ବେଙ୍ଗାଲୁରୁ କାଫେ ବ୍ଲାଷ୍ଟ: ୨ ଅଭିଯୁକ୍ତଙ୍କୁ ଧରିବାକୁ ୨୦ ଲକ୍ଷ ପୁରସ୍କାର ଘୋଷଣା

ଏନଆଇଏ ପୁରସ୍କାର ଘୋଷଣା କରିବା ସହ ଦୁଇ ସନ୍ଦିଗ୍ଧଙ୍କ ଫଟୋ ମଧ୍ୟ ଜାରି କରିଛି। ଅଭିଯୁକ୍ତ ମୁସାବୀର ହୁସେନ ଶାଜିବ କାଫେ ଭିତରେ ଆଇଇଡି ରଖିବା ସହ ବିସ୍ଫୋରଣ କରିଥିଲା।

ବେଙ୍ଗାଲୁରୁ କାଫେ ବ୍ଲାଷ୍ଟ: ୨ ଅଭିଯୁକ୍ତଙ୍କୁ ଧରିବାକୁ ୨୦ ଲକ୍ଷ ପୁରସ୍କାର ଘୋଷଣା

ମାର୍ଚ୍ଚ ୧ ତାରିଖରେ ବେଙ୍ଗାଲୁରୁର ରାମେଶ୍ୱରମ କାଫେର ହୋଇଥିବା ବିସ୍ଫୋରଣ ଦୁଇ ମୁଖ୍ୟ ଖଳନାୟକଙ୍କୁ ଏଯାଏ ଧରିବାକୁ ସକ୍ଷମ ହୋଇନି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ। ଏବେ ୨ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ହାସଲ କରିବା ପାଇଁ ଏନଆଇଏ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ଯଦି କେହି ଅଭିଯୁକ୍ତଙ୍କୁ ଧରାଇବାରେ ସହାୟତା କରିବେ, ତା’ହେଲେ ତାଙ୍କୁ ଟଙ୍କା ମିଳିବ।

ଏନଆଇଏ ପୁରସ୍କାର ଘୋଷଣା କରିବା ସହ ଦୁଇ ସନ୍ଦିଗ୍ଧଙ୍କ ଫଟୋ ମଧ୍ୟ ଜାରି କରିଛି। ଅଭିଯୁକ୍ତ ମୁସାବୀର ହୁସେନ ଶାଜିବ କାଫେ ଭିତରେ ଆଇଇଡି ରଖିବା ସହ ବିସ୍ଫୋରଣ କରିଥିଲା। ସେହିପରି ଅବଦୁଲ ଅହମଦ ହେଉଛି ପୁରା ଘଟଣାର ଷଡ଼ଯନ୍ତ୍ରକାରୀ। ଉଭୟ ୨୦୨୦ର ଗୋଟିଏ ଆତଙ୍କବାଦ କାର୍ଯ୍ୟକଳାପରେ ମଧ୍ୟ ସାମିଲ ରହିଛନ୍ତି।

ଯଦି ଏମାନଙ୍କ ସମ୍ପର୍କରେ କେହି ଖବର ପାଆନ୍ତି, ତା’ହେଲେ ଏନଆଇକୁ info.blr.nia@gov.inକୁ ଇ-ମେଲ କିମ୍ବା କଲ କରି ସୂଚନା ଦେଇ ପାରିବେ। ସୂଚନାଦାତାଙ୍କ ପରିଚୟ ଅତ୍ୟନ୍ତ ଗୋପନ ରହିବ। ପ୍ରତି ଅଭିଯୁକ୍ତଙ୍କ ପିଛା ୧୦ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରହିଛି। 

ଏନଆଇଲ କହିଛି ଯେ ଶାଜିବ ନିଜ ପରିଚୟକୁ ଗୋପନ ରଖିବା ପାଇଁ ନିଜକୁ ମହମ୍ମଦ ଜୁନେଦ ସୟିଦ କରି ଦେଇଛି। ସେହିପରି ଅବଦୁଲ ଅହମଦ ନିଜକୁ ହିନ୍ଦୁ ଭାବେ ସଜାଇ ଦେଇଛି। ସେ ନକଲି ଆଧାର କାର୍ଡ ପ୍ରସ୍ତୁତ କରି ବିଗ୍ନେଶ ନାଁରେ ଆତ୍ମଗୋପନ କରିଛି।

ମାର୍ଚ୍ଚ ୨୮ରେ ଏନଆଇଏ ଘଟଣାର ସହ ଷଡ଼ଯନ୍ତ୍ରକାରୀ ମୁଜାମ୍ମିଲ ଶରୀଫକୁ ଗିରଫ କରିଥିଲା। କର୍ଣ୍ଣାଟକାର ୧୨ଟି, ତାମିଲନାଡୁର ୫ଟି ଓ ଉତ୍ତର ପ୍ରଦେଶର ଗୋଟିଏ ଠିକଣାରେ ରେଡ କରିବା ପରେ ଶରୀଫର ଗିରଫଦାରୀ ହୋଇଥିଲା।