ବେରୁଟରେ ଇସ୍ରାଏଲର ବୋମା ମାଡ଼: ହେଜବୁଲ୍ଲା କମାଣ୍ଡର ନିହତ

ସୋମବାର ଦକ୍ଷିଣ ଲେବାନନରେ ଇସ୍ରାଏଲ ଘନଘନ ବୋମା ମାଡ଼ କରିଥିଲା। ଏଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ବେରୁଟରେ ଇସ୍ରାଏଲର ବୋମା ମାଡ଼: ହେଜବୁଲ୍ଲା କମାଣ୍ଡର ନିହତ

ଲେବାନନର ରାଜଧାନୀ ବେରୁଟର ଦକ୍ଷିଣ ଉପକଣ୍ଠରେ ଆଜି ପୁଣି ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ସୋମବାର ଦକ୍ଷିଣ ଲେବାନନରେ ଇସ୍ରାଏଲ ଘନଘନ ବୋମା ମାଡ଼ କରିଥିଲା। ଏଥିରେ ୫୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।

ଏହାକୁ ନେଇ ଆତଙ୍କ ଜାରି ରହିଥିବା ବେଳେ ଆଜି ଇସ୍ରାଏଲ ବେରୁଟ ଉପକଣ୍ଠରେ ଆକ୍ରମଣ କରିଛି। ଏଥିରେ ବିଦ୍ରୋହୀ ସଂଗଠନ ହେଜବୁଲ୍ଲାର ଜଣେ ବରିଷ୍ଠ କମାଣ୍ଡର ପ୍ରାଣ ହରାଇଥିବା ରିପୋର୍ଟ ପ୍ରକାଶ ପାଇଛି।

ସୂତ୍ର ଅନୁସାରେ, ଇସ୍ରାଏଲର ବୋମା ମାଡ଼ରେ ମୋଟ ୬ ଜଣଙ୍କ ମୃତ୍ୟୁ ହୋଇଛି। ଏମାନଙ୍କ ମଧ୍ୟରେ ହେଜବୁଲ୍ଲା କମାଣ୍ଡର ଇବ୍ରାହିମ କ୍ୱିବୈସି ରହିଛି। ଇବ୍ରାହିମ ବେରୁଟ ସମେତ ଲେବାନନରେ ହେଜବୁଲ୍ଲାର ରଣନୀତି କଥା ବୁଝୁଥିଲା। ତା’ର ମୃତ୍ୟୁ ଇରାନ ସମର୍ଥିତ ହେଜବୁଲ୍ଲା ପାଇଁ ଶକ୍ତ ଝଟକା ସଦୃଶ ହୋଇଛି।

ଲେବାନନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ବେରୁଟରେ ହୋଇଥିବା ବୋମାର ମାଡ଼ରେ ୬ ଜଣ ପ୍ରାଣ ହରାଇଛନ୍ତି ଓ ୧୫ ଜଣ ଆହତ ହୋଇଛନ୍ତି। ଏକାଧିକ ଘର ଓ ପ୍ରତିଷ୍ଠାନ ଭାଙ୍ଗି ଯାଇଛି। ଲୋକମାନେ ଏବେ ଭୟ ଓ ଆତଙ୍କ ମଧ୍ୟରେ ରହିଛନ୍ତି।