ତ ମଦ ପିଇ ୧୬ ଜଣ ଆକ୍ରାନ୍ତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୪ ଜଣ ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଆଇସିୟୁରେ ୩ ଜଣ ଭର୍ତ୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୂ ହୋଇଥିବା ବେଳେ ଏବେ ବି ଆଇସିୟୁରେ ୨ ଜଣ ଚିକିତ୍ସିତ ହେଉଛନ୍ତି। ଚିକିଟିରେ ୨ ଜଣ ଚିକିତ୍ସିତ ଥିବା ବେଳେ ସେମାନେ ଧୀରେ ଧୀରେ ସୁସ୍ଥ ହେଉଥିବା ଜଣାଯାଇଛି। 

ଏହି ଘଟଣାରେ ପୁଲିସ୍‌ ମଦ ମାଫିଆ ସୁରେନ୍ଦ୍ର ମଲ୍ଲିକ ସହଯୋଗୀ ନିରଞ୍ଜନ ମଲ୍ଲିକଙ୍କ ସମେତ ୭ ଜଣଙ୍କୁ ବାନ୍ଧିଛି। 

ଚିକିଟି ଅଞ୍ଚଳରେ ପ୍ରାୟ ୩ ବର୍ଷ ହେବ ଚୋରାରେ ମଦ କାରବାର ଚାଲିଥିବା ବେଳେ ପ୍ରଶାସନ, ପୁଲିସ୍‌ ତଥା ଅବକାରୀ ବିଭାଗ କିପରି ଜାଣି ପାରୁ ନ ଥିଲେ ତାହା ସନ୍ଦେହ ସୃଷ୍ଟି କରୁଛି। ସରକାରୀ ରେଟ୍‌ଠୁ କମ୍‌ ଦାମରେ ମଦ ମିଳୁଥିବାରୁ ଗ୍ରାମାଞ୍ଚଳ ଲୋକେ ଏହାକୁ ଅଧିକ ପସନ୍ଦ କରୁଥିଲେ। ଫଳରେ ଆଜି ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ଅକାଳରେ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଆହୁରି ୧୫ ଜଣ ମେଡିକାଲ ବେଡରେ ଛଟପଟ ହେଉଛନ୍ତି। 

ଏହି ମଦରେ ବିଷାକ୍ତ ଦ୍ରବ୍ୟ ମିଶିଥାଇପାରେ ବୋଲି ସନ୍ଦେହ ପ୍ରକଟ କରିଛନ୍ତି। କେଉଁ ପରିସ୍ଥତିରେ ଏହି ଘଟଣା ଘଟିଛି ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।