ବୃଦ୍ଧା ମା’ ଉପରେ ମାନସିକ ବିକାର ପୁଅର ବୋଝ

କୋକସରା,୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଜିକୁ ୨ ବର୍ଷ ହେବ ମାନସିକ ବିକାର ଭେଣ୍ଡିଆ ପୁଅର ବୋଝକୁ ନେଇ ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ାର ବିଧବା ବୃଦ୍ଧା ନେପୁର ମାଝି। ସ୍ବାମୀ ଥିବା ବେଳେ ମୂଲମଜୁରୀ କରି ଦୁଇପୁଅଙ୍କ ସହ ଖୁସିରେ ଜୀବନ ଅତିବାହିତ କରୁଥିଲେ। ଆଜିକୁ ୭ବର୍ଷ ତଳେ ସ୍ବାମୀ ଧନସିଂ ମାଝିଙ୍କ ଦେହାନ୍ତ ପରେ ବିଧବା ମହିଳାଙ୍କ ଉପରେ ସତେଯେମିତି ଦୁଃଖର କଳାବାଦଲ ମାଡି ବସିଲା। […] The post ବୃଦ୍ଧା ମା’ ଉପରେ ମାନସିକ ବିକାର ପୁଅର ବୋଝ appeared first on Dharitri Odia News.

ବୃଦ୍ଧା ମା’ ଉପରେ ମାନସିକ ବିକାର ପୁଅର ବୋଝ

କୋକସରା,୭ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଆଜିକୁ ୨ ବର୍ଷ ହେବ ମାନସିକ ବିକାର ଭେଣ୍ଡିଆ ପୁଅର ବୋଝକୁ ନେଇ ଜୀବନ କାଟୁଛନ୍ତି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ାର ବିଧବା ବୃଦ୍ଧା ନେପୁର ମାଝି। ସ୍ବାମୀ ଥିବା ବେଳେ ମୂଲମଜୁରୀ କରି ଦୁଇପୁଅଙ୍କ ସହ ଖୁସିରେ ଜୀବନ ଅତିବାହିତ କରୁଥିଲେ। ଆଜିକୁ ୭ବର୍ଷ ତଳେ ସ୍ବାମୀ ଧନସିଂ ମାଝିଙ୍କ ଦେହାନ୍ତ ପରେ ବିଧବା ମହିଳାଙ୍କ ଉପରେ ସତେଯେମିତି ଦୁଃଖର କଳାବାଦଲ ମାଡି ବସିଲା। ବଡ଼ ପୁଅ କେଶବ ମାଝି (୨୮) ଏବେ ମାନସିକ ବିକାର ଗ୍ରସ୍ତ ହୋଇ ମା’ଙ୍କ ସାହାରାରେ ଜୀବନ କାଟୁଛନ୍ତି। କେଶବ ପିଲାବେଳୁ ଠିକ୍‌ ଥିଲେ। ଡଙ୍ଗରିଗୁଡା ଇନ୍ଦ୍ରାବତୀ ହାଇସ୍କୁଲରେ ମାଟ୍ରିକ ଓ କୋକସରା ପଞ୍ଚାୟତ କଲେଜରେ ଯୁକ୍ତ ଦୁଇ ପାସ୍‌ କରିବା ପରେ ଘରର ଆର୍ଥିକ ଅନଟନ କାରଣରୁ ପାଠପଢ଼ାରେ ଡୋରି ବାନ୍ଧି ଗ୍ୟାରେଜରେ ମେକାନିକ କାମ କରୁଥିଲେ।

ବାପା ଚାଲିଯିବା ପରେ ଆଜିକୁ ୨ ବର୍ଷ ହେଲା କେଶବଙ୍କ ମାନସିକ ଅବସ୍ଥା ଧୀରେ ଧୀରେ ବିକାର ଗ୍ରସ୍ତ ହେବାରେ ଲାଗିଲା। ଗାଁରେ ଗଣ୍ଡଗୋଳ କରିବା ଓ ଘରେ ଜାଗା ନ ଥିବାରୁ ଗାଁରେ ବନ୍ଦ ପଡିଥିବା ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀ ଗୃହରେ ବିଧବା ମା’ କେଶବକୁ ୮ ମାସ ହେବ ରଖିଛନ୍ତି। କେଶବଙ୍କ ଖାଇବା ପିଇବା ସହ ସେବାଯତ୍ନ ମଧ୍ୟ ନେଉଛନ୍ତି। ତେବେ ମାନସିକ ବିକାର ପୁଅକୁ ଆଉ କେତେଦିନ ଯତ୍ନ ନେବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି।

କେଶବଙ୍କ ସାନ ଭାଇ ଭକ୍ତ ମାଝି (୨୩) ମଧ୍ୟ ମାଟ୍ରିକ ପରେ ପାଠପଢ଼ା ବନ୍ଦ କରି ଶ୍ରମିକ ଭାବେ କାମ କରି ମା’ ଓ ମାନସିକ ବିକାର ଭାଇର ପେଟକୁ ଦାନା ଯୋଗାଉଛନ୍ତି। ବିଧବା ନେପୁରଙ୍କୁ ବିଧବା ଭତ୍ତା ଓ ମାସିକ ୧୫ କେଜି ପିଡ଼ିଏସ୍‌ ମିଳୁଥିବା ବେଳେ ଏବେ ମାନସିକ ବିକାର ଭେଣ୍ଡିଆ ପୁଅର ଚିକିତ୍ସା କରିବା ତାଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି।

ବ୍ଲକ ପ୍ରଶାସନ କିମ୍ବା ସ୍ବାସ୍ଥ୍ୟ ବିଭାଗ ଏ ଦିଗରେ ପଦକ୍ଷେପ ନେଇ ମାନସିକ ବିକାର ଯୁବକ କେଶବଙ୍କୁ ଚିକିତ୍ସା କରାଇଲେ ସେ ସୁସ୍ଥ ହୋଇପାରନ୍ତେ ବୋଲି ଗ୍ରାମବାସୀ ଗଣମାଧ୍ୟମ ଜରିଆରେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ଏ ନେଇ କୋକସରା ସିଏଚ୍‌ସି ଭାରପ୍ରାପ୍ତ ଡାକ୍ତର ତତ୍ତ୍ୱଦର୍ଶୀ ଦାସଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ସମ୍ପର୍କରେ ଆମେ ଅବଗତ ନ ଥିଲୁ। ମେଡିକାଲ ଟିମ୍‌ ପଠାଇ ସ୍ବାସ୍ଥ୍ୟ ପରୀକ୍ଷା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି। କୋକସରା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଦୀପକ କୁମାର ବେହେରାଙ୍କ ପ୍ରତିକ୍ରିୟା ନେବାରୁ ଘଟଣା ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ସହିତ ଆଲୋଚନା କରି କେଶବଙ୍କ ଚିକିତ୍ସା ପାଇଁ ଶୀଘ୍ର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି।

The post ବୃଦ୍ଧା ମା’ ଉପରେ ମାନସିକ ବିକାର ପୁଅର ବୋଝ appeared first on Dharitri Odia News.